କୋଲକାତା:ଆଇସିସି ଦିନିକିଆ କ୍ରିକେଟ୍ ବିଶ୍ବକପରେ ଆଜି 31ତମ ଲିଗ୍ ମ୍ୟାଚ୍ ଖେଳାଯିବ । ଏଥିରେ ପାକିସ୍ତାନ ଓ ବାଂଲାଦେଶ ପରସ୍ପରକୁ ଭେଟିବେ । ବିଶ୍ବକପ୍ ସେମିଫାଇନାଲରୁ ପାକିସ୍ତାନ ଓ ବାଂଲାଦେଶ ପ୍ରାୟ ବିଦା ହୋଇ ସାରିଛନ୍ତି । ବାବରବାହିନୀ ଏବେ ଜଟିଳ ପରିସ୍ଥିତିରେ ରହିଛି । ଦଳ 6ଟି ମ୍ୟାଚରୁ ମାତ୍ର 2ଟି ଜିତିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ 1 ୱିକେଟର ପରାସ୍ତ ହୋଇଥିଲା । ଆଜି ବାଂଲାଦେଶକୁ ହରାଇବାକୁ ଲକ୍ଷ୍ଯ ରଖିଛି । ବାଂଲାଦେଶ ମଧ୍ୟ ଏକପ୍ରକାର ସେମି ଦୌଡରୁ ବାଦ ପଡିଛି । ଉନ୍ନତ ପ୍ରଦର୍ଶନ କରି ପଏଣ୍ଟ ହାସଲ କରିବା ସହ ଚମ୍ପିଆନ୍ସ ଟ୍ରଫିକୁ ଯୋଗ୍ୟତା ଅର୍ଜନ କରିବାକୁ ପ୍ରୟାସ କରିବ ଦଳ ।
ବାଂଲାଦେଶ ବନାମ ପାକିସ୍ତାନ:ପାକିସ୍ତାନ 6ଟି ମ୍ୟାଚ୍ରୁ 2ଟିରେ ବିଜୟ ହାସଲ କରିଛି । 4 ପଏଣ୍ଟ୍ ସହ ତାଲିକାର ସପ୍ତମ ସ୍ଥାନରେ ରହିଛି । ସେମି ଦୌଡ଼ରେ ରହିବାକୁ ହେଲେ ଦଳକୁ ଶେଷ 3ଟି ମ୍ୟାଚ୍ ଜିତିବାକୁ ହେବ । ସେହିପରି ବାଂଲାଦେଶ 2 ପଏଣ୍ଟ ସହ ନବମ ସ୍ଥାନରେ ରହିଛି । ଆଜି ଦଳ ପାକିସ୍ତାନକୁ ହରାଇବାକୁ ପ୍ରୟାସ କରିବ । ପାକିସ୍ତାନକୁ ହରାଇବାକୁ ହେଲେ ଦଳକୁ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାକୁ ପଡିବ । ଏସିଆ କପ୍ ସୁପର 4 ରାଉଣ୍ଡରେ ପାକିସ୍ତାନ ବାଂଲାଦେଶକୁ 7 ୱିକେଟରେ ପରାସ୍ତ କରିଥିଲା । 2019 ବିଶ୍ବକପରେ ବାଂଲାଦେଶକୁ ବାବରବାହିନୀ 94ରନରେ ପରାସ୍ତ କରିଥିଲା । ଆଜି ବାଂଲାଦେଶ ପାକିସ୍ତାନକୁ ହରାଇ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ।