ହାଇଦ୍ରାବାଦ: ଜାରି ରହିଥିବା ଆଇସିସି ବିଶ୍ବକପ୍ ୨୦୨୩ରେ ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ଦମଦାର ପ୍ରଦର୍ଶନ ଜାରି ରଖିଛି । ୪ଟି ମ୍ୟାଚ୍ ଖେଳି ୩ଟିରେ ବିଜୟ ହାସଲ କରିଛି ବାଭୁମାଙ୍କ ଦକ୍ଷିଣ ଆଫ୍ରିକୀୟ ଦଳ । ତେବେ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ରେ ବିପର୍ଯ୍ୟୟର ସମ୍ମୁଖୀନ ହେଇଥିଲେ ମଧ୍ୟ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଦମଦାର ବିଜୟ ହାସଲ କରି ପୁଣି ବିଜୟ ଟ୍ରାକ୍କୁ ଫେରିଛି । ତେବେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପର୍ଯ୍ୟନ୍ତ କ୍ବିଣ୍ଟନ୍ ଡିକକ୍ ଏବଂ ଏଡେନ ମାର୍କ୍ରମ ଦଳ ପାଇଁ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲେ । ହେଲେ ହେନ୍ରିଚ୍ କ୍ଲାସେନ୍ ନିଜକୁ ପ୍ରମାଣିତ କରିପାରିନଥିଲେ । ଯେତେବେଳେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଡିକକ୍ ବିଫଳ ହୋଇଥିଲେ ଏବଂ ମାର୍କ୍ରମଙ୍କ ସହ ଦଳକୁ କ୍ଲାସେନଙ୍କ ଆବଶ୍ୟକତା ଥିଲା, ସେତେବେଳେ ସେ ନିଜର ପ୍ରାଇମ ଫର୍ମ ପ୍ରଦର୍ଶନ କରିଥିଲେ ।
ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ କ୍ଲାସେନ ୧୨ ଚୌକା ଓ ୪ ଛକା ବଳରେ ୧୦୯ ରନର ଧୂଆଁଧାର ପାଳି ଖେଳିଥିଲେ । ଫଳରେ ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୯୯ ରନ କରିଥିଲା । ବିଶ୍ବକପ୍ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଶୃଙ୍ଖଳାରେ ଏକ ୧୭୪ ରନର ଧୂଆଁଧାର ପାଳି ଖେଳିଥିଲେ କ୍ଲାସେନ୍ । ତେବେ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ କ୍ଲାସେନ୍ ୩୦ରୁ କମ ରନ୍ ହାରାହାରିରେ ସ୍କୋର କରିଥିଲେ । ତେବେ ୨୦୨୦ରେ ସେ କେବଳ ୩ଟି ଦିନିକିଆ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇଥିଲେ । ହେଲେ ୨୦୨୩ ଏହି ଷ୍ଟାର ଖେଳାଳିଙ୍କ ପାଇଁ ବେଶ ଶୁଭଙ୍କର ସାବ୍ୟସ୍ତ ହୋଇଛି । ଚଳିତ ବର୍ଷ ଏପର୍ଯ୍ୟନ୍ତ ସେ ୧୪ ଦିନିକିଆ ପାଳି ଖେଳିଥିବାବେଳେ ସେଥିରୁ ୫୫.୭୬ ହାରରେ ୭୨୫ ରନ ସଂଗ୍ରହ କରିବା ସହିତ ସ୍ଥିର ପ୍ରଦର୍ଶନ ଦେଇଆସୁଛନ୍ତି ।