ହାଇଦ୍ରାବାଦ: ବିଶ୍ବକପ୍ ୨୦୨୩ ଆରମ୍ଭରୁ କ୍ରମାଗତ ଦୁଇ ଦୁଇଟି ବଡ଼ ବିଜୟ ସହ ନିଜର ଦବଦବା ରଖି ଆସିଥିବା ଦକ୍ଷିଣ ଆଫ୍ରିକାକୁ ନେଦରଲ୍ୟାଣ୍ଡ ଠାରୁ ପ୍ରଥମ ପରାଜୟ ମିଳିଛି । ପ୍ରଥମେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡକୁ ହରାଇ ଆଫଗାନିସ୍ତାନ ବିଶ୍ବକପ୍ ୨୦୨୩ରେ ପ୍ରଥମ ବିପର୍ଯ୍ୟୟ ସୃଷ୍ଟି କରିଥିଲା । ଏହାପରେ ମଙ୍ଗଳବାର ଧର୍ମଶାଳା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ୩୮ ରନରେ ଇନ୍-ଫର୍ମ ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ବିତୀୟ ବିପର୍ଯ୍ୟୟ ଆଣିଛି ନେଦରଲ୍ୟାଣ୍ଡ । ଯାହାକୁ ନେଇ ବିଶ୍ବକପ୍ ଖେଳୁଥିବା ବଡ଼ ବଡ଼ ଦଳ ମଧ୍ୟରେ ବିପର୍ଯ୍ୟୟର ଛନକା ପଶିଛି । ନେଦରଲ୍ୟାଣ୍ଡ ପାଇଁ ଏହି ବିଜୟ ବିଶ୍ବକପ୍ ଇତିହାସରେ ତୃତୀୟ ହୋଇଥିବାବେଳେ ଏକ ଟେଷ୍ଟ ମାନ୍ୟତାପ୍ରାପ୍ତ ଟିମ୍କୁ ବିଶ୍ବକପ୍ରେ ହରାଇବା ଦଳ ପାଇଁ ପ୍ରଥମ ଅଭିଜ୍ଞତା । ଏହାରି ଭିତରେ ନେଦରଲ୍ୟାଣ୍ଡ ଭଳି ଦେଶରେ କ୍ରିକେଟ୍କୁ କଣ ପାଇଁ ଲୋକେ କ୍ୟାରିୟର ଭାବେ ବାଛନ୍ତି ନାହିଁ, ସେନେଇ ଆଲୋଚନା କରିଥିଲେ କ୍ରିକେଟ୍ ସମୀକ୍ଷକ ଆକାଶ ଚୋପ୍ରା ।
ନେଦରଲ୍ୟାଣ୍ଡ ଏକ ଭଲ ଫୁଟ୍ବଲ ଖେଳୁଥିବା ଦେଶ ଭାବେ ବେଶ ଜଣାଶୁଣା । ଗତ ୨୦୧୪ ଫିଫା ବିଶ୍ବକପ୍ରେ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଥିବା ଡଚ୍ ଟିମ୍ ୨୦୧୦ ଫିଫା ବିଶ୍ବକପ୍ରେ ରନର୍ସ ଅପ୍ ହୋଇଥିଲା । ଅନ୍ତର୍ଜାତୀୟ ହକିରେ ମଧ୍ୟ ଏହି ଦେଶ ଭଲ ରାଙ୍କ୍ରେ ରହିଛି । ହେଲେ ଦେଶର ବହୁତ କମ ଲୋକ କ୍ରିକେଟ୍କୁ ନିଜ କ୍ୟାରିୟର ଭାବେ ବାଛିଥାନ୍ତି । ଏହାର କାରଣ କହିବାକୁ ଯାଇ କ୍ରିକେଟ୍ ସମୀକ୍ଷକ ତଥା ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା କହିଛନ୍ତି, "ନେଦରଲ୍ୟାଣ୍ଡ ଦଳରେ ଅନେକ ଖେଳାଳି ନିଜର ଖୁସି ପାଇଁ କ୍ରିକେଟ ଖେଳୁଛନ୍ତି । ହେଲେ ସେମାନଙ୍କ ମଧ୍ୟରେ ବହୁତ ଅଳ୍ପ ଖେଳାଳି ରହିଛନ୍ତି, ଯେଉଁମାନେ କ୍ରିକେଟକୁ ନିଜର କ୍ୟାରିୟର ଭାବେ ବାଛିଛନ୍ତି । ଏହାର ପ୍ରମୁଖ କାରଣ ହେଉଛି ଏଥିରେ ସେମାନଙ୍କର ଭଲ ରୋଜଗାର ହୁଏନାହିଁ । ଭାରତ ବା ଅନ୍ୟ ଦେଶ ପରି ସେମାନଙ୍କ ଦେଶରେ କୌଣସି କ୍ରିକେଟ୍ ଖେଳାଳିଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ଅନ୍ତର୍ଭୁକ୍ତ କରାଯାଇନାହିଁ ।"