ମୁମ୍ବାଇ: ଚାଲିଥିବା ବିଶ୍ବକପ୍ ୨୦୨୩ରେ ନିଜର ଶେଷ ବିଶ୍ବକପ୍ ଖେଳୁଥିବା ଦକ୍ଷିଣ ଆଫ୍ରିକୀୟ ୱିକେଟ୍କିପର-ବ୍ୟାଟର କ୍ବିଣ୍ଟନ ଡିକକ୍ ନିଜର ପ୍ରାଇମ୍ ଫର୍ମରେ ରହିଛନ୍ତି । ଚଳିତ ବିଶ୍ବକପ୍ ସଂସ୍କରଣରେ ୪ ମ୍ୟାଚ୍ ଖେଳି ସେ ୨ଟି ଶତକ ହାସଲ କରିଥିବାବେଳେ ମଙ୍ଗଳବାର ବାଂଲାଦେଶ ବିପକ୍ଷରେ ତୃତୀୟ ଶତକ ହାସଲ କରିଛନ୍ତି ଡିକକ୍ । ଏହା ତାଙ୍କ ଦିନିକିଆ କ୍ରିକେଟ୍ କ୍ୟାରିୟରର ୨୦ତମ ଶତକ । ଆଜିର ମ୍ୟାଚ୍ରେ ସେ ଆରମ୍ଭରୁ ଆକ୍ରାମକ ଖେଳିଥିଲେ । କେବଳ ୧୪୦ ବଲରୁ ୧୭୪ ରନର ବିସ୍ଫୋରକ ପାଳି ଖେଳି ଆଉଟ୍ ହୋଇଥିଲେ ଡିକକ୍ । ତାଙ୍କ ପାଳିରେ ୧୫ ଚୌକା ଓ ୭ ଛକା ସାମିଲ ଥିଲା । ତେବେ ଏହି ଦମଦାର ପାଳି ସହ ସେ ଏକାଧିକ ରେକର୍ଡ ମଧ୍ୟ କରିଛନ୍ତି ।
ଚଳିତ ବିଶ୍ବକପ୍ ୨୦୨୩ ପରେ ଦିନିକିଆ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିସାରିଛନ୍ତି ଡିକକ୍ । ସେ ଚଳିତ ସଂସ୍କରଣରେ ପ୍ରଥମେ ଶ୍ରୀଲଙ୍କା ଓ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଥିଲେ । ଆଜି ବାଂଲାଦେଶ ବିପକ୍ଷରେ ୧୦୧ ବଲରେ ନିଜର ଶତକ ହାସଲ କରିଥିଲେ ଡିକକ୍ । ଏହାପରେ ସେ ବିସ୍ଫୋରକ ବ୍ୟାଟିଂ କରି କେବଳ ୧୪୦ ବଲରୁ ୧୭୪ ରନର ପାଳି ଖେଳି ଆଉଟ୍ ହୋଇଥିଲେ । ଏହି ପାଳି ପରେ ଦକ୍ଷିଣ ଆଫ୍ରିକା କ୍ରିକେଟରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ଡିକକ୍ । ସେ ଦକ୍ଷିଣ ଆଫ୍ରିକାର ପ୍ରଥମ ବ୍ୟାଟର ଭାବେ ଗୋଟିଏ ବିଶ୍ବକପ୍ ସଂସ୍କରଣରେ ୩ଟି ଶତକ ହାସଲ କରିଛନ୍ତି । ସେହିପରି ବିଶ୍ବର ୭ମ ବ୍ୟାଟର ଭାବେ ସେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ଏହି ସୂଚୀରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ସହ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ଶ୍ରୀଲଙ୍କାର କିମ୍ବଦନ୍ତୀ ବ୍ୟାଟର କୁମାର ସାଙ୍ଗାକାରାଙ୍କ ନାମ ରହିଛି ।