ଚେନ୍ନାଇ:ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ତ ଅକ୍ଟୋବର 5ରୁ ଆରମ୍ଭ ହୋଇଛି । ହେଲେ 140କୋଟି ଭାରତୀୟ ଯେଉଁ ମୂହୁର୍ତ୍ତକୁ ଆପେକ୍ଷା କରିଥିଲେ ତାହା ଆଜି ଆସିଛି । ବିଶ୍ବକପ 2023ରେ ଆଜି ଟିମ ଇଣ୍ଡିଆ ତାର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଆଉ କିଛି ଘଣ୍ଟା ପରେ ଭାରତ ତାର ବିଶ୍ବକପ ଅଭିଯାନ ଆରମ୍ଭ କରିବ । ଦୁଇ ଥର ବିଶ୍ବ ବିଜୟୀ ଭାରତ ଏବଂ 5ଥର ୱାର୍ଲଡ୍କପ୍ ଚମ୍ପିଆନ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ବିଶ୍ବକପର ପଞ୍ଚମ ମୁକାବିଲା ଖେଳାଯିବ । ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିମୟରେ ପୂର୍ବାହ୍ନ 2ଟାରୁ ମ୍ୟାଚ ଆରମ୍ଭ ହେବ । ଘରୋଇ ଦର୍ଶକଙ୍କ ଗହଣରେ କଙ୍ଗାରୁ ଦଳକୁ ମାତ ଦେଇ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତ ।
ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିମୟରୁ ବିଶ୍ବକପ ଟାଇଟଲ ଦୌଡ଼ରେ ସାମିଲ ହେବ ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ 2023ର ପ୍ରଥମ ମ୍ୟାଚ ଖେଳିବ ଭାରତ । ସ୍ବତନ୍ତ୍ର ରଣନୀତି ସହ ସନ୍ତୁଳିତ ଦଳ ନେଇ ମୈଦାନକୁ ଓହ୍ଲାଇବ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତ । ଅଭିଜ୍ଞ ଓ ଯୁବ ପ୍ଲେୟାରଙ୍କୁ ନେଇ କଙ୍ଗାରୁ ବିପକ୍ଷରେ ଶକ୍ତି ଦେଖାଇବ ଭାରତ । ଏସିଆ କପରେ ଦମଦାର ପ୍ରଦର୍ଶନ କରିଥିବା ବିରାଟ କୋହଲି, କେଏଲ ରାହୁଲଙ୍କ ନିକଟରୁ ଆଜି ଏକ ସଫଳ ଇନିଂସ ଆଶା କରାଯାଉଛି । ଭାରତୀୟ ଦଳ ପାଇଁ ବରଦାନ ସାବ୍ୟସ୍ତ ହୋଇପାରନ୍ତି ଅଶ୍ବିନୀ । ଆହତ ଅକ୍ଷରଙ୍କ ସ୍ଥାନରେ ସାମିଲ ହୋଇଥିବା ଅଶ୍ବିନୀ ଆଜିର ମୁବାକିଲା ଖେଳିବେ । ଘରୋଇ ଗ୍ରାଉଣ୍ଡ ହୋଇଥିବାରୁ ଚିପକରେ ଆଜି କମାଲ କରିବେ ଅଶ୍ବିନୀ । ଅନ୍ୟ ସ୍ପିନର ଜାଡେଜା ଓ କୂଳଦୀପ ଯାଦବଙ୍କୁ ମଧ୍ୟ ଏକାଦଶରେ ସ୍ଥାନ ମିଳିବ । ଏସିଆ କପ୍ 2023 ଚମ୍ପିଆନ ଭାରତୀୟ ଦଳ ତାର ପ୍ରଦର୍ଶନ ଦୋହରାଇ ବିଶ୍ବକପରେ ଅପରାଜେୟ ରହିବା ସହିତ ତୃତୀୟ ଥର ଚମ୍ପିଆନ ହେବାକୁ ଲକ୍ଷ୍ୟ ରଖିଛି ।
ଗିଲ୍ ଖେଳିବେ ନା ଖେଳିବେନି ?
ଭାରତୀୟ ଷ୍ଟାର ବ୍ୟାଟର ଶୁଭମନ ଗିଲ ଅସୁସ୍ଥ ଅଛନ୍ତି । ଡେଙ୍ଗୁରେ ଆକ୍ରାନ୍ତ ଥିବାକୁ ସେ ଆଜିର ମୁକାବିଲା ଖେଳି ନପାରନ୍ତି । ଏହା ଭାରତ ପାଇଁ ଚିନ୍ତାର କାରଣ ହୋଇଛି । ଯଦିଓ ସେ ପ୍ରଥମ ମ୍ୟାଚ ଖେଳିବେ ନାହିଁ ବୋଲି ବିଦ୍ଧିବଦ୍ଧ ସୂଚନା ମିଳିନାହିଁ କିନ୍ତୁ ନ ଖେଳିବା ଆଶଙ୍କା ରହିଛି । ଗିଲଙ୍କ ଖେଳିବା ନେଇ ଚିମ ମ୍ୟାନେଜମେଣ୍ଟ ଏଯାଏ କୌଣସି ତାଙ୍କ ସ୍ଥାନରେ ଈଶାନ କିଶନଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିପାରେ । ଶେଷ ମୂହୁର୍ତ୍ତରେ ନିଷ୍ପତ୍ତି ନେବେ ବୋଲି କହି ସାରିଛନ୍ତି କ୍ୟାପଟେନ୍ ରୋହିତ ଶର୍ମା ।
5ଥର ବିଶ୍ବକପ ଚମ୍ପିଆନ ସଫଳ ଦଳ ଅଷ୍ଟ୍ରେଲିଆ ମଧ୍ୟ ଜୋରଦାର ପ୍ରସ୍ତୁତି କରିଛି । ଭାରତକୁ ତାର ଘରୋଇ ମାଟିରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି କଙ୍ଗାରୁ ଦଳ । ଦଳରେ ମଧ୍ୟ ଏକାଧିକ ଆହତ ସମସ୍ୟା ରହିଛି । ପୂର୍ବରୁ ଟ୍ରାଭିସ ହେଡ ଆହତ ଅଛନ୍ତି । ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ମଧ୍ୟ ଆହତ ମାତ୍ର ଦଳ ଯେପରି ସେମାନଙ୍କ ଅନୁପସ୍ଥିତି ଅନୁଭନ ନକରେ ସେନେଇ ପ୍ରସ୍ତୁତ ରହିଛି । ଦଳ ପାଖରେ ଏକାଧିକ ଅଲରାଉଣ୍ଡର ଅଛନ୍ତି । ଷ୍ଟୋଇନିସଙ୍କ ସ୍ଥାନରେ କାମରେନ ଗ୍ରୀନ୍ ଖେଳିବେ । ପୂର୍ବ ରେକର୍ଡକୁ ଦେଖିଲେ ଅଷ୍ଟ୍ରେଲିଆ ପଲ୍ଲା ଭାରି ରହିଛି । ବିଶ୍ବକପରେ ଉଭୟ ଦଳ ପରସ୍ପରକୁ 12 ଥର ଭେଟିଛନ୍ତି । ଅଷ୍ଟ୍ରେଲିଆ 8 ଓ ଭାରତ 4ଟି ମ୍ୟାଚ ଜିତିଛି । ମାତ୍ର ଏବେ ଭାରତ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି । ଘରୋଇ ଗ୍ରାଉଣ୍ଡରେ ଭାରତକୁ ହରାଇବା କଙ୍ଗାରୁ ଦଳ ପାଇଁ କାଠିକର ପାଠ ହେବ ।
ଏହା ବି ପଢନ୍ତୁ...World Cup 2023 IND vs PAK: 14 ହଜାର ଅଧିକ ଟିକେଟ ବିକ୍ରି କରିବ BCCI, ଜାଣନ୍ତୁ କେବେ କିଣିବେ
ପିଚ୍ ରିପୋର୍ଟ: ଚିପକରେ ଟସ ବିଜୟୀ ଦଳ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେବ । ଉଭୟ ବ୍ୟାଟିଂ ଓ ବୋଲିଂରେ ସହୟକ ହେବ ପିଚ । ଏହି ପିଚରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ 6ଟି ଦିନିକିଆ ଜିତିଛନ୍ତି । ଚେପକରେ ଆଜି ଯାଏଁ 7ଟି ବିଶ୍ବକପ ମ୍ୟାଚ ଖେଳାଯାଇଛି । ଅଷ୍ଟ୍ରେଲିଆ ପୂର୍ବରୁ ଏଠି 3ଟି ମ୍ୟାଚ ଖେଳି ବିଜୟୀ ହୋଇଛି । 1987 ବିଶ୍ବକପରେ ଅଷ୍ଟ୍ରେଲିଆ ଏହି ଗ୍ରାଉଣ୍ଡରେ ଉଭୟ ଭାରତ ଓ ଜିମ୍ବାୱେକୁ ହରାଇଥିଲା । 1996 ବିଶ୍ବକପରେ କ୍ବାର୍ଟରରେ ନ୍ୟୁଜିଲାଣ୍ଡକୁ ହରାଇଥିଲା । ଭାରତ 2011 ବିଶ୍ବକପରେ ଏହି ଗ୍ରାଉଣ୍ଡରେ ୱେଷ୍ଟ ଇଣ୍ଡିଜକୁ ଭେଟିଥିଲା । 80 ରନରେ ବିଜୟ ହାସଲ କରିଥିଲା । 2019 ବିଶ୍ବକପରେ ଭାରତ ଅଷ୍ଟ୍ରେଲିଆକୁ 39 ରନରେ ପରାସ୍ତ କରିଥିଲା । ଏହାପରେ ଉଭୟ ପରସ୍ପର ବିପକ୍ଷରେ 12ଟି ଦିନିକିଆ ଖେଳିଛନ୍ତି । ଉଭୟ 6ଟି ଲେଖାଏଁ ବିଜୟ ହାସଲ କରିଛନ୍ତି ।
ଭାରତୀୟ ସାମ୍ଭବ୍ୟ ଦଳ:ରୋହିତ ଶର୍ମା, ଶୁଭମନ ଗିଲ/ଈଶାନ କିଶନ, ବିରାଟ କୋହଲି, ଶ୍ରେୟାସ ଆୟର/ ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ, ଆର ଅଶ୍ବିନୀ, ରବୀନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମରା, କୂଳଦୀବ ଯାଦବ, ମହମ୍ମଦ ସିରାଜ ।
ଅଷ୍ଟ୍ରେଲିଆ ସାମ୍ଭବ୍ୟ ଦଳ: ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଷ୍ଟିଭେନ ସ୍ମିଥ, ମାର୍ନସ ଲାବୁସାନ, କାମରେନ ଗ୍ରୀନ, ଆଲେକ୍ସ କ୍ୟାରୀ, ଗ୍ଲେନ ମ୍ୟାକ୍ସୱେଲ, ମିଚେଲ ଷ୍ଚାର୍କ, ପ୍ୟାଟ କାମିନ୍ସ, ଜୋସ ହାଜେଲଉଡ, ଆଡାମ ଜାମ୍ପା ।