ଧର୍ମଶାଳା: ବିଶ୍ବକପ୍ ୨୦୨୩ରେ ରବିବାର ଖେଳାଯାଉଛି ମହାମୁକାବିଲା । ହିମାଚଳ ପ୍ରଦେଶର ଧର୍ମଶାଳାରେ ବିଗ୍ ଫାଇଟ୍ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନ୍ୟୁଜିଲାଣ୍ଡ । ଉଭୟ ଦଳ କ୍ରମାଗତ ଭାବେ ଚଳିତ ବିଶ୍ବକପରେ ୪ଟି ଲେଖାଏଁ ମ୍ୟାଚ୍ ଖେଳି ବିଜୟଧାରା ଜାରି ରଖିଛନ୍ତି । ଆଜି କାହାର ବିଜୟ ଧାରା ଭାଙ୍ଗୁଛି ଓ କିଏ ଜାରି ରଖୁଛି ତାହା ଉପରେ ସାରା ବିଶ୍ବର ନଜର ରହିଛି । ହେଲେ ଭାରତୀୟ ଦଳରେ ଆହତ ସମସ୍ୟା କାରଣରୁ ଷ୍ଟାର ଅଲରାଉଣ୍ଡର ତଥା ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନାହାନ୍ତି । ତାଙ୍କ ସ୍ଥାନରେ ସୂର୍ଯ୍ୟ କୁମାର ଯାଦବଙ୍କୁ ଦଳରେ ସ୍ଥାନ ମିଳିଛି । ଅନ୍ୟପଟେ ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ସ୍ଥାନ ମିଳିଛି । ତେବେ ଶାମି ଚଳିତ ବିଶ୍ବକପ୍ର ପ୍ରଥମ ମ୍ୟାଚ୍ ଖେଳିବାକୁ ଆସିଥିବାବେଳେ ପ୍ରଥମ ବଲ୍ରେ ହିଁ ୱିଲ ୟଙ୍ଗ୍ଙ୍କୁ ଆଉଟ୍ କରିଛନ୍ତି ।
ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ତଥା ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ । ଏହାପରେ ତାଙ୍କ ବିକଳ୍ପ ନେଇ ଚିନ୍ତାରେ ରହିଥିଲେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଓ ଟିଂମ୍ ମ୍ୟାନେଜମେଣ୍ଟ । ତେବେ ପାଣ୍ଡ୍ୟାଙ୍କ ବିକଳ୍ପ ଭାବେ ଈଶାନ କିଷାନ, ସୂର୍ଯ୍ୟକୁମାର ଯାଦବ, ମହମ୍ମଦ ଶାମି ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ଭଳି ଏକାଧିକ ବିକଳ୍ପ ରହିଥିବା ଦ୍ରାବିଡ କହିଥିଲେ । ହେଲେ ଶନିବାର ସନ୍ଧ୍ୟାରେ ସୂର୍ଯ୍ୟକୁମାର ଓ ଈଶାନ କିଷାନ ଉଭୟ ଆହତ ହୋଇଥିବା ଖବର ଆସିଥିଲା । ହେଲେ ଆଜି ଶେଷ ମୁହୂର୍ତ୍ତରେ ଭାରତ ତାର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଥିଲା । ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଶାମି ଓ ହାର୍ଦ୍ଦିକଙ୍କ ସ୍ଥାନରେ ସୂର୍ଯ୍ୟ କୁମାର ଯାଦବ ଦଳରେ ଖେଳୁଛନ୍ତି । ଚଳିତ ବିଶ୍ବକପ୍ରେ ଶାମି ଓ ସୂର୍ଯ୍ୟକୁମାର ନିଜ ନିଜର ପ୍ରଥମ ମ୍ୟାଚ୍ ଖେଳୁଛନ୍ତି ।