ଚେନ୍ନାଇ: କୁହାଯାଏ କ୍ୟାଚ୍ ମିସ୍ ତ ମ୍ୟାଚ୍ ମିସ୍ । ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବିଶ୍ବକପ୍ ୨୦୨୩ରେ ରବିବାର ଭାରତ ଓ ଅଷ୍ଟ୍ରେଲିଆ ଖେଳୁଥିବା ଏମାନଙ୍କର ପ୍ରଥମ ମ୍ୟାଚ୍ରେ । ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ୨୦୦ ରନର ଟାର୍ଗେଟ ଦେଇଥିବାବେଳେ ଭାରତ ଏକଦା ୨ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା । ଏତିକି ବେଳେ ବିରାଟ କୋହଲି ଓ କେଏଲ୍ ରାହୁଲ ପରିସ୍ଥିତିକୁ ସମ୍ଭାଳି ନେଇଥିଲେ ଏବଂ ଅଷ୍ଟ୍ରେଲିଆ ପଞ୍ଝାରୁ ମ୍ୟାଚ୍କୁ ଛଡ଼ାଇ ଆଣିଥିଲେ । ହେଲେ ଏଥିରେ ମିଚେଲ ମାର୍ଶ ବିରାଟ କୋହଲିଙ୍କର ଏକ କ୍ୟାଚ୍ ଛାଡ଼ିଦେଇଥିଲେ ଓ ସେଥିପାଇଁ ଭାରତ ମ୍ୟାଚ୍ ଜିତିଗଲା ବୋଲି କୁହାଯାଉଛି । କାରଣ ଏହାପରେ ବିରାଟ ୮୫ ରନ୍ର ଗୁରୁତ୍ବପୂର୍ଣ୍ଣ ପାଳି ଖେଳି କରି ଆଉଟ୍ ହେବାବେଳକୁ ଦଳକୁ ସଙ୍କଟରୁ ମୁକୁଳାଇ ସାରିଥିଲେ । ଅନ୍ୟପଟେ ରାହୁଲ ଅପରାଜିତ ୯୭ ରନ୍ର ପାଳି ଖେଳି ଶେଷରେ ଛକା ମାରି ବେଶ ଚମତ୍କାର ଢଙ୍ଗରେ ମ୍ୟାଚ୍ ଶେଷ କରିଥିଲେ ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆକୁ ଭାରତୀୟ ବୋଲରମାନେ କେବଳ ୧୯୯ ରନ୍ରେ ଅଟକାଇ ଦେଇଥିଲେ । ଏହାପରେ ୨୦୦ ରନର ପିଛା କରୁଥିବା ଭାରତ କେବଳ ୨ ରନରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ଏହାପରେ ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ ବିରାଟ କୋହଲି ଓ କେଏଲ୍ ରାହୁଲ । କିନ୍ତୁ ଏହାରି ମଧ୍ୟରେ ଦଳୀୟ ସ୍କୋର ୨୦ ଥିବାବେଳେ ବିରାଟ ହାଜଲେଉଡ୍ଙ୍କ ଏକ ବଲରେ ପୁଲ୍ ସଟ୍ ଖେଳିବାକୁ ପ୍ରୟାସ କରିଥିଲେ, ଯାହା ଲେଗ୍ ପଏଣ୍ଟ ପାଖରେ ସର୍କଲ ଭିତରେ ହିଁ ଉପରକୁ କ୍ୟାଚ୍ ଉଠିଯାଇଥିଲା । ଏହି ସମୟରେ ମିଚେଲ ମାର୍ଶ କ୍ୟାଚ୍ ଧରିବାକୁ ଦୌଡ଼ି ଆସିଥିଲେ ଏବଂ ବଲ୍ ପାଖରେ ପହଞ୍ଚି ମଧ୍ୟ ଯାଇଥିଲେ । ହେଲେ ସେ ଏହାକୁ ଧରିବାରେ ଅସମର୍ଥ ହୋଇଥିଲେ । ଯଦି ସେ ଏହି କ୍ୟାଚ୍ ଧରି ପକାଇ ଥାଆନ୍ତେ, ତେବେ ଭାରତ ୨୦ ରନରେ ୪ ୱିକେଟ ହରାଇ ଆହୁରି ସଙ୍କଟରେ ପଡ଼ିଥାଆନ୍ତା ଏବଂ ଭାରତ ସେହି ସମୟରେ ନିଜର ବଡ଼ ୱିକେଟ୍ ହରାଇ ପରାଜୟ ଆଡ଼କୁ ଗତି କରିଥାନ୍ତା । ଫଳରେ ମ୍ୟାଚ୍ର ମୋଡ ମଧ୍ୟ ଅଷ୍ଟ୍ରେଲିଆ ସପକ୍ଷରେ ରହିଥାଆନ୍ତା ।