ଓଡିଶା

odisha

ETV Bharat / sports

Cricket World Cup 2023: ଚେନ୍ନାଇରେ ଆଫଗାନିସ୍ତାନ-ପାକିସ୍ତାନ ଲଢ଼େଇ, ପାକ୍‌ ବ୍ୟାଟରଙ୍କୁ ସ୍ପିନ୍‌ ଚ୍ୟାଲେଞ୍ଜ - ବିଶ୍ବକପ୍‌ ୨୦୨୩

ବିଶ୍ବକପ୍‌ ୨୦୨୩ରେ ସୋମବାର ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ଆଫଗାନିସ୍ତାନ । ପାକିସ୍ତାନ ଭାରତ ଓ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ବିଜୟ ଟ୍ରାକ୍‌କୁ ଫେରିବାକୁ ଯଥା ସମ୍ଭବ ଚେଷ୍ଟା କରିବ । ହେଲେ ଆଫଗାନିସ୍ତାନ ସ୍ପିନ୍‌ ଶକ୍ତି ପାକ୍‌ ବ୍ୟାଟରଙ୍କ ପାଇଁ ରହିବ ବଡ଼ ଚ୍ୟାଲେଞ୍ଜ । ଅଧିକ ପଢ଼ନ୍ତୁ

ଚେନ୍ନାଇରେ ଆଫଗାନିସ୍ତାନ-ପାକିସ୍ତାନ ଲଢ଼େଇ
ଚେନ୍ନାଇରେ ଆଫଗାନିସ୍ତାନ-ପାକିସ୍ତାନ ଲଢ଼େଇ

By ETV Bharat Odisha Team

Published : Oct 22, 2023, 7:38 PM IST

ଚେନ୍ନାଇ: ବିଶ୍ବକପ୍‌ ୨୦୨୩ ଭାରତ ଠାରୁ ମ୍ୟାଚ୍‌ ହାରିବା ପରେ ଆଉ ବିଜୟ ଟ୍ରାକ୍‌କୁ ଫେରିପାରୁନି ପାକିସ୍ତାନ । ପ୍ରଥମେ କ୍ରମାଗତ ଦୁଇ ଦୁଇଟି ମ୍ୟାଚ୍‌ ଜିତି ଦମଦାର ଆରମ୍ଭ କରିଥିଲା ପାକ୍‌ ଦଳ । ହେଲେ ଭାରତ ବିପକ୍ଷରେ ୭ ୱିକେଟ୍‌ରେ ହାରିବା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଶୋଚନୀୟ ଭାବେ ପରାସ୍ତ ହୋଇଥିଲେ ବାବର ସେନା । ତେବେ ପରବର୍ତ୍ତୀ ମୁକାବିଲାରେ ସୋମବାର ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଆଫଗାନିସ୍ତାନକୁ ଭେଟିବ ପାକିସ୍ତାନ । ବହୁ ଆଶା ନେଇ ବିଶ୍ବକପ୍‌କୁ ଆସିଥିବା ପାକିସ୍ତାନ ଦଳ ଏହାର ଯୋଜନାକୁ ସଠିକ ଭାବେ ପରିଚାଳନା କରିବାରେ ଅସମର୍ଥ ହୋଇଛି । ତେହେ ଏହି ମ୍ୟାଚ୍‌ରେ ଏହାର ପରାଜୟ ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିବ ପାକିସ୍ତାନ । ହେଲେ ଆଫଗାନିସ୍ତାନ ସ୍ପିନ୍‌ ଆଟାକ୍‌ ଆଗରେ ମ୍ୟାଚ୍‌ ଜିତିବା ଏତେ ସହଜ ହୋଇନପାରେ ।

ଦୁର୍ବଳ ବ୍ୟାଟିଂ ବିଭାଗ: ପାକିସ୍ତାନ ଅଧିନାୟକ ତଥା ଦଳର ଷ୍ଟାର ବ୍ୟାଟର ବାବର ଆଜମଙ୍କ ବ୍ୟାଟ୍‌ ଏହି ବିଶ୍ବକପ୍‌ରେ ଏତେ ଚାଲିନାହିଁ । ପାକିସ୍ତାନ ଖେଳିଥିବା ୪ଟି ମ୍ୟାଚ୍‌ ଉପରେ ନଜର ପକାଇଲେ କେବଳ ଭାରତ ବିପକ୍ଷ ମ୍ୟାଚ୍‌ରେ ଅର୍ଦ୍ଧଶତକୀୟ ପାଳି ଖେଳିବାରେ ସମର୍ଥ ହୋଇଥିଲେ ବାବର । ଅନ୍ୟପଟେ ନିଜ ଦଳ ପାଇଁ ଏହି ବିଶ୍ବକପ୍‌ରେ ସର୍ବାଧିକ ସ୍କୋର କରିଛନ୍ତି ଅନ୍ୟତମ ଷ୍ଟାର ବ୍ୟାଟର ମହମ୍ମଦ ରିଜ୍‌ୱାନ୍‌ । ସେ ପାକିସ୍ତାନ ପକ୍ଷରୁ ସର୍ବାଧିକ ୨୯୪ ରନ ସଂଗ୍ରହ କରିଛନ୍ତି । ହେଲେ ତାଙ୍କୁ ଅନ୍ୟ କୌଣସି ବ୍ୟାଟରଙ୍କ ସାଥ୍‌ ମିଳୁନାହିଁ । ଇଫ୍‌ତିଖାର ଅହମ୍ମଦ ଓ ସାଉଦ ଶକୀଲ ମଧ୍ୟକ୍ରମରେ ନିଜର ଭୂମିକା ସଠିକ ଭାବେ ତୁଲାଇ ନାହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ରୋହିତ-ଆୟରଙ୍କ ଦମଦାର ପାଳି, ୭ ୱିକେଟ୍‌ରେ ପାକ୍‌ ବିଜୟ କଲା ଭାରତ

ବୋଲିଂ ୟୁନିଟ୍‌ ବିଫଳ: ଦଳର ଷ୍ଟାର ପେସର ଶାହୀନ ଆଫ୍ରିଦି ଗତ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ ୱିକେଟ୍‌ ସଫଳତା ପାଇଥିଲେ । ହେଲେ ଅନ୍ୟତମ ଦ୍ରୁତ ବୋଲର ହାରିଶ ରୌଫ ଓ ହାସନ ଅଲି ପ୍ରତିପକ୍ଷ ବ୍ୟାଟରଙ୍କ ପାଇଁ ଏତେଟା ଘାତକ ସାବ୍ୟସ୍ତ ହୋଇପାରିନାହାନ୍ତି । ସେହିଭଳି ସ୍ପିନରମାନେ ମଧ୍ୟ ୱିକେଟ୍‌ ନେବାରେ ବିଫଳ ହୋଇଛନ୍ତି । ଏପରିକି ସ୍ପିନ୍‌ ବିଭାଗରୁ ବହୁ ମାତ୍ରାରେ ରନ୍‌ ମଧ୍ୟ ବ୍ୟୟ ହେବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ କୌଣସି ବି ପରିସ୍ଥିତିରେ ଦଳ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ଜିତିବାକୁ ଚାହିଁବ । କାରଣ ଏହି ପରାଜୟ ହୁଏତ ଦଳର ସେମିଫାଇନାଲ୍‌ ସମ୍ଭାବନାରେ ବାଧା ସୃଷ୍ଟି କରିବ ।

ଆଫଗାନିସ୍ତାନ ବୋଲର ସଫଳ, ବ୍ୟାଟର ବିଫଳ: ଆଫଗାନିସ୍ତାନ ଦଳକୁ ଦେଖିଲେ ସ୍ପିନ୍‌ ବିଭାଗ ଦଳର ବଡ଼ ଶକ୍ତି ଭାବେ ବିଚାର କରାଯାଏ । ରସିଦ ଖାନ, ମହମ୍ମଦ ନବୀ ଓ ମୁଜିବୁର ରେହମାନଙ୍କ ଭଳି ସ୍ପିନର ଦଳର ସ୍ପିନ୍‌ ବିଭାଗକୁ ମଜଭୁତ କରିଛନ୍ତି । ଭାରତୀୟ ପିଚ୍‌ ସ୍ପିନ୍‌କୁ ସୁହାଉଥିବାରୁ ଏହି ୩ ବୋଲର ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ସଫଳତା ନିର୍ଣ୍ଣୟ କରିବାର ସମ୍ଭାବନା ରହିଛି । ହେଲେ ରେହମାନୁଲ୍ଲା ଗୁରବାଜଙ୍କ ବ୍ୟତୀତ ଦଳର ଅନ୍ୟ କୌଣସି ବ୍ୟାଟର ସ୍ଥିର ପ୍ରଦର୍ଶନ ଦେବାରେ ଅସମର୍ଥ ରହିଛନ୍ତି, ଯାହା ଦଳ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି । ଇକ୍ରାମ ଅଲିଖିଲ, ଆଜମତୁଲ୍ଲା ଓମରଜାଇ ଓ ଅଧିନାୟକ ହସମତୁଲ୍ଲା ଶାହିଦି ଏହି ବିଶ୍ବକପ୍‌ରେ ଯଦିଓ କିଛି ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଛନ୍ତି, ହେଲେ ସେମାନଙ୍କୁ ସ୍ଥିର ପ୍ରଦର୍ଶନ ଦେବାକୁ ହେବ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ୩୦୫ରେ ଅଟକିଲା ପାକିସ୍ତାନ, ଅଷ୍ଟ୍ରେଲିଆର ବିଜୟଧାରା ଜାରି

ଆଫଗାନିସ୍ତାନ ସ୍କ୍ବାଡ୍‌: ହସମତୁଲ୍ଲା ଶାହିଦି (ଅଧିନାୟକ), ରେହମାନୁଲ୍ଲା ଗୁରବାଜ (ୱିକେଟ୍‌ କିପର), ଇବ୍ରାହିମ ଜଦ୍ରାନ, ରିଆଜ୍‌ ହାସନ, ରେହମତ ଶାହ, ନଜିବୁଲ୍ଲା ଜଦ୍ରାନ, ମହମ୍ମଦ ନବୀ, ଇକ୍ରାମ ଅଲିଖିଲ (ୱିକେଟ୍‌ କିପର), ଆଜମତୁଲ୍ଲା ଓମରଜାଇ, ରସିଦ ଖାନ, ମୁଜିବୁର ରେହମାନ, ନୁର ଅହମ୍ମଦ, ଫଜଲହକ୍‌ ଫାରୁକୀ, ଅବ୍‌ଦୁଲ ରେହମାନ୍‌ ଓ ନବୀନ ଉଲ୍‌ ହକ୍‌

ପାକିସ୍ତାନ ସ୍କ୍ବାଡ୍‌: ବାବର ଆଜମ (ଅଧିନାୟକ), ଶଦାବ ଖାନ, ଫଖର ଜମାନ, ଇମାମ୍‌-ଉଲ୍‌-ହକ୍‌, ଅବ୍‌ଦୁଲ୍ଲା ସେଫିକ୍‌, ମହମ୍ମଦ ରିଜ୍‌ୱାନ୍‌ (ୱିକେଟ୍‌ କିପର), ସାଉଦ୍‌ ଶକୀଲ, ଇଫ୍‌ତିଖାର ଅହମ୍ମଦ, ସଲ୍‌ମାନ୍‌ ଅଲି ଆଘା, ମହମ୍ମଦ ନୱାଜ୍‌,‌ ଉସାମା ମୀର, ହାରିଶ ରୌଫ, ହାସନ ଅଲି, ଶାହୀନ ଆଫ୍ରିଦି ଓ ମହମ୍ମଦ ୱାସିମ୍‌

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details