ହାଇଦ୍ରାବାଦ: ଜାରି ରହିଥିବା ଆଇସିସି କ୍ରିକେଟ୍ ବିଶ୍ବକପ୍ ୨୦୨୩ରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖିଛି । ୫ ଥର ବିଶ୍ବ ବିଜେତା ଅଷ୍ଟ୍ରେଲିଆ ସମେତ ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଅପରାଜିତ ରହିଛି ଭାରତ । ତେବେ ଆସନ୍ତାକାଲି (ରବିବାର) ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଡିଫେଣ୍ଡିଂ ଚମ୍ପିଆନ୍ ଇଂଲଣ୍ଡ ସହିତ ମୁହାଁମୁହିଁ ହେବେ ରୋହିତ ବାହିନୀ । ଏହାରି ଭିତରେ ଦଳର ପ୍ରମୁଖ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ସମସ୍ୟାରୁ ସୁସ୍ଥ ହେଉଥିବାରୁ ଏହି ମ୍ୟାଚ୍ରେ ଉପଲବ୍ଧ ରହିବେ ନାହିଁ । ଏହାକୁ ଦୃଷ୍ଟିରେ ରଖି ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ବ୍ୟାଟର ବିରାଟ କୋହଲି ହାର୍ଦ୍ଦିକଙ୍କ ବଦଳରେ ୬ଷ୍ଠ ବୋଲର ଭୂମିକା ଗ୍ରହଣ କରିପାରିବେ ବୋଲି ଭାରତର ପୂର୍ବତନ ୱିକେଟ୍କିପର ଅଜୟ ରାତ୍ରା ଅନୁଭବ କରିଛନ୍ତି ।
ଭାରତ ପାଇଁ ୬ଟି ଟେଷ୍ଟ ଏବଂ ୧୨ଟି ଦିନିକିଆ ମ୍ୟାଚ୍ ଖେଳିଥିବା ୪୧ ବର୍ଷୀୟ ଅଜୟ ରାତ୍ରା ଇଟିଭି ଭରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି, "ଏହି ଦଳର ବିଶେଷତ୍ବ ହେଉଛି ଯେ ଯେତେବେଳେ ଯେଉଁ ଖେଳାଳିଙ୍କୁ ସୁଯୋଗ ମିଳିଛି, ସେତେବେଳେ ସେମାନେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଏବଂ ସମସ୍ତ କ୍ଷେତ୍ରରେ ଦଳର ପ୍ରଦର୍ଶନ ଉତ୍କୃଷ୍ଟ ରହିଛି । ଉତ୍କୃଷ୍ଟ ଫିଲ୍ଡିଂ ସହିତ ଦମଦାର ବ୍ୟାଟିଂ ଏବଂ ବୋଲିଂ କାରଣରୁ ଭାରତୀୟ ଦଳ ଏହି ପ୍ରତିଯୋଗିତାରେ ପ୍ରାଧାନ୍ୟ ବିସ୍ତାର କରିଛି । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ଅନୁଭବ ହୋଇନଥିଲା । ଗତ ମ୍ୟାଚ୍ରେ ଫେରିଥିବା ମହମ୍ମଦ ଶାମି ଚମତ୍କାର ବୋଲିଂ କରିଥିଲେ । ଅନ୍ୟ ଖେଳାଳିମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍ ରାହୁଲ ଶ୍ରେଷ୍ଠ ପ୍ରଦର୍ଶନ ଦେଉଛନ୍ତି । ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି, ମହମ୍ମଦ ସିରାଜ ଏବଂ ବାମହାତୀ ସ୍ପିନର ରବୀନ୍ଦ୍ର ଜାଡେଜା ମଧ୍ୟ ସଠିକ ଭାବରେ ସେମାନଙ୍କର ଭୂମିକା ତୁଲାଉଛନ୍ତି ।"
ସେ ଆହୁରି କହିଛନ୍ତି, "ଯଦି ହାର୍ଦ୍ଦିକ ପାଣ୍ଡ୍ୟା ଅବଶିଷ୍ଟ ମ୍ୟାଚ୍ରେ ଭାଗ ନେବାକୁ ଅସମର୍ଥ, ତେବେ ଟିମ୍ ଇଣ୍ଡିଆ ପାଇଁ ଏହା ଏକ ବଡ଼ ଝଟ୍କା ହେବ, କାରଣ ଏହା ଦଳର ସନ୍ତୁଳନ ଉପରେ ପ୍ରଭାବ ପକାଇବ । ହାର୍ଦ୍ଦିକଙ୍କୁ ଦଳର ୬ଷ୍ଠ ବୋଲର ଭାବରେ ବ୍ୟବହାର କରାଯାଏ ଏବଂ ସେ ଫିନିସର୍ ଭୂମିକା ମଧ୍ୟ ନିର୍ବାହ କରନ୍ତି । ତାଙ୍କ ଅନୁପସ୍ଥିତିରେ ଦଳକୁ ୫ ଜଣ ବିଶେଷଜ୍ଞ ବୋଲରଙ୍କ ଉପରେ ନିର୍ଭର କରିବାକୁ ପଡିବ ଏବଂ ସେଥିପାଇଁ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି କିଛି ପରିମାଣରେ ବୋଲିଂ କରିବା ଉଚିତ୍ । କିଛି ବର୍ଷ ପୂର୍ବେ ଯୁବରାଜ ସିଂ, ସୁରେଶ ରୈନା, ବୀରେନ୍ଦ୍ର ସେହୱାଗ୍ ଓ ସଚିନ ତେନ୍ଦୁଲକର ପାର୍ଟ ଟାଇମ୍ ବୋଲର ଦାୟିତ୍ବ ତୁଲାଉଥିଲେ । ଏହି କାରଣରୁ ଦଳ ଏକ ସ୍ବତନ୍ତ୍ର ୬ଷ୍ଠ ବୋଲର ଅଭାବ ଅନୁଭବ କରିନଥିଲା । ବର୍ତ୍ତମାନ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ବୋଲିଂ ଅଭ୍ୟାସ କରିବାର ସମୟ ଏବଂ ସେମାନେ ସେହି ଅନୁଯାୟୀ କାର୍ଯ୍ୟ କରିବା ଉଚିତ୍ ।"