ଓଡିଶା

odisha

ETV Bharat / sports

Cricket World Cup 2023: ଲଢ଼େଇ କରି ହାରିଲା ଇଂଲଣ୍ଡ, ୩୩ରନରେ ଜିତିଲା ଅଷ୍ଟ୍ରେଲିଆ - ୩୩ ରନରେ ଜିତିଲା ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ପୁଣି ହାରିଲା ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡ । ୨୮୭ ରନ୍‌ର ଲକ୍ଷ୍ୟ ନେଇ ୨୫୩ରେ ଅଟକିଲା ବଟଲର ବାହିନୀ । ୩୩ ରନରେ ଜିତି ସେମିଫାଇନାଲ ଆଡ଼କୁ ଆଉ ପାଦେ ବଢ଼ିଲା କଙ୍ଗାରୁ ଦଳ । ଅଧିକ ପଢ଼ନ୍ତୁ

୩୩ ରନରେ ଜିତିଲା ଅଷ୍ଟ୍ରେଲିଆ
ଲଢ଼େଇ କରି ହାରିଲା ଇଂଲଣ୍ଡ

By ETV Bharat Odisha Team

Published : Nov 4, 2023, 10:32 PM IST

Updated : Nov 4, 2023, 10:46 PM IST

ଅହମ୍ମଦାବାଦ: ଆଇସିସି ବିଶ୍ବକପ୍‌ ୨୦୨୩ରେ ଜାରି ରହିଛି ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡର ବିପର୍ଯ୍ୟୟ । ପରାଜୟଧାରା ଭାଙ୍ଗିବାରେ ଆଜି ବି ଅସଫଳ ବଟଲର ବାହିନୀ । ଅଷ୍ଟ୍ରେଲିଆ ବିପକ୍ଷରେ ସଙ୍ଘର୍ଷ କରି ୩୩ ରନରେ ହାରିଲା ଇଂଲଣ୍ଡ । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୮୬ ରନରେ ଅଲ୍‌ଆଉଟ୍‌ ହୋଇଥିଲା । କ୍ରିସ ୱକ୍ସ ୯.୩ ଓଭର ବୋଲିଂ କରି ୫୪ ରନ ବ୍ୟୟରେ ସର୍ବାଧିକ ୪ ୱିକେଟ୍‌ ହାସଲ କରିଥିବାବେଳେ ଅଷ୍ଟ୍ରେଲିଆ ପକ୍ଷରୁ ମାର୍ନସ ଲାବୁସାନେ ସର୍ବାଧିକ ୭୧ ରନ ସଂଗ୍ରହ କରିଥିଲେ । ହେଲେ ୨୮୭ ରନ ଟାର୍ଗେଟ୍‌ ନେଇ କେବଳ ୨୫୩ ରନରେ ସମସ୍ତ ୱିକେଟ୍‌ ହରାଇଛି ଇଂଲଣ୍ଡ । ୧୦ ଓଭରରେ କେବଳ ୨୧ ରନ୍‌ ଖର୍ଚ୍ଚ କରି ୩ ୱିକେଟ୍‌ ସଫଳତା ହାସଲ କରିଥିବା ଆଡାମ ଜାମ୍ପା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ଅଷ୍ଟ୍ରେଲିଆ ବ୍ୟାଟିଂ: ଟସ୍‌ ଜିତି ପ୍ରଥମେ ଅଷ୍ଟ୍ରେଲିଆକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର । ଦଳର ବୋଲରମାନେ ମଧ୍ୟ ଏହି ନିଷ୍ପତ୍ତିକୁ ସଠିକ ପ୍ରମାଣିତ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଦୁଇ ଓପନର ଟ୍ରାଭିସ ହେଡ୍‌ ଓ ଡେଭିଡ୍‌ ୱାର୍ଣ୍ଣର ଯଥାକ୍ରମେ ୧୧ ଓ ୧୫ ରନ କରି ଆଉଟ୍‌ ହୋଇଥିଲେ । ଷ୍ଟିଭ୍‌ ସ୍ମିଥ ଓ ମାର୍ନସ ଲାବୁସାନେଙ୍କ ମଧ୍ୟରେ ଏକ ଦୃଢ଼ ଭାଗିଦାରୀ ଦେଖିବାକୁ ମିଳିଥିଲେ ହେଁ ସ୍ମିଥ୍‌ କେବଳ ୪୪ ରନ କରିବାରେ ସକ୍ଷମ ହୋଇଥିଲେ । ଦଳ ପାଇଁ ମାର୍ନସ ଲାବୁସାନେ ସର୍ବାଧିକ ୭୧ ରନ କରି ଆଉଟ୍‌ ହୋଇଥିଲେ । କାମେରନ ଗ୍ରୀନ ୪୭ ରନ କରିଥିବାବେଳେ ତାଙ୍କୁ ପାଭିଲିୟନ ଫେରାଇଥିଲେ ଡେଭିଡ ୱିଲି । ଅନ୍ୟମାନଙ୍କ ମଧ୍ୟରେ ମାର୍କସ ଷ୍ଟୋଇନିସ (୩୫)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ୩୦ ରନ କରିବାରେ ସକ୍ଷମ ହୋଇନଥିଲେ । ଫଳରେ ୪୯.୩ ଓଭରରେ ୨୮୬ ରନ ପାଇଁ ସମସ୍ତ ୱିକେଟ୍‌ ହରାଇଥିଲା ଅଷ୍ଟ୍ରେଲିଆ ।

ଇଂଲଣ୍ଡ ବୋଲିଂ: ଇଂଲଣ୍ଡ ପକ୍ଷରୁ ମିଶ୍ରିତ ବୋଲିଂ ଓ ଫିଲ୍ଡିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଦଳ ପକ୍ଷରୁ କ୍ରିସ୍‌ ୱକ୍ସ ୯.୩ ଓଭର ବୋଲିଂ କରି ୫୪ ରନ ବ୍ୟୟରେ ସର୍ବାଧିକ ୪ ୱିକେଟ୍‌ ହାସଲ କରିଥିଲେ । ମାର୍କ ଉଡ୍‌ ଓ ଆଦିଲ ରସିଦଙ୍କୁ ୨ଟି ଲେଖାଏଁ ସଫଳତା ମିଳିଥିବାବେଳେ ଡେଭିଡ ୱିଲି ଓ ଲିଆମ ଲିଭିଙ୍ଗଷ୍ଟୋନ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ୨୮୬ରେ ଅଷ୍ଟ୍ରେଲିଆ ପାଳି ଶେଷ, ସେମି ରେସ୍‌ ପାଇଁ ଇଂଲଣ୍ଡ ଆଗରେ ଲକ୍ଷ୍ୟ ୨୮୭

ଇଂଲଣ୍ଡ ବ୍ୟାଟିଂ: ସେମିଫାଇନାଲ ରେସ୍‌ରେ ସାମିଲ ରହିବାକୁ ଡିଫେଣଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡକୁ ୨୮୭ ରନର ଆବଶ୍ୟକତା ରହିଥିଲା । ହେଲେ ପାଳିର ପ୍ରଥମ ବଲରେ ହିଁ ଆଉଟ୍‌ ହୋଇ ଦଳର ଚିନ୍ତା ବଢ଼ାଇଥିଲେ ଜନି ବେୟାରଷ୍ଟୋ । ଜୋ ରୁଟ୍‌ ମଧ୍ୟ କେବଳ ୧୩ ରନ କରି ଆଉଟ୍‌ ହୋଇଯାଇଥିଲେ । ଏଭଳି ପରିସ୍ଥିତିରେ ଡାୱିଡ୍‌ ମଲାନ ଓ ବେନ୍‌ ଷ୍ଟୋକ୍ସଙ୍କ ମଧ୍ୟରେ ଏକ ଦୃଢ଼ ଭାଗିଦାରୀ ଦେଖିବାକୁ ମିଳିଥିଲା । ହେଲେ ମଲାନ ଅର୍ଦ୍ଧଶତକ ହାସଲ ପରେ ବଡ଼ ସଟ୍‌ ଖେଳିବାକୁ ଯାଇ ତୁରନ୍ତ ନିଜର ୱିକେଟ୍‌ ହରାଇଥିଲେ । ଅଧିନାୟକ ବଟଲର କେବଳ ଗୋଟିଏ ରନ୍‌ କରି ଆଉଟ୍‌ ହେବାପରେ କିଛି ସମୟ ମୋଇନ ଅଲ୍ଲୀଙ୍କ ସହ ମିଶି ପାଳି ସମ୍ଭାଳିଥିଲେ ଷ୍ଟୋକ୍ସ । ଶେଷରେ ସେ ୯୦ ବଲରୁ ସଙ୍ଘର୍ଷପୂର୍ଣ୍ଣ ୬୪ ରନର ପାଳି ଖେଳି ଆଉଟ୍‌ ହୋଇଯାଇଥିଲେ । ମୋଇନ ଅଲ୍ଲୀ (୪୨) ଓ କ୍ରିସ ୱକ୍ସ (୩୨)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ୩୦ ରନ କରିବାରେ ସକ୍ଷମ ହୋଇନଥିଲେ । ଫଳରେ ୨୫୩ ରନରେ ସମସ୍ତ ୱିକେଟ୍‌ ହରାଇଥିଲା ଇଂଲଣ୍ଡ ।

ଅଷ୍ଟ୍ରେଲିଆ ବୋଲିଂ: ବିଜୟ ଟ୍ରାକ୍‌ରେ ଥିବା ଅଷ୍ଟ୍ରେଲିଆ ପକ୍ଷରୁ ବେଶ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ପ୍ରାୟତଃ ପୂର୍ବ ମ୍ୟାଚ୍‌ ଗୁଡ଼ିକରେ କିଛିମାତ୍ରାରେ ମହଙ୍ଗା ସାବ୍ୟସ୍ତ ହୋଇ ୱିକେଟ୍‌ ଅକ୍ତିଆର କରୁଥିବା ଆଡାମ ଜାମ୍ପା ଏହି ମ୍ୟାଚ୍‌ରେ ୧୦ ଓଭରରୁ କେବଳ ୨୧ ରନ ବ୍ୟୟ କରି ୩ଟି ବହୁମୂଲ୍ୟ ୱିକେଟ୍‌ ଅକ୍ତିଆର କରିଥିଲେ । ଅଧିନାୟକ ପ୍ୟାଟ୍‌ କମିନ୍ସଙ୍କ ସମେତ ଜୋଶ ହାଜଲେଉଡ୍‌ ଓ ମିଚେଲ ଷ୍ଟାର୍କ ଦଳକୁ ୨ଟି ଲେଖାଏଁ ସଫଳତା ଦେଇଥିବାବେଳେ ମାର୍କସ ଷ୍ଟୋଇନିସ୍‌ ଗୋଟିଏ ୱିକେଟ୍‌ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 4, 2023, 10:46 PM IST

ABOUT THE AUTHOR

...view details