ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ ଚରିଥ ଅସଲଙ୍କାଙ୍କ ଦମଦାର ଶତକ । ଦିଲ୍ଲୀର ଅରୁଣ ଜେଟ୍ଲୀ (କୋଟ୍ଲା) ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ଚରିଥ ଅସଲଙ୍କାଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ ବଳରେ ଶ୍ରୀଲଙ୍କା ୨୭୯ ରନ୍ର ଲଢ଼ୁଆ ସ୍କୋର କରିଛି । ନିମ୍ନକ୍ରମ ବ୍ୟାଟରଙ୍କ ବିଫଳତା କାରଣରୁ ୪୯.୩ ଓଭରରେ ୨୭୯ ରନ ପାଇଁ ଅଲ୍ଆଉଟ୍ ହୋଇଛି ଶ୍ରୀଲଙ୍କା । ବାଂଲାଦେଶ ପକ୍ଷରୁ ତାଞ୍ଜିମ ହାସନ ସାକିବ୍ ୩ ୱିକେଟ୍ ସଫଳତା ହାସଲ କରିଛନ୍ତି । ଚମ୍ପିଆନ୍ସ ଟ୍ରଫି ପାଇଁ ଦୌଡ଼ରେ ରହିବାକୁ ହେଲେ ବାଂଲାଦେଶ ଆଗରେ ନିର୍ଦ୍ଧାରିତ ୫୦ ଓଭରରେ ୨୮୦ ରନର ଟାର୍ଗେଟ ରହିଛି ।
ଶ୍ରୀଲଙ୍କା ବ୍ୟାଟିଂ: ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କାକୁ ପ୍ରଥମ ଓଭରରେ ହିଁ ପ୍ରଥମ ଝଟ୍କା ଲାଗିଥିଲା । ଓପନର କୁସଲ ପେରେରା କେବଳ ୪ ରନ କରି ଆଉଟ୍ ହୋଇଥିଲେ । ଏହାପରେ ପଥୁମ ନିଶଙ୍କା ଓ ଅଧିନାୟକ କୁସଲ ମେଣ୍ଡିସ୍ଙ୍କ ମଧ୍ୟରେ ୬୧ ରନର ଦୃଢ଼ ଭାଗିଦାରୀ ଗଢ଼ି ଉଠିଥିଲା । ମେଣ୍ଡିସ୍ ୧୯ ରନ କରି ଆଉଟ୍ ହେବାପରେ ୪୧ ରନ କରିଥିବା ନିଶଙ୍କା ଆଉଟ୍ ହୋଇଯାଇଥିଲେ । ଚରିଥ ଅସଲଙ୍କା ଓ ସଦୀରା ସମରବିକ୍ରମା ଦଳୀୟ ପାଳିକୁ ଆଗକୁ ବଢ଼ାଇଥିଲେ । ସମରବିକ୍ରମା ୪୧ ରନର ଉପଯୋଗୀ ପାଳି ଖେଳି ଆଉଟ୍ ହେବାପରେ ନାଟକୀୟ ଢଙ୍ଗରେ ଟାଇମ୍ ଆଉଟ୍ ହୋଇଥିଲେ ଦଳର ଭେଟେରାନ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ । ଧନଞ୍ଜୟ ଡି ସିଲ୍ଭା (୩୪) ଓ ମହୀଶ ତୀକ୍ଷାଣା (୨୨) ଅସଲଙ୍କାଙ୍କ ସହ କିଛି ସମୟ ଦଳୀୟ ସ୍କୋରବୋର୍ଡକୁ ଗତି ଦେଇ ଆଉଟ୍ ହୋଇଥିଲେ । ଅସଲଙ୍କା ୧୦୫ ବଲରୁ ୬ ଚୌକା ଓ ୫ ଛକା ବଳରେ ୧୦୮ ରନର ଦମଦାର ପାଳି ଖେଳି ଦଳୀୟ ସ୍କୋରକୁ ୨୭୯ ପର୍ଯ୍ୟନ୍ତ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ । ନିମ୍ନକ୍ରମ ବ୍ୟାଟରଙ୍କ ବିଫଳତା କାରଣରୁ ଦଳ ୪୯.୩ ଓଭରରେ ଅଲ୍ଆଉଟ୍ ହୋଇଥିଲା ।