ବେଙ୍ଗାଲୁରୁ: ବ୍ୟାଟରଙ୍କ ୪୦୧ ରନର ବିଶାଳ ସ୍କୋର ସତ୍ତ୍ବେ ବୋଲର କରିପାରିଲେନି କମାଲ । ନ୍ୟୁଜିଲାଣ୍ଡକୁ କାଳ ସାଜିଲା ବର୍ଷା । ୨୫.୩ ଓଭର ବେଳକୁ କେବଳ ଗୋଟିଏ ୱିକେଟ୍ ବିନିମୟରେ ୨୦୦ ରନର ଷ୍ଟ୍ରଙ୍ଗ ଜୋନ୍ରେ ରହି ମ୍ୟାଚ୍ ଜିତିଲା ପାକିସ୍ତାନ । ପ୍ରବଳ ବର୍ଷା କାରଣରୁ ମ୍ୟାଚ୍ ଖେଳାଯାଇ ନପାରିବାରୁ ୨୧ ରନ୍ରେ ଜିତିଲା ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ରାଚିନ ରବୀନ୍ଦ୍ରଙ୍କ ଦମଦାର ଶତକ ଓ ଅଧିନାୟକ କେନ୍ ୱିଲିୟମସନ୍ଙ୍କ ୯୫ ରନର ଧୂଆଁଧାର ପାଳି ବଳରେ ୪୦୧ ରନର ବିଶାଳ ସ୍କୋର କରିଥିଲା ନ୍ୟୁଜିଲାଣ୍ଡ । ପାକିସ୍ତାନ ପକ୍ଷରୁ ଫଖର ଜମାନଙ୍କ ବିସ୍ଫୋରକ ଶତକ ବଳରେ ଡିଏଲ୍ଏସ୍ ମେଥଡ୍ରେ ୨୧ ରନରେ ଏହି ମ୍ୟାଚ୍ ଜିତି ନେଇଛି ପାକିସ୍ତାନ ।
ନ୍ୟୁଜିଲାଣ୍ଡ ବ୍ୟାଟିଂ: ଟସ୍ ଜିତି ପ୍ରଥମେ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆହ୍ବାନ କରିଥିଲେ ପାକ୍ ଅଧିନାୟକ ବାବର ଆଜମ । ଯାହାକି ତାଙ୍କ ଦଳକୁ ମହଙ୍ଗା ପଡିଛି । କାରଣ ଆରମ୍ଭରୁ ପାକ୍ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରି ନିର୍ଦ୍ଧାରିତ ୫୦ ଓଭରରେ କିୱି ଦଳ ହାସଲ କରିଛି ୪୦୧ ରନ୍ । ଦଳ ପକ୍ଷରୁ ପ୍ରତି ମ୍ୟାଚ୍ରେ ଧୂଆଁଧାର ପ୍ରଦର୍ଶନ ଦେଉଥିବା ରାଚିନ ରବୀନ୍ଦ୍ର ପୁଣିଥରେ ଆଜି ଦମଦାର ଶତକ ହାସଲ କରିଛନ୍ତି । ସେ ୯୪ ବଲରୁ ୧୫ ଚୌକା ଓ ଗୋଟିଏ ଛକା ବଳରେ ୧୦୮ ରନର ଦମଦାର ପାଳି ଖେଳିଥିଲେ । ଅଧିନାୟକ କେନ୍ ୱିଲିୟମସନ୍ ୭୯ ବଲରୁ ୯୫ ରନ୍ର ଧୂଆଁଧାର ପାଳି ଖେଳି ଆଉଟ୍ ହୋଇଯାଇଥିଲେ । ଅନ୍ୟ କୌଣସି ବ୍ୟାଟର ଅର୍ଦ୍ଧଶତକ ହାସଲ କରିନଥିଲେ ମଧ୍ୟ ଛୋଟ ଛୋଟ ଭାଗିଦାରୀ ବଳରେ ଦଳୀୟ ସ୍କୋରକୁ ୪୦୧ ରନର ବିଶାଳ ଲକ୍ଷ୍ୟରେ ଛିଡ଼ା କରାଇବାରେ ସକ୍ଷମ ହୋଇଥିଲେ ।
ପାକିସ୍ତାନ ବୋଲିଂ: ପାକିସ୍ତାନ ପକ୍ଷରୁ ଆଜି ପ୍ରାୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ମହମ୍ମଦ ୱାସିମ (ଜୁନିୟର) ଦଳ ପାଇଁ ସର୍ବାଧିକ ୩ଟି ୱିକେଟ୍ ନେଇଛନ୍ତି । ତାଙ୍କ ପଛକୁ ହାସନ୍ ଅଲ୍ଲୀ, ଇଫ୍ତିକାର୍ ଅହମ୍ମଦ ଓ ହାରିଶ ରୌଫ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ଶାହୀନ୍ ଆଫ୍ରିଦି ଆଜିର ମ୍ୟାଚ୍ରେ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ । ୧୦ ଓଭର ବୋଲିଂ କରି ସେ ୯୦ ରନ୍ ଦେଇଥିବାବେଳେ ଗୋଟିଏ ବି ସଫଳତା ପାଇନାହାନ୍ତି ଶାହୀନ୍ ଆଫ୍ରିଦି ।