ଲଣ୍ଡନ:ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍ ଓ ଜନ୍ନି ବେୟାରଷ୍ଟୋ ଅସୀମ ଧୈର୍ଯ୍ୟ ଓ ଚମତ୍କାର କୌଶଳ ଆପଣାଇ ଭାରତୀୟ ବୋଲରଙ୍କୁ ନିରାଶ କରିଛନ୍ତି । ତୃତୀୟ ଦିନର ପ୍ରଥମ ସେସନ ଖେଳ ସଂପୂର୍ଣ୍ଣ ଭାବେ ଇଂଲଣ୍ଡ ନାମରେ ହୋଇଛି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ତୃତୀୟ ଦିନରେ ଦୁଇ ଇଂଲିସ ବ୍ୟାଟ୍ସମ୍ୟାନ ରୁଟ୍ ଓ ବେୟାରଷ୍ଟୋ ଚତୁର୍ଥ ୱିକେଟ ଯୋଡିରେ ୯୭ ରନର ପାର୍ଟନରସିପ ହୋଇଛି ।
ଲଞ୍ଚ୍ ବ୍ରେକ ସୁଦ୍ଧା ଘରୋଇ ଦଳ ୨୧୬/୩ ରନ ସହ ସୁବିଧା ସ୍ଥିତିରେ ରହିଛି । କ୍ୟାପଟେନ ଜୋ ରୁଟ୍ ଅପରାଜିତ ୮୯ ଓ ଜନ୍ନି ବେୟାରଷ୍ଟୋ ଅପରାଜିତ ୫୧ ରନ କରିଛନ୍ତି । ଫଳରେ ପ୍ରଥମ ଟେଷ୍ଟରେ ଶତକୀୟ ଇଂନିସ ଖେଳିଥିବା ରୁଟ୍ ଆଉ ଏକ ଶତକ ଦ୍ବାରଦେଶରେ ରହିଛନ୍ତି । ଅନ୍ୟପଟେ ସମସ୍ତ ପ୍ରୟାସ ସତ୍ତ୍ବେ ଭାରତୀୟ ବୋଲର ପ୍ରଥମ ସେସନରେ ୱିକେଟ ହାସଲ କରିପାରିନାହାନ୍ତି ।