ନୂଆଦିଲ୍ଲୀ: କ୍ରିକେଟ୍ ମହାକୁମ୍ଭ ଆଇସିସି କ୍ରିକେଟ ବିଶ୍ବକପ୍ 2023ରେ ଆଜି (ରବିବାର) 13ତମ୍ ଲିଗ୍ ମ୍ୟାଚ୍ ଖେଳାଯିବ । ଏଥିରେ ଡିଫେଣ୍ଡିଂ ଚମ୍ପିଆନ୍ ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ହେବ । କୋଟାଲାର ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଅପରାହ୍ନ 2ଟା 30ରୁ ଆରମ୍ଭ ହେବ । 2ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ହାସଲ କରିଥିବା ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛି । ସେହିପରି ଖାତା ଖୋଲିବା ଲକ୍ଷ୍ୟରେ ରହିଛି ଆଫଗାନିସ୍ତାନ ।
ଭାରତ ବନାମ ଆଫଗାନିସ୍ତାନ:ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡଠୁ ପରାସ୍ତ ହୋଇଥିଲା ଇଂଲଣ୍ଡ । ଦ୍ବିତୀୟ ମ୍ୟାଚରେ ବାଂଲାଦେଶକୁ ହରାଇ ବିଜୟଖାତା ଖୋଲିଥିଲା ଡିଫେଣ୍ଡିଂ ଚମ୍ପିଆନ । ଆଜି ଆଫଗାନିସ୍ତାନକୁ ହରାଇ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛି ବଟଲର ବାହିନୀ । ଆଫଗାନିସ୍ତାନ ବିପକ୍ଷରେ ଇଂଲଣ୍ଡର ପଲ୍ଲା ଭାରି ରହିଛି । ବିଶ୍ବକପରେ ଦୁଇ ଦଳ ପରସ୍ପରକୁ 2 ଥର ଭେଟିଛନ୍ତି ଇଂଲଣ୍ଡ 2ଟି ଯାକ ମ୍ୟାଚ୍ ଜିତିଛି । 2015ରେ ଇଂଲଣ୍ଡ 9 ୱିକେଟରେ ବାଜି ମାରିଥିଲା । ସେହିପରେ 2019ରେ 150ରେ ବଡ଼ ବିଜୟ ହାସଲ କରିଥିଲା । ଆଜି ମଧ୍ୟ ଆଫଗାନିସ୍ତାନ ବିପକ୍ଷରେ ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି ଦଳ । ଇଂଲଣ୍ଡର ବ୍ୟାଟିଂ ବିଭାଗ ବେଶ ଶକ୍ତିଶାଳୀ । ଏକାଧିକ ଦୁର୍ଦ୍ଧଶ ବ୍ୟାଟର ରହିଛନ୍ତି ।
ସେପଟେ ଆଫଗାନିସ୍ତାନ ତାର 2ଟି ଯାକ ମ୍ୟାଚରେ ପରାସ୍ତ ହୋଇଛି । ପ୍ରଥମ ମ୍ୟାଚରେ ବାଂଲାଦେଶ ଓ ଦ୍ବିତୀୟ ମ୍ୟାଚରେ ଭାରତଠୁ ପରାସ୍ତ ହୋଇଥିଲା । ଆଜି ପ୍ରତ୍ୟାବର୍ତ୍ତନ କରି ଡିଫେଣ୍ଡିଂ ଚମ୍ପିଆନ ବିପକ୍ଷରେ ସମସ୍ତ ଶକ୍ତି ଖଟାଇବାକୁ ପ୍ରୟାସ କରିବ ଦଳ । 2019ରେ ଆଫଗାନିସ୍ତାନ ଗୋଟିଏ ବି ମ୍ୟାଚ୍ ଜିତିନଥିଲା । ଚଳିତ ସଂସ୍କରଣରେ ଦଳ ଏହି ଧାରାକୁ ଭାଙ୍ଗି ବିଜୟଖାତା ଖୋଲିବାକୁ ପ୍ରାୟସ କରିବ । ଏହି ଗ୍ରାଉଣ୍ଡରେ ଦଳ ଭାରତଠୁ ପରାସ୍ତ ହୋଇଥିଲା । ଆଜି ପୂର୍ବ ତ୍ରୁଟିକୁ ସୁଧାରି ଦଳକୁ ମୈଦାନକୁ ଓହ୍ଲାଇବାକୁ ପଡ଼ିବ । ଦଳରେ ଦୁଇ ସ୍ପିନର ରାସିଦ ଖାନ ଓ ମୁଜିବ ଉର ରେହମାନଙ୍କ ପାଖରେ ବିପର୍ଯ୍ୟୟ ଘଟାଇବାର ଦକ୍ଷତା ରହିଛି । ଟସ୍ ବିଜୟୀ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବ ।