ଚେନ୍ନାଇ: ବିଶ୍ବକପ୍ ୨୦୨୩ରେ ଡିଫେଣ୍ଡିଂ ଚମ୍ପିଆନ୍ ଇଂଲଣ୍ଡକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିବା ଆଫଗାନିସ୍ତାନ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦଳର ହାତ ଗଣତି କିଛି ବ୍ୟାଟରଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିବାକୁ ମଧ୍ୟ ସକ୍ଷମ ହୋଇନଥିଲେ । ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୨୮୮ ରନ କରିଥିଲା ନ୍ୟୁଜିଲାଣ୍ଡ । ଜବାବରେ ୩୪.୪ ଓଭରରେ ୧୩୯ ରନ କରି ସମସ୍ତ ୱିକେଟ୍ ହରାଇଛି ଆଫଗାନିସ୍ତାନ । ଫଳରେ ୧୪୯ ରନରେ ବଡ଼ ବିଜୟ ହାସଲ କରିଛି କିୱି ଦଳ । ଚଳିତ ବିଶ୍ବକପ୍ରେ ଏହା ନ୍ୟୁଜିଲାଣ୍ଡର କ୍ରମାଗତ ଚତୁର୍ଥ ବିଜୟ ହୋଇଥିବାବେଳେ ପଏଣ୍ଟ୍ସ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି ନ୍ୟୁଜିଲାଣ୍ଡ ।
ନ୍ୟୁଜିଲାଣ୍ଡ ବ୍ୟାଟିଂ: ଆଜି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଆଫଗାନିସ୍ତାନ । ବଡ଼ ସ୍କୋର ଲକ୍ଷ୍ୟରେ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ଦଳୀୟ ସ୍କୋର ୩୦ ରନ ହୋଇଥିବା ବେଳେ ପ୍ରଥମ ୱିକେଟ ହରାଇଥିଲା । ୨୦ ରନ କରି ପ୍ୟାଭିଲିୟନ ଫେରିଥିଲେ ଡେଭନ କନୱେ । ଏହାପରେ ଅନ୍ୟତମ ଓପନର ୱିଲ ୟଙ୍ଗ୍ଙ୍କ ସହ ମିଶି ଦଳୀୟ ସ୍କୋରବୋର୍ଡକୁ ଗତି ଦେଇଥିଲେ ରଚିନ ରବୀନ୍ଦ୍ର । ହେଲେ ସେ କେବଳ ୩୨ ରନ କରିବାରେ ସକ୍ଷମ ହୋଇଥିଲେ । ଏହି ସମୟରେ କ୍ରମାଗତ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ନ୍ୟୁଜିଲାଣ୍ଡ ।
ରଚିନ ରବୀନ୍ଦ୍ରଙ୍କ ପରେ ୱିଲ୍ ୟଙ୍ଗ୍ ୫୪ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ୍ ହୋଇଥିଲେ । ତୁରନ୍ତ ଡେରାଇଲ୍ ମିଚେଲ୍ ମଧ୍ୟ ପିଚ୍ ଛାଡ଼ି ପ୍ୟାଭିଲିୟନ ଅଭିମୁଖେ ବାହାରିଥିଲେ । ଏହାପରେ ଦଳକୁ ସଙ୍କଟ ସ୍ଥିତିରୁ ବାହାର କରିଥିଲେ ଅଧିନାୟକ ଟମ୍ ଲାଥମ ଓ ଗ୍ଲେନ ଫିଲିପ୍ସ । ଉଭୟଙ୍କ ଶତକୀୟ ଭାଗିଦାରୀ ବଳରେ ଦଳ ସଙ୍କଟ ସ୍ଥିତିରୁ ବାହାରି ବଡ଼ ସ୍କୋର ଆଡ଼କୁ ଯାଇଥିଲା । ଦଳୀୟ ସ୍କୋର ୨୫୦ ପାର ହେବାପରେ କ୍ରମାଗତ ଭାବେ ଟମ୍ ଲାଥମ ଓ ଫିଲିପ୍ସ ଆଉଟ୍ ହୋଇଥିଲେ । ଲାଥମ ୭୪ ବଲରୁ ୬୮ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳି ଆଉଟ୍ ହୋଇଥିବାବେଳେ ୮୦ ବଲରୁ ୭୧ ରନ କରି ଗ୍ଲେନ୍ ଫିଲିପ୍ସ ଆଉଟ୍ ହୋଇଥିଲେ । ମିଚେଲ୍ ସାଣ୍ଟନର ଅପରାଜିତ ୭ ରନ କରିଥିବାବେଳେ ୧୨ ବଲରୁ ବିସ୍ଫୋରକ ୨୫ ରନ କରି ଦଳୀୟ ସ୍କୋରକୁ ୨୮୮ରେ ପହଞ୍ଚାଇଥିଲେ ମାର୍କ ଚାପମ୍ୟାନ୍ ।
ଆଫଗାନିସ୍ତାନ ବୋଲିଂ: ଆଫଗାନିସ୍ତାନ ପକ୍ଷରୁ ନବୀନ ଉଲ୍ ହକ୍ ଓ ଆଜମତୁଲ୍ଲା ଓମରଜାଇ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଉଭୟ ଯଥାକ୍ରମେ ୪୮ ଓ ୫୬ ରନ ବ୍ୟୟ ମଧ୍ୟ କରିଥିଲେ । ଗତ ମ୍ୟାଚ୍ରେ ଦଳ ପାଇଁ ହିରୋ ସାଜିଥିବା ମୁଜିବୁର ରେହମାନ ଓ ରସିଦ ଖାନ୍ଙ୍କୁ ଏଥର ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ତେବେ ଗତ ମ୍ୟାଚ୍ରେ ଡିଫେଣ୍ଡିଂ ଚମ୍ପିଆନ୍ ଇଂଲଣ୍ଡ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ୨୮୪ ରନ କରିଥିବା ଦଳକୁ ଆଜି ମ୍ୟାଚ୍ରେ ୨୮୯ ରନ ଟାର୍ଗେଟ ମିଳିଥିଲା ।