ଧର୍ମଶାଳା: ସବୁଠୁ ବଡ କ୍ରିକେଟ ମହାକୁମ୍ଭ ବିଶ୍ବକପ 2203ରେ ଆଜି 21 ତମ ଲିଗ୍ ମ୍ୟାଚ ଖେଳାଯିବ । ଏଯାବତ ଅପରାଜେୟ ଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଧର୍ମଶାଳାରେ କଡ଼ା ଟକ୍କର ହେବ । କିଏ ମାରିବ ବାଜି କାହାର ବିଜୟରଥରେ ଲାଗିବ ବ୍ରେକ ତାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ରହିଛି । ଦୁଇ ଦଳ ଏଯାବତ 4ଟି ଲେଖାଏଁ ମ୍ୟାଚ ଖେଳି ବିଜୟୀ ହୋଇଛନ୍ତି । ରନ୍ ରେଟ୍ରେ ଭାରତ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ନ୍ୟୁଜିଲାଣ୍ଡ ଟେବୁଲ ଟପ୍ରେ ରହିଛି । ଆଜି ନ୍ୟୁଜିଲାଣ୍ଡକୁ ହରାଇ ଟେବୁଲର ଶୀର୍ଷକୁ ଉଠିବାକୁ ପ୍ରୟାସ କରିବ ରୋହିତ ସେନା । ଏହା ସହିତ ନ୍ୟୁଜିଲାଣ୍ଡକୁ ପରାସ୍ତ କରି କ୍ରମାଗତ ପଞ୍ଚମ ବିଜୟ ଲକ୍ଷ୍ୟରେ ରହିଛି ମ୍ୟାନ୍ ଇନ୍ ବ୍ଲ୍ୟୁ । ବିଶ୍ବକପ 2023ରେ ଏଯାବତ ଶକ୍ତିଶାଳୀ ସାବ୍ୟସ୍ତ ହୋଇଥିବା ଦୁଇ ଦଳ ମଧ୍ୟରେ ଆଜି ଶକ୍ତି ପରୀକ୍ଷା ହେବ ।
ଶୀର୍ଷ ସ୍ଥାନ ପାଇଁ ହେବ ଫାଇଟ:ଭାରତ ଏଯାବତ 4ଟି ମ୍ୟାଚ୍ ଖେଳି ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ଘରୋଇ ଦଳ ଭାରତ ଆଜି ନ୍ୟୁଜିଲାଣ୍ଡକୁ ହରାଇ ଶୀର୍ଷ ସ୍ଥାନ କବଜା କରିବାକୁ ପ୍ରୟାସ କରିବ । 2019 ବିଶ୍ବକପ ସେମିରେ ଦୁଇ ଦଳ ପରସ୍ପରକୁ ଭେଟିଥିଲେ । ଏଥିରେ ନ୍ୟୁଜିଲାଣ୍ଡ ଭାରତକୁ ପରାସ୍ତ କରିଥିଲା । ଭାରତ ସେହି ପରାଜୟକୁ ଭୁଲି ନାହିଁ । 4 ବର୍ଷ ପୂର୍ବ ସେହି ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ରୋହିତ ସେନା । ଏହା ସହିତ ନ୍ୟୁଜିଲାଣ୍ଡକୁ ହରାଇ ଶୀର୍ଷ ସ୍ଥାନ ହାସଲ ସହି ଲାଗାତାର ପଞ୍ଚମ ବିଜୟ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ବ୍ୟାଟଂ ବିଭାଗରେ ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ ଫର୍ମରେ ଅଛନ୍ତି । ଆଜି ତାଙ୍କ ନିକଟରୁ ସଫଳ ଇନିଂସ ଆଶା କରାଯାଉଛି । ସେହିପରି ବୋଲିଂରେ ବୁମରା, କୁଳଦୀପ ଓ ଜାଡେଜା ନ୍ୟୁଜିଲାଣ୍ଡ ବ୍ୟାଟରଙ୍କୁ ଘାଇଲା କରିବାକୁ ପ୍ରସ୍ତୁତ ଅଛନ୍ତି । 2019 ବିଶ୍ବକପ ସେମିରେ ଭାରତ କରିଥିବା ତ୍ରୁଟିକୁ ସୁଧାରି ମୈଦାନକୁ ଓହ୍ଲାଇବ ଭାରତ । ଏକାଦଶରେ ପରିବର୍ତ୍ତନ ଏକପ୍ରକାର ନିଶ୍ଚିନ୍ତ ।
ପାଣ୍ଡ୍ୟାଙ୍କ ସ୍ଥାନରେ କାହାକୁ ମିଳିବ ସୁଯୋଗ:ବାଂଲାଦେଶ ବିପକ୍ଷ ମ୍ୟାଚରେ ବୋଲଂ କରୁଥିବାବେଳେ ଉପଅଧିନାୟକ ତଥା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ । ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ପାଣ୍ଡ୍ୟା ଖେଳିବେ ନାହିଁ । ତାଙ୍କ ସ୍ଥାନରେ କାହାକୁ ଚୂଡାନ୍ତ ଏକାଦଶରେ ସାମିଲ କରାଯିବା ତାହାକୁ ନେଇ ଚିନ୍ତାରେ ଭାରତ । ବୋଲିଂ ବିଭାଗରେ ସାର୍ଦୁଳ ଠାକୁର ନଚେତ ମହମ୍ମଦ ସାମିଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି । ବୋଲିଂକୁ ଦୃଢ କରିବାକୁ ମହମ୍ମଦ ସାମିଙ୍କୁ ଏକାଦଶରେ ସ୍ଥାନ ମିଳିପାରେ ।
ନ୍ୟୁଜିଲାଣ୍ଡ ଚଳିତ ବିଶ୍ବକପରେ ଶକ୍ତିଶାଳୀ ସାବ୍ୟସ୍ତ ହୋଇଛି । କେନ ୱିଲିୟମସନଙ୍କ ଅନୁପସ୍ଥିତି ପରେ ବି ଦଳ ଖେଳିଥିବା 4ଟି ମ୍ୟାଚରେ ବିଜୟୀ ହୋଇଛି । ପଏଣ୍ଟ ଟେବୁଲ ଟପରେ ରହିଛି ଦଳ । ବର୍ତ୍ତମାନ ସୁଦ୍ଧା ନେତୃତ୍ବ ସମ୍ଭାଳିଥିବା ଟମ ଲାଥମ ଭାରତ ବିପକ୍ଷରେ ସର୍ବଦା ଭଲ ପ୍ରଦର୍ଶନ କରିଛନ୍ତି । ଭାରତ ବିପକ୍ଷରେ 20 ଦିନିକିଆ ଖେଳି 2ଟି ଶତକ ଓ 5ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । କେନ ୱିଲିୟମସନଙ୍କ ଅନୁପସ୍ଥିତି ସତ୍ତ୍ବେ ଦଳ ଭଲ ପ୍ରଦର୍ଶନ କରିଛି । ଆଜି 2019 ବିଶ୍ବକପ ପ୍ରଦର୍ଶନ ଦୋହରାଇ ଚଳିତ ବିଶ୍ବକପରେ ଲଗାତାର ପଞ୍ଚମ ବିଜୟ ହାସଲ ଲକ୍ଷ୍ୟରେ ରହିଛି କିୱି ଦଳ ।