ଅହମ୍ମଦାବାଦ: ଅକ୍ଟୋବର 5 ତାରିଖରୁ 13ତମ କ୍ରିକେଟ ବିଶ୍ବକପ ଆରମ୍ଭ ହୋଇଛି । ହେଲେ କ୍ରିକେଟ ପ୍ରେମୀ ଯେଉଁ ମ୍ୟାଚକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ତାହା ହେଉଛି ଭାରତ ପାକିସ୍ତାନ ମୁକାବିଲା । ରାତି ପାହିଲେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲ୍ଟେଜ ମୁକାବିଲା ଖେଳାଯିବ । ଅହମ୍ମଦାବାଦର 1, 32,000 ଦର୍ଶକ କ୍ଷମତା ଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍ ହେବ । ଏହା ଚଳିତ ବିଶ୍ବକପର 12ତମ ଏହା ମ୍ୟାଚ୍ । ଏ ନେଇ ଭାରତୀୟ କ୍ରିକେଟ ଟିମ୍ ଅହମ୍ମଦାବାଦରେ ପହଞ୍ଚିଛି ।
ଭାରତ ପଲ୍ଲା ଭାରି:ପାକିସ୍ତାନ ବିପକ୍ଷ ମୁକାବିଲା ପାଇଁ ମେନ୍ ଇନ୍ ବ୍ଲୁ' ଅହମ୍ମଦାବାଦରେ ପହଞ୍ଚିଛି । ପୂର୍ବରୁ ଶୁଭମନ ଗିଲ ମଧ୍ୟ ନେଟ୍ରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା । ତେବେ ସେ ପାକିସ୍ତାନ ବିପକ୍ଷରେ ଖେଳିବେ ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ରିପୋର୍ଟ ଅନୁସାରେ ପାକିସ୍ତାନ ବିପକ୍ଷରେ ଭାରତ ପଲ୍ଲା ଭାରି ରହିଛି । ଶେଷ 7ଟି ବିଶ୍ବକପ ମ୍ୟାଚରେ ଭାରତ ବାଜିମାତ କରିଛି । ପାକିସ୍ତାନ ଗୋଟିଏ ବି ମ୍ୟାଚ୍ ଜିତି ନାହିଁ । ଆସନ୍ତାକାଲି ହେବାକୁ ଥିବା ମ୍ୟାଚରେ ଭାରତ ପାକିସ୍ତାନକୁ ପରାସ୍ତ କରି ପରମ୍ପରା ବଜାୟ ରଖିବାକୁ ଯୋଜନା କରିଛି ।
ନିୟୋଜିତ ହେବେ 11,000 ସୁରକ୍ଷାକର୍ମୀ : ଭାରତ ପାକିସ୍ତାନ ହାଇପ୍ରୋଫାଇଲ କ୍ରିକେଟ ମ୍ୟାଚକୁ ବିଶ୍ବବ୍ୟାପୀ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । 1 ଲକ୍ଷ 32 ହଜାର ଦର୍ଶକ କ୍ଷମତା ବିଶିଷ୍ଟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ନିରାପତ୍ତା ବ୍ୟବସ୍ଥା ପାଇଁ 11 ହଜାର ସୁରକ୍ଷାକର୍ମୀ ନିୟୋଜିତ ହେବେ । 7 ହାଜର ପୋଲିସ କର୍ମୀ ଓ 4 ହଜାର ହୋମଗାର୍ଡଙ୍କୁ ନିୟୋଜିତ କରାଯିବ । ଖେଳାଳି, ଭିଭିଆଇପି ଓ ଦର୍ଶକଙ୍କ ସୁରକ୍ଷା ପାଇଁ ଏସଆରପିଏଫସ ଆଫଏଏଫ ଓ ଏନଏସଜିଙ୍କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି ।