ଓଡିଶା

odisha

ETV Bharat / sports

Cricket World Cup 2023: ଭାରତ ଚମ୍ପିଆନ ହେବାକୁ ନେଇ ବଡ଼ କଥା କହିଲେ ରବି ଶାସ୍ତ୍ରୀ, କହିଲେ ଏଥର ନଜିତିଲେ...

ବିଶ୍ବକପ୍‌ ୨୦୨୩ରେ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଛି । ବ୍ୟାଟର ଓ ବୋଲରଙ୍କ ଏଭଳି ପ୍ରଦର୍ଶନ ସତ୍ତ୍ବେ ଯଦି ଏଥର ଦଳ ଚମ୍ପିଆନ୍‌ ନହୁଏ, ତେବେ ଏଥିପାଇଁ ଦଳକୁ ଆହୁରି ୩ ବିଶ୍ବକପ୍‌ ସଂସ୍କରଣ ଅପେକ୍ଷା କରିବାକୁ ହେବ ବୋଲି କହିଛନ୍ତି ରବି ଶାସ୍ତ୍ରୀ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Nov 12, 2023, 9:06 PM IST

Ravi Shastri on team India performance
ଭାରତ ଚମ୍ପିଆନ ହେବାକୁ ନେଇ ବଡ଼ କଥା କହିଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ବକପ୍‌ ୨୦୨୩ରେ ଦମଦାର ପ୍ରଦର୍ଶନ ସହ ପଏଣ୍ଟ୍ସ ଟେବୁଲ ଶୀର୍ଷରେ ରହି ଲିଗ୍‌ ପର୍ଯ୍ୟାୟ ଶେଷ କରିବାକୁ ଯାଉଛି ଟିମ୍‌ ଇଣ୍ଡିଆ । ପ୍ରତି ମ୍ୟାଚ୍‌ରେ ଦଳର ସମସ୍ତ ବିଭାଗର ପ୍ରଦର୍ଶନ ସାରା ବିଶ୍ବରେ କ୍ରିକେଟ୍‌ପ୍ରେମୀଙ୍କୁ ପ୍ରଭାବିତ କରିଛି । ଏଥିପାଇଁ ଏଥର ଚମ୍ପିଆନ୍‌ ଦଳ ଭାବେ ସମସ୍ତଙ୍କ ପ୍ରଥମ ପସନ୍ଦ ହେଉଛି ଭାରତ । ଏହାରି ଭିତରେ ଏକ ବଡ଼ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ ଭାରତୀୟ ଖେଳାଳି ତଥା କୋଚ୍‌ ରବି ଶାସ୍ତ୍ରୀ । ଚଳିତ ବିଶ୍ବକପ୍‌ରେ ଚମ୍ପିଆନ ହେବାର ସୁଯୋଗ ହରାଇଲେ ଭାରତକୁ ଏଥିଲାଗି ଆଉ ୩ ବିଶ୍ବକପ୍‌ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି ରବି ଶାସ୍ତ୍ରୀ ।

ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପ ସମୟରେ ଶାସ୍ତ୍ରୀ କହିଛନ୍ତି, "ସାରାଦେଶରେ ଏବେ କ୍ରିକେଟକୁ ନେଇ ଉତ୍କଣ୍ଠା ଚରମସୀମାରେ । ୧୨ ବର୍ଷ ପୂର୍ବରୁ ଭାରତ ବିଶ୍ବକପ୍‌ ଟାଇଟଲ ଜିତିଥିଲା । ଏଥର ପୁଣିଥରେ ତାହାକୁ ଦୋହରାଇବା ପାଇଁ ଦଳ ପାଖରେ ସୁଯୋଗ ରହିଛି । ଏବେ ଟିମ୍‌ର ପ୍ରଦର୍ଶନ ଦେଖିଲେ ଲାଗୁଛି ଟୁର୍ଣ୍ଣାମେଣ୍ଟ ଜିତିବା ପାଇଁ ଏହା ହେଉଛି ସର୍ବଶ୍ରେଷ୍ଠ ସୁଯୋଗ । ଯଦି ଏଥର ଟୁର୍ଣ୍ଣାମେଣ୍ଟ ଜିତିବାରେ ସଫଳ ନହୁଏ, ତେବେ ଚମ୍ପିଆନ ହେବା ପାଇଁ ଆହୁରି ୩ଟି ବିଶ୍ବକପ୍‌ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ । କାରଣ ଏଥର ଦଳର ୭-୮ ଖେଳାଳି ଶେଷ ବିଶ୍ବକପ୍‌ ଖେଳୁଛନ୍ତି ।" ଯେଉଁଭଳି ଭାବେ ସେମାନେ ଖେଳୁଛନ୍ତି ଏବଂ ପରିସ୍ଥିତିର ଅନୁକୂଳତାକୁ ଦେଖି ତାଙ୍କୁ ଏଥର ଚମ୍ପିଆନ୍‌ ହେବା ଉଚିତ ବୋଲି ଶାସ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଭାରତୀୟ ବ୍ୟାଟରଙ୍କୁ ଡରିଲେ ନେଦରଲ୍ୟାଣ୍ଡ ଓପନର ! କହିଲେ ବୋଲର ହୋଇନଥିବାରୁ ଖୁସି

ବ୍ୟାଟରମାନଙ୍କ ପରି ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ବୋଲିଂ ବିଭାଗ ମଧ୍ୟ ବେଶ ଦମଦାର ପ୍ରଦର୍ଶନ ଜାରି ରଖିଛି । ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ ଓ ମହମ୍ମଦ ଶାମିଙ୍କ ପେସ୍‌ ଆଟାକ୍‌ ପ୍ରତିପକ୍ଷ ବ୍ୟାଟରଙ୍କୁ ଧୂଳି ଚଟାଉଥିବାବେଳେ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବଙ୍କ ଭଳି ସ୍ପିନର ମଧ୍ୟ ବଡ଼ ବଡ଼ ବ୍ୟାଟରଙ୍କୁ ନିଜ ଆୟତ୍ତରେ ରଖିବାରେ ସକ୍ଷମ ହୋଇଛନ୍ତି । ବୋଲରମାନଙ୍କ ଏଭଳି ପ୍ରଦର୍ଶନ ନେଇ ରବି ଶାସ୍ତ୍ରୀ କହିଛନ୍ତି, "ଏହା ଅସାଧାରଣ ଏବଂ ଏହା ରାତାରାତି ହୋଇନାହିଁ । ଏଥିପାଇଁ ସେମାନଙ୍କୁ ବହୁତ ସମୟ ଲାଗିଛି । ସେମାନେ ପରସ୍ପର ସହ ୪-୫ ବର୍ଷ ହେବ ଖେଳୁଛନ୍ତି । ସିରାଜ ୩ ବର୍ଷ ପୂର୍ବରୁ ସେମାନଙ୍କ ସହ ଯୋଗ ଦେଇଛନ୍ତି । କ୍ରମାଗତ ଭାବରେ କେଉଁ କ୍ଷେତ୍ର ବୋଲିଂ କରିବାକୁ ହେବ ସେମାନେ ଜାଣନ୍ତି । ବୋଲିଂ କରିବାବେଳେ ଚମତ୍କାର ଦେଖାଯିବା ଗୁରୁତ୍ବପୂର୍ଣ୍ଣ ନୁହେଁ, ବରଂ ସଠିକ୍ ଜାଗାରେ ବଲ୍‌ ପକାଇବା ଗୁରୁତ୍ବପୂର୍ଣ୍ଣ । ଏହି ବିଶ୍ବକପ୍‌ରେ ସେମାନେ ବହୁତ ଅଳ୍ପ ସଟ୍‌ ବଲ୍‌ ବୋଲିଂ କରିଛନ୍ତି ଏବଂ ଏହି ସଟ୍‌ ବଲ୍‌ ମଧ୍ୟ ସେମାନଙ୍କ ପାଇଁ ଏକ ଭଲ ଅସ୍ତ୍ର ଭାବରେ ବ୍ୟବହୃତ ହୋଇଛି । ୯୦ ପ୍ରତିଶତ ସମୟ ସେମାନେ ଷ୍ଟମ୍ପକୁ ଟାର୍ଗେଟ କରିଛନ୍ତି ଏବଂ ଏହା ଭାରତୀୟ ପିଚ୍‌ରେ ନିହାତି ଆବଶ୍ୟକ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details