ବେଙ୍ଗାଲୁରୁ: ଚଳିତ ବିଶ୍ବକପ୍ ୨୦୨୩ରେ ଟିମ୍ ଇଣ୍ଡିଆ ଦମଦାର ପ୍ରଦର୍ଶନ ଜାରି ରହିଛି । ହେଲେ ଆପଣ ଜାଣିଛନ୍ତି କି ? ବିଶ୍ବକପ୍ ୨୦୨୩ରେ ସର୍ବାଧିକ ରନ ସଂଗ୍ରହକାରୀ ନ୍ୟୁଜିଲାଣ୍ଡ ବ୍ୟାଟର ରଚିନ ରବିନ୍ଦ୍ର ମଧ୍ୟ ଜଣେ ଭାରତୀୟ ବଂଶୋଦ୍ଭବ । ଗୁରୁବାର ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରିଥିଲେ ରଚିନ । ଏହାପରେ ସେ ବେଙ୍ଗାଲୁରୁ ସ୍ଥିତ ନିଜ ଜେଜେଙ୍କ ଘରକୁ ଯାଇଥିଲେ । ଏଠାରେ ତାଙ୍କ ଜେଜେ ମାଆ ରଚିନଙ୍କୁ ଦେଖି ଆତ୍ମବିଭୋର ହୋଇଥିବା ଦେଖିବାକୁ ମିଳିଥିଲା । ଏହାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେଉଛି ।
ଜେଜେଙ୍କ ଘରକୁ ଯାଇଥିବା ସମୟର ଭିଡିଓ ରଚିନ ନିଜେ ମଧ୍ୟ ନିଜ ଏକ୍ସ ହ୍ୟାଣ୍ଡେଲ୍ରେ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ରଚିନ ଚୌକିରେ ବସିଛନ୍ତି । ଏଠାରେ ତାଙ୍କ ଜେଜେ ମାଆ ଠାକୁରଙ୍କୁ ପ୍ରାର୍ଥନା କରି ରଚିନଙ୍କୁ ଆଶୀର୍ବାଦ କରୁଛନ୍ତି । ରଚିନଙ୍କ ଉପରୁ ଖରାପ ଦୃଷ୍ଟି ଦୂର କରିବା ପାଇଁ ତାଙ୍କ ଜେଜେ ମାଆ ଏକ ପାରମ୍ପାରିକ ରୀତିନୀତି କରୁଥିବାର ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହୋଇଛି । ପ୍ରଶଂସକମାନେ ମଧ୍ୟ ଏହାକୁ ବେଶ ପସନ୍ଦ କରୁଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ବୁମ୍ରା-ଡିକକ୍ଙ୍କୁ ପଛରେ ପକାଇଲେ ରଚିନ, ଜିତିଲେ ପ୍ଲେୟର ଅଫ୍ ଦି ମନ୍ଥ ଆୱାର୍ଡ
ବିଶ୍ବକପ୍ ୨୦୨୩ରେ ୨୩ ବର୍ଷୀୟ ରଚିନ ଉତ୍କୃଷ୍ଟ ଫର୍ମରେ ରହିଛନ୍ତି । କ୍ରିକେଟ୍ କ୍ୟାରିୟରର ପ୍ରଥମ ବିଶ୍ବକପ୍ ଖେଳୁଥିବାବେଳେ ଦମଦାର ପ୍ରଦର୍ଶନ କରି ସେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର ପାଲଟିଛନ୍ତି । ଏହା ବ୍ୟତୀତ ସେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ଅକ୍ଟୋବର ମାସର ଶ୍ରେଷ୍ଠ କ୍ରିକେଟର ଭାବରେ ମଧ୍ୟ ମନୋନୀତ ହୋଇଛନ୍ତି । ଏହି ବିଶ୍ବକପ୍ରେ ସେ ୯ଟି ମ୍ୟାଚ୍ ଖେଳି ୩ ଶତକ ଓ ୨ ଅର୍ଦ୍ଧଶତକ ସହିତ ଏପର୍ଯ୍ୟନ୍ତ ୫୬୫ ରନ୍ ସଂଗ୍ରହ କରିସାରିଲେଣି । ଏହା ସହିତ ସଚିନ୍ ତେନ୍ଦୁଲକରଙ୍କ ନାମରେ ରହିଥିବା ୨୫ ବର୍ଷ ବୟସ ପୂର୍ବରୁ ସର୍ବାଧିକ ରନ୍ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ରଚିନ ।
ଏହା ମଧ୍ୟ ପଢ଼ନ୍ତୁ...world cup 2023: ବିଶ୍ବକପ ପଦାର୍ପଣରେ ରାଚିନ ରବିନ୍ଦ୍ରଙ୍କ ବିସ୍ଫୋରକ ପ୍ରଦର୍ଶନ, ଜାଣନ୍ତୁ କେମିତି ଥିଲା କ୍ରିକେଟ ଯାତ୍ରା
ପ୍ରକାଶ ଥାଉ, ଦୁଇ ମହାନ ଭାରତୀୟ କ୍ରିକେଟ୍ ଖେଳାଳି ରାହୁଲ ଦ୍ରାବିଡ ଏବଂ ସଚିନ ତେନ୍ଦୁଲକରଙ୍କ ନାମକୁ ମିଶାଇ ନ୍ୟୁଜିଲାଣ୍ଡ ପାଇଁ କ୍ରିକେଟ୍ ଖେଳୁଥିବା ଏବି ଭାରତୀୟ ବଂଶୋଦ୍ଭବଙ୍କ ନାମ ରଚିନ୍ ରଖାଯାଇଛି । ଏହି ବ୍ୟାଟର ବିଶ୍ବକପ୍ ୨୦୨୩ରେ ସଫଳତାର ସହ ନିଜର ଅନନ୍ୟ ପରିଚୟ ସୃଷ୍ଟି କରିଛନ୍ତି । ପାକିସ୍ତାନ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ରଚିନ୍ ୩ ବିଶ୍ବକପ୍ ଶତକ ହାସଲ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ବିଜୟ ମ୍ୟାଚ୍ ପରେ ସେ ବେଙ୍ଗାଲୁରୁରେ ତାଙ୍କ ଜେଜେବାପାଙ୍କ ଘରକୁ ଯାଇଥିଲେ । ଯାହାର ଫଟୋ ଓ ଭିଡିଓ ଏବେ ସାମାଜିକ ଗଣମାଧ୍ୟମର ଶିରୋନାମା ପାଲଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ