ଲଣ୍ଡନ: ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଷ୍ଟିଭ ୱଙ୍କ ବିଶ୍ବାସ ଯେ, ଚଳିତ ବିଶ୍ବକପରେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସମସ୍ତ ଟିମ ବିରୋଧରେ ଦମଦାର ପ୍ରଦର୍ଶନ କରିପାରନ୍ତି । 1999 ବିଶ୍ବକପରେ ଦକ୍ଷିଣ ଆଫ୍ରିକାର ଲାନ୍ସ କ୍ଲୁସନର ଯେଭଳି ଚମତ୍କାର ପ୍ରଦର୍ଶନ କରିଥିଲେ । ଷ୍ଟିଭ ୱଙ୍କ ମତରେ ପାଣ୍ଡ୍ୟା ଯେପରି ଭାବେ ଧୂଆଁଧାର ବ୍ୟାଟିଂ କରୁଛନ୍ତି, ଅନ୍ୟ ଦଳର ମୁଣ୍ଡବିନ୍ଧାର କାରଣ ନିଶ୍ଚିତ ସାଜିବେ ।
ରବିବାର ଓଭାଲ ମଇଦାନରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ପାଣ୍ଡ୍ୟା ଦର୍ଶନୀୟ ବ୍ୟାଟିଂ ପ୍ରହର୍ଶନ କରିଥିଲେ । ମାତ୍ର 27 ବଲରେ 48 ରନ ସ୍କୋର କରିଥିଲେ ପାଣ୍ଡ୍ୟା । ଏହି ମ୍ୟାଚରେ ଭାରତ 5 ଓ୍ବିକେଟ ବିନିମୟରେ 352 ରନ ସ୍କୋର କରିଥିଲେ । ଯାହା ଉତ୍ତରରେ ଅଷ୍ଟ୍ରେଲିଆର ପାଳି 316 ରନରେ ସୀମିତ ହୋଇଯାଇଥିଲା ।
‘‘ପାଣ୍ଡ୍ୟା ଜଣେ ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ । ସେ ବିସ୍ଫୋରକ ଇନିଂସ ଖେଳିବାରେ ମାହିର । ତେଣୁ 1999 ବିଶ୍ବକପ୍ରେ ଦକ୍ଷିଣ ଆଫ୍ରିକାର ଖେଳାଳି ଲାନ୍ସ କ୍ଲୁଜନର ଯେମିତି ଦମଦାର ପ୍ରଦର୍ଶନ କରିଥିଲେ ପାଣ୍ଡ୍ୟା ମଧ୍ୟ ଚଳିତ ବିଶ୍ବକପରେ ଠିକ ସେହିଭଳି ପ୍ରଦର୍ଶନ କରିପାରନ୍ତି । ଏପରିକି ଏହାର ଝଲକ ସେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଦେଖାଇ ସାରିଛନ୍ତି । ଅନ୍ୟ ବ୍ୟାଟ୍ସମ୍ୟାନ କ୍ରିଜରେ କିଛି ସମୟ ତିଷ୍ଠିବା ପରେ ବଡ ସର୍ଟ ଖେଳିଥାନ୍ତି କିନ୍ତୁ ପାଣ୍ଡ୍ୟା ଆରମ୍ଭରୁ ବଡ ସର୍ଟ ଖେଳିବାରେ ଓସ୍ତାଦ । ଯାହାକୁ ଅଟକାଇବା ପାଇଁ କୌଣସି ଅଧିନାୟକଙ୍କ ପକ୍ଷରେ ସମ୍ଭବ ନୁହେଁ ।’’ ବୋଲି ଆଇସିସି ୱେବସାଇଟରେ ଏକ କଲମ ଲେଖିଛନ୍ତି ଷ୍ଟିଭ ୱ ।