ହାଇଦ୍ରାବାଦ: 2019 ବିଶ୍ବକପ ସେମି ଫାଇନାଲରେ ଭାରତ ନ୍ୟୁଜିଲାଣ୍ଡଠୁ ପରାସ୍ତ ହୋଇଥିଲା । ସେହି ପରାଜୟର ପ୍ରତିଶୋଧ 2023ରେ ନେଇଛି ରୋହିତ ସେନା । 2019 ଇଂଲଣ୍ଡରେ ବିଶ୍ବକପର ଦ୍ବାଦଶ ସଂସ୍କରଣରେ ଭାରତ ସେମି ଫାଇନାଲରେ ନ୍ୟୁଜିଲାଣ୍ଡଠୁ ହାରିଥିଲା । ଏହା କ୍ରିକେଟରଙ୍କ ସମେତ ସମଗ୍ର ଭାରତୀୟଙ୍କୁ ନିରାଶ କରିଥିଲା । ଏହି ପରାଜୟ ପରେ ଭାରତୀୟ ଦଳର ଏମଏସ ଧୋନୀ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଋଷବ ପନ୍ତ ଭୋ ଭୋ ହୋଇ କାନ୍ଦିଥିଲେ । ଡ୍ରେସିଂ ରୁମରେ ପିଲାଙ୍କ ପରି କାନ୍ଦିଥିଲେ ବୋଲି ଖୁଲାସା କରିଛନ୍ତି ସେତେବେଳେ ଭାରତୀୟ ଦଳର ବ୍ୟାଟିଂ କୋଚ ଦାୟିତ୍ବରେ ଥିବା ସଞ୍ଜୟ ବାଙ୍ଗର । ଦୀର୍ଘ 4 ବର୍ଷ ପରେ ସେ ଏହ ସଂକ୍ରାନ୍ତରେ ପ୍ରତିକ୍ରିୟା ରଖିଛନ୍ତି ।
ସଞ୍ଜୟ ବାଙ୍ଗର କହିଛନ୍ତି ଏହି ପରାଜୟରେ ଭାରତୀୟ ଦଳ ସବୁ ଖେଳାଳି ମର୍ମାହତ ହୋଇଥିଲେ । ମାର୍ଟିନ ଗପ୍ଟିଲ ଧୋନୀଙ୍କୁ ରନ୍ ଆଉଟ କରିବା ପରେ ଭାରତ ହାତରୁ ମ୍ୟାଚ୍ ଖସି ଯାଇଥିଲା । 18ରନ୍ରେ ଭାରତ ପରାସ୍ତ ହୋଇଥିଲେ । ନ୍ୟୁଜିଲାଣ୍ଡଠୁ ହାରିବା କେହି ଆଶା କରି ନଥିଲେ । ଶେଷରେ ଭାରତକୁ ନିରାଶ ହେବାକୁ ପଡ଼ିଥିଲା । ଏହି ମ୍ୟାଚ୍ରେ ଭାରତ ପକ୍ଷରୁ ଧୋନୀ 50 ଓ ରବୀନ୍ଦ୍ର ଜାଡେଜା 77ରନ କରିଥିଲେ ।
2019 ବିଶ୍ବକପରେ ଭାରତ 7ଟି ଲିଗ୍ ମ୍ୟାଚ ଜିତି ସେମି ଫାଇନାଲରେ ନ୍ୟୁଜିଲାଣ୍ଡଠୁ ପରାସ୍ତ ହୋଇଥିଲା । ଏହାକୁ ଆଜି ଯାଏଁ ଭୁଲି ନାହାନ୍ତି କ୍ରିକେଟପ୍ରେମୀ । ଏବେ ଧର୍ମଶାଳାରେ ଚଳିତ ବିଶ୍ବକପ୍ରେ ବଦଲା ନେଇଛି ଭାରତୀୟ କ୍ରିକେଟ ଦଳ । 2019 ବିଶ୍ବକପ ସେମିରେ ଧୋନୀ ଆଉଟ ହେବା ପରେ ସମସ୍ତଙ୍କ ଆଖିରେ ଲୁହ ଥିଲା ମାତ୍ର ଚଳିତ ବିଶ୍ବକପରେ ବିଜୟ ପାଇଁ 5 ରନ୍ ବାକି ଥିଲାବେଳେ ବିରାଟ କୋହଲି ଆଉଟ ହୋଇଥିଲେ । ଏହା କ୍ରିକେଟପ୍ରେମୀଙ୍କୁ ନିରାଶ କରି ନଥିଲା କାରଣ ବିରାଟ ତାଙ୍କ କାର୍ଯ୍ୟ କରି ସାରିଥିଲେ । ମ୍ୟାଚ୍ ଭାରତ ହାତରେ ଥିଲା ।