ମୁମ୍ବାଇ: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ମଙ୍ଗଳବାର ଦର୍ଶକ ଦେଖିଲେ ଅବିଶ୍ବସନୀୟ କ୍ରିକେଟ୍ ମ୍ୟାଚ୍ । ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଅଷ୍ଟ୍ରେଲୀୟ ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କ ଅବିଶ୍ବସନୀୟ ଦ୍ବିଶତକୀୟ ପାଳି ବଳରେ ଏହି ମ୍ୟାଚ୍ ଅଷ୍ଟ୍ରେଲିଆ ୩ ୱିକେଟ୍ରେ ଜିତିଥିଲା । ତେବେ ମ୍ୟାକ୍ସୱେଲ୍ଙ୍କ ଏହି ଅବିଶ୍ବସନୀୟ ପାଳି ପରେ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଦଳର ଅଧିନାୟକ ପ୍ୟାଟ୍ କମିନ୍ସ । ମୈଦାନର ବିଭିନ୍ନ ଦିଗରେ ବଡ଼ ସଟ୍ ଖେଳିବାରେ ମ୍ୟାକ୍ସୱେଲ୍ ନିର୍ଭିକ ଓ ଆଶ୍ଚର୍ଯ୍ୟଜନକ ଖେଳାଳି ବୋଲି କମିନ୍ସ କହିଛନ୍ତି ।
ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଇବ୍ରାହିମ ଜଦ୍ରାନଙ୍କ ଶତକୀୟ ପାଳି ବଳରେ ୨୯୧ ରନର ଲଢ଼ୁଆ ସ୍କୋର କରିଥିଲା । ଜବାବରେ ଅଷ୍ଟ୍ରେଲିଆ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୨୯୨ ଟାର୍ଗେଟ୍ ନେଇ ଖେଳୁଥିବା ଅଷ୍ଟ୍ରେଲିଆ ଏକଦା ୯୧ ରନରେ ୭ଟି ୱିକେଟ୍ ହରାଇ ପରାଜୟ ଦ୍ବାରରେ ପହଞ୍ଚି ସାରିଥିଲା । ହେଲେ ଏହିଠାରୁ ଆରମ୍ଭ ହୋଇଥିଲା ଗ୍ଲେନ୍ ମ୍ୟାକ୍ସୱେଲ୍ ଶୋ' । ଗୋଟିଏ ପଟେ କେବଳ ନିଜ ୱିକେଟ୍ ବଞ୍ଚାଇ ଅଧିନାୟକ ପ୍ୟାଟ୍ କମିନ୍ସ ଛିଡ଼ା ହୋଇଥିବା ବେଳେ ଅନ୍ୟପଟେ ମ୍ୟାକ୍ସୱେଲ୍ ଆକ୍ରମଣ କରିଥିଲେ । ଆଫଗାନୀ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରି ମ୍ୟାଚ୍ ଛଡ଼ାଇ ଆଣିଥିଲେ । ୨୯୨ ରନ ଆବଶ୍ୟକ କରୁଥିବା ଅଷ୍ଟ୍ରେଲିଆ ପାଇଂ ମ୍ୟାକ୍ସୱେଲ୍ ଏକାକୀ ୨୦୧ ରନ କରି ଦଳକୁ ମ୍ୟାଚ୍ ଜିତାଇବା ସହ ସେମିଫାଇନାଲ୍ରେ ପ୍ରବେଶ କରାଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ୱାଙ୍ଖେଡେରେ ୱାନ୍ ମ୍ୟାନ୍ ଶୋ', ଅଷ୍ଟ୍ରେଲିଆକୁ ଅବିଶ୍ବସନୀୟ ଭାବେ ଜିତାଇଲେ ମ୍ୟାକ୍ସୱେଲ୍
ମ୍ୟାକ୍ସୱେଲ୍ଙ୍କ ଏହି ଐତିହାସିକ ପାଳିର ପ୍ରଶଂସା କରି ମ୍ୟାଚ୍ ପରବର୍ତ୍ତୀ ପ୍ରେସ୍ମିଟ୍ରେ ଦଳର ଅଧିନାୟକ ପ୍ୟାଟ୍ କମିନ୍ସ କହିଛନ୍ତି, "ସେ (ମ୍ୟାକ୍ସୱେଲ୍) ଗୋଟିଏ ଜାଗାରୁ ଘୁଞ୍ଚି ପାରୁନଥିଲେ, ହେଲେ ସେ ଥାର୍ଡ ମ୍ୟାନ୍ରେ ରିଭର୍ସ ଛକା ମାରିବାରେ ସଫଳ ହୋଇଥିଲେ । ସେ ଜଣେ ନିର୍ଭିକ, ସେ ବିଭିନ୍ନ କ୍ଷେତ୍ରକୁ ହିଟ୍ କରନ୍ତି ଏବଂ ସେ ଏହି ସବୁ ସଟ୍ ଗୁଡ଼ିକୁ ଅତି ସରଳ ଭାବେ ଖେଳିପାରନ୍ତି । ଏପରି ଖେଳାଳିଙ୍କ ବିପକ୍ଷରେ ବୋଲିଂ କରିବା ସମୟରେ ବୋଲରଙ୍କ ପାଖରେ ଅଧିକ ବିକଳ୍ପ ନଥାଏ । ମୁଁ ଭାବୁଛି ଏହା ହେଉଛି ସର୍ବଶ୍ରେଷ୍ଠ ଦିନିକିଆ ଇନିଂସ । ଆମେ ସମସ୍ତେ କେବଳ ଏହି ପାଳି ବିଷୟରେ କଥା ହେଉଛେ । ହଁ, ମୁଁ ନିଶ୍ଚିତ ଯେ ସେ ଶୀଘ୍ର ସୁସ୍ଥ ହୋଇଯିବେ । ସେ ପ୍ରବଳ କଷ୍ଟ ଅନୁଭବ କରୁଥିଲେ । ମୁଁ ଭାବୁଛି ଆପଣ ସେଠାରେ ଦେଖିଥିବେ ଯେ ସେ ଅଷ୍ଟ୍ରେଲିଆ ପାଇଁ ଖେଳିବାକୁ କିତେ ଭଲ ପାଆନ୍ତି । ତେଣୁ ମୁଁ ଭାବିଲି ଯେ ସେ ଖେଳିବାଟା ହିଁ ଭଲ ହେବ ।
ଏହା ମଧ୍ୟ ପଢ଼ନ୍ତୁ...World Cup 2023: ବିଶ୍ବାସ ଥିଲା... ଆଫଗାନିସ୍ତାନ ବିପକ୍ଷ ବିଜୟ ପରେ ଗ୍ଲେଲ ମ୍ୟାକ୍ସୱେଲଙ୍କ ପ୍ରତିକ୍ରିୟା
ସେ ଆହୁରି କହିଛନ୍ତି, "ଯେତେବେଳେ ମୁଁ ବ୍ୟାଟିଂ କରିବାକୁ ଗଲି, ଆମେ ଭାବୁଥିଲୁ ଆଫଗାନିସ୍ତାନର ସ୍ପିନର ଆମ ପାଇଁ ସବୁଠୁ ବଡ଼ ସମସ୍ୟା ହେବେ । ବଲ୍ ତଥାପି ଟିକେ ଟର୍ଣ୍ଣ କରୁଥିଲା ଏବଂ ସେମାନେ ପ୍ରକୃତରେ ଭଲ ବୋଲିଂ କରୁଥିଲେ । ମୋ ପାଇଁ ସେଠାରେ ବ୍ୟାଟିଂ କରିବା ସହଜ ନଥିଲା । କିନ୍ତୁ ମ୍ୟାକ୍ସୱେଲ୍ ଅତି ସହଜରେ ରନ୍ ସ୍କୋର କରୁଥିଲେ । ମ୍ୟାକ୍ସି କ୍ରିଜରେ ଥିବାବେଳେ, ରନ୍ ହାର ଏକ ସମସ୍ୟା ହେବ ବୋଲି ମନେ ହେଉନଥିଲା । ତେଣୁ ମୋ ପାଇଁ କେବଳ ନିଜ ୱିକେଟ୍ ବଞ୍ଚାଇ ରହିବା କାର୍ଯ୍ୟ ଥିଲା ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ