ଅହମ୍ମଦାବାଦ: ଆଇସିସି ବିଶ୍ବକପ୍ ୨୦୨୩ ଏହାର ଶେଷ ତଥା ସବୁଠାରୁ ବଡ଼ ମ୍ୟାଚ୍ ଅପେକ୍ଷାରେ । ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ଫାଇନାଲ୍ ଫାଇଟ୍ । ତେବେ ଏହି ହାଇ ପ୍ରୋଫାଇଲ୍ ଟୁର୍ଣ୍ଣାମେଣ୍ଟ ସରିବାକୁ ଯାଉଥିବାବେଳେ ପିଚ୍ଠାରୁ ଆରମ୍ଭ କରି ପ୍ଲେଇଂ ୧୧, ଏପରିକି ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପର୍ଯ୍ୟନ୍ତ ବିଭିନ୍ନ ଦିଗ ଉପରେ ଆଲୋଚନା ହେଉଛି । ଏହାରି ମଧ୍ୟରେ ଟୁର୍ଣ୍ଣାମେଣ୍ଟରେ ବିଜେତା, ଉପବିଜେତା ତଥା ଅନ୍ୟାନ୍ୟ ଦଳ ପାଇଁ ଧାର୍ଯ୍ୟ ହୋଇଥିବା ପୁରସ୍କାର ରାଶି ସବୁଠାରୁ ବେଶୀ ଚର୍ଚ୍ଚାରେ । କାରଣ ଏଥିପାଇଁ ଆଇସିସି ମୋଟ ୮୨ କୋଟି ଟଙ୍କା ଘୋଷଣା କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲ୍ରେ ହାରିଥିବା ତଥା ଲିଗ୍ ପର୍ଯ୍ୟାୟରୁ ଫେରିଥିବା ଦଳ ଉପରେ ମଧ୍ୟ କୋଟି କୋଟି ଟଙ୍କା ବର୍ଷା ହେବ ।
୫ ଅକ୍ଟୋବରରୁ ଭାରତରେ ଆରମ୍ଭ ହୋଇଥିବା ଏହି ହାଇ ଭୋଲ୍ଟେଜ୍ ଟୁର୍ଣ୍ଣାମେଣ୍ଟରେ ୧୦ ଦଳ ଅଂଶଗ୍ରହଣ କରିଥିଲେ । ଲିଗ୍ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ୯ଟି ଲେଖାଏଁ ମ୍ୟାଚ୍ ଖେଳିଥିଲେ । ଏହି ରାଉଣ୍ଡରେ ବିଜୟୀ ଦଳ ୪୦ ହଜାର ଆମେରିକୀୟ ଡଲାର ଅର୍ଥାତ ପ୍ରତି ମ୍ୟାଚ୍ ଜିତିବା ପାଇଁ ଦଳ ଗୁଡ଼ିକ ପ୍ରାୟ ୩୩.୧୭ ଲକ୍ଷ ଭାରତୀୟ ଟଙ୍କା ପାଇବେ । ପ୍ରତ୍ୟେକ ଦଳକୁ ଏହି ରାଶି ପୃଥକ ଭାବରେ ଦିଆଯିବ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଯେଉଁ ଦଳ ଯେତେ ବେଶୀ ମ୍ୟାଚ୍ ଜିତିଛନ୍ତି, ସେହି ଦଳର ପୁରସ୍କାର ରାଶି ସେମିତି ବୃଦ୍ଧି ପାଇବ । ଯଦି କୌଣସି ଦଳ ୧୦ଟି ମ୍ୟାଚ୍ ଜିତନ୍ତି, ତେବେ ଦଳକୁ ୩.୩୧ କୋଟି ଟଙ୍କା ଦିଆଯିବ ।
ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍ ୨୦୨୩: ତ୍ରୁଟିଶୂନ୍ୟ ପ୍ରଦର୍ଶନ ଦେବ ୩ୟ ବିଶ୍ବକପ୍, ନୂଆ କରିବାକୁ ଚେଷ୍ଟା କଲେ ଫସିବ ଟିମ୍ ଇଣ୍ଡିଆ
ବିଶ୍ବକପ୍ ୨୦୨୩ ସେମିଫାଇନାଲ୍ରେ ଭାରତ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ପ୍ରବେଶ କରିଥିଲେ । ଅର୍ଥାତ ୬ଟି ଦଳ ସେମିଫାଇନାଲରେ ପ୍ରବେଶ କରିପାରି ନଥିଲେ । ସେହି ଦଳ ଗୁଡ଼ିକୁ ୧ ଲକ୍ଷ ଆମେରିକୀୟ ଡଲାର ଅର୍ଥାତ ପ୍ରାୟ ୮୨ ଲକ୍ଷ ଭାରତୀୟ ଟଙ୍କା ପ୍ରଦାନ କରାଯିବ । ଏହା ବ୍ୟତୀତ ସେମିଫାଇନାଲରେ ହାରିଥିବା ଦଳ ଯଥା ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡକୁ ୮ ଲକ୍ଷ ଆମେରିକୀୟ ଡଲାର ଅର୍ଥାତ ପ୍ରାୟ ୬.୬୩ କୋଟି ଲେଖାଏଁ ଭାରତୀୟ ଟଙ୍କା ମିଳିବ ।
ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍ ୨୦୨୩: ଯୁଦ୍ଧ ପୂର୍ବରୁ ଭାରତୀୟ ସେନାପତିଙ୍କ ରଣହୁଙ୍କାର, କହିଲେ କୋଚ୍ ଦ୍ରାବିଡ୍ଙ୍କ ପାଇଁ ଜିତିବୁ ବିଶ୍ବକପ୍
ଫାଇନାଲରେ ରନର୍ସ ଅପ୍ ଦଳ ଉପରେ ମଧ୍ୟ ଟଙ୍କା ବର୍ଷା ହେବ । ରନର୍ ଅପ୍ ଦଳକୁ ୨୦ ଲକ୍ଷ ଡଲାର୍ ଅର୍ଥାତ ୧୬.୫୮ କୋଟି ଭାରତୀୟ ଟଙ୍କା ଦିଆଯିବ । ଚମ୍ପିଆନ୍ ଦଳକୁ ଆଇସିସି ଦ୍ବାରା ୪୦ ଲକ୍ଷ ଡଲାର ପୁରସ୍କାର ରାଶି ପ୍ରଦାନ କରାଯିବ । ଅର୍ଥାତ ବିଜେତା ଦଳ ମୋଟ ୩୩.୧୭ କୋଟି ଟଙ୍କା ପୁରସ୍କାର ପାଇବ । ଏହି ଦୁଇ ଦଳ ମଧ୍ୟ ପ୍ରତ୍ୟେକ ମ୍ୟାଚ୍ ଜିତିବା ପାଇଁ ଅଲଗା ପୁରସ୍କାର ରାଶି ପାଇବେ । ଉଦାହରଣ ସ୍ବରୂପ ଯଦି ଟିମ ଇଣ୍ଡିଆ ବିଶ୍ବ ଚମ୍ପିଆନ୍ ହୁଏ, ତେବେ ୩୩.୧୭ କୋଟି ଟଙ୍କା ପୁରସ୍କାର ରାଶି ସହିତ ଏହା ୧୧ଟି ମ୍ୟାଚ୍ ଜିତିବା ପାଇଁ ପ୍ରତି ମ୍ୟାଚ୍ ପିଛା ୩୩.୧୭ ଲକ୍ଷ ଲେଖାଏଁ ଟଙ୍କା ଅଲଗା ପାଇବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ