ନୂଆଦିଲ୍ଲୀ:ଚଳିତ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଦୁର୍ବଳ ସ୍ଥିତିରେ ପାକିସ୍ତାନ । କ୍ରମାଗତ ୩ଟି ମ୍ୟାଚ୍ ହାରିବା ପରେ ଚିନ୍ତାରେ ପାକିସ୍ତାନ କ୍ରିକେଟ ବୋର୍ଡ (PCB) । ଆସନ୍ତାକାଲି (ଶୁକ୍ରବାର) ଚେପକ୍ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ପାକିସ୍ତାନ । ତେବେ ଏହି ମ୍ୟାଚ୍ରେ 'ମେନ୍ ଇନ୍ ଗ୍ରୀନ'ଙ୍କୁ ସମର୍ଥନ କରିବା ଲାଗି ଅନୁରୋଧ କରିଛି ପିସିବି । ପାକିସ୍ତାନ ୧୯୯୨ ମସିହାରେ ବିଶ୍ବକପ ଜିତିଥିବା ବେଳେ ଚଳିତ ଟୁର୍ଣ୍ଣାମେଣ୍ଟରେ ୫ଟି ମ୍ୟାଚ୍ ଖେଳିବା ପରେ ଟେବୁଲର ୫ମ ସ୍ଥାନରେ ରହିଛି । ଭାରତଠାରୁ ମ୍ୟାଚ୍ ହାରିବା ପରେ ଟିମ ଆଉ ବିଜୟଧାରାକୁ ଫେରିପାରିନାହିଁ ।
ପାକିସ୍ତାନ ଟେବୁଲର ଦ୍ବିତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକାକୁ ଭେଟିବ । ଏହି ମ୍ୟାଚକୁ ଜିତି ବିଜୟଧାରାକୁ ଫେରିବା ଲାଗି ପାକିସ୍ତାନ ଲକ୍ଷ୍ୟ ରଖିଥିବା ବେଳେ ଦକ୍ଷିଣ ଆଫ୍ରିକା ପଏଣ୍ଟେ ଟେବୁଲର ପ୍ରଥମ ସ୍ଥାନରେ ପହଞ୍ଚିବା ଲାଗି ଉଦ୍ୟମ କରିବ । ଆସନ୍ତାକାଲିର ମ୍ୟାଚ୍ ନିଶ୍ଚିତ ରୋମାଞ୍ଚକର ରହିବ । ତେବେ ପାକିସ୍ତାନ କ୍ରମାଗତ ୩ଟି ମ୍ୟାଚ୍ରେ ପରାଜୟ ବରଣ କରିବା ପରେ ପ୍ରଶଂସକମାନେ ଏକପ୍ରକାର ନିରାଶ ହୋଇପଡ଼ିଛନ୍ତି । ପିସିବି ପ୍ରଶଂସକମାନଙ୍କ ଭାବନାକୁ ବୁଝିବା ସହିତ ଟିମର ଏହି କଠିନ ପରିସ୍ଥିତିରେ ମଧ୍ୟ ଦଳକୁ ସମର୍ଥନ କରିବା ସହ ଉତ୍ସାହିତ କରିବା ଲାଗି ଅନୁରୋଧ କରିଛି ବୋର୍ଡ ।