ଧର୍ମଶାଳା: ବିଶ୍ବକପ୍ ୨୦୨୩ରେ ୪ଟି ମ୍ୟାଚ୍ ଖେଳି କ୍ରମାଗତ ୪ଟି ବିଜୟ ପରେ ରବିବାର ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ଅନ୍ୟପଟେ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ୪ଟି ମ୍ୟାଚ୍ ଖେଳି ଏହି ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଅପରାଜିତ ରହିଛି । ତେବେ ଏହି ହାଇପ୍ରୋଫାଇଲ୍ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆହତ କାରଣରୁ ଏହି ମ୍ୟାଚ୍ରେ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିବା ଏକ ପ୍ରକାର ନିଶ୍ଚିତ ହୋଇଛି । ବାଂଲାଦେଶ ବିପକ୍ଷରେ ନିଜ ବୋଲିଂ ବେଳେ ପାଣ୍ଡ୍ୟାଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ତେବେ ତାଙ୍କ ଅନୁପସ୍ଥିତିରେ କାହାକୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବ ସେନେଇ ଦ୍ବନ୍ଦ୍ବରେ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଓ ଟିମ୍ ମ୍ୟାନେଜ୍ମେଣ୍ଟ । ତେବେ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ସମେତ ଷ୍ଟାର ବ୍ୟାଟର ସୂର୍ଯ୍ୟ କୁମାର ଯାଦବ, ଈଶାନ କିଷାନ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ଭଳି ଏକାଧିକ ବିକଳ୍ପ ରହିଥିବା କହିଛନ୍ତି ହେଡ୍ କୋଚ୍ ରାହୁଲ ଦ୍ରାବିଡ ।
ଧର୍ମଶାଳାରେ ଆୟୋଜିତ ପ୍ରେସ୍ମିଟ୍ରେ ଦ୍ରାବିଡ କହିଛନ୍ତି, "ଈଶାନ କିଷାନ ଜଣେ ଭଲ ବାମହାତି ବ୍ୟାଟର ଓ ଭଲ ଫର୍ମରେ ରହିଛନ୍ତି । ସେହିପରି ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଶଙ୍ଖଳାରେ ବେଶ ଭଲ ଫର୍ମରେ ନଜର ଆସିଥିଲେ । ସେ ସ୍ପିନ୍କୁ ବେଶ ଭଲ ଭାବେ ଖେଳିପାରନ୍ତି । ବାମହାତି ସ୍ପିନ୍ ହେଉ ବା ଅଫ୍ ସ୍ପିନ୍, ବା ଅନ୍ୟ କୌଣସି ପ୍ରକାର ସ୍ପିନ୍, ସୂର୍ଯ୍ୟ କୁମାର ସବୁ ପ୍ରକାର ସ୍ପିନ୍ ଆଟାକ୍କୁ ଭଲ ଭାବେ ଖେଳିବାର କ୍ଷମତା ରଖିଛନ୍ତି । ତେବେ ନିମ୍ନ ମଧ୍ୟକ୍ରମ ପାଇଁ ବ୍ୟାଟର ଦେଖିବାକୁ ଗଲେ ଆମ ପାଇଁ ସୂର୍ଯ୍ୟ କୁମାର ନିଶ୍ଚିତ ଭାବରେ ଭଲ ବିକଳ୍ପ । ହେଲେ ଯଦି ଶୀର୍ଷ ମଧ୍ୟକ୍ରମ ପାଇଁ ଆମେ ଦେଖିବୁ, ତେବେ ହୁଏତ ଆମେ ଈଶାନ କିଷାନଙ୍କୁ ସୁଯୋଗ ଦେବୁ । ତେଣୁ ଆମ ପାଖରେ ଅନେକ ବିକଳ୍ପ ରହିଛି ।"