କଟକ: ଭାରତ ଚଳିତ ବିଶ୍ବକପରୁ ବିଦାୟ ନେଇସାରିଛି । ଏପଟେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ରେ ସିଂହ ଧୋନି କ୍ରିକେଟକୁ ଅଲବିଦା କହିବେ ବୋଲି ଚର୍ଚ୍ଚା ହେଉଛି । ବିଶ୍ବକପର ସେମିଫାଇନାଲ ମ୍ୟାଚରେ ଧୋନି ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ, ଟିମକୁ ଜିତାଇ ପାରିନଥିଲେ । ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ ହୋଇ ଧୋନି ପ୍ୟାଭିଲିୟନ ଫେରିଥିଲେ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ ତେବେ ପଡିଆ ଛାଡିବା ବେଳେ ଧୋନିଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ପରେ ସୋସିଆଲ ମିଡିଆରେ ଟିମ ଇଣ୍ଡିଆର ପରାଜୟ ସହିଯିବୁ, ହେଲେ ଧୋନିଙ୍କ ଆଖିରେ ଲୁହ ଦେଖିପାରିବୁନି ବୋଲି ଭାରତୀୟ ଫ୍ୟାନ୍ସ ମତ ଦେଇଥିଲେ ।
ତେବେ ଧୋନି ଅବସର ନିଅନ୍ତୁ ନାହିଁ । ଭାରତୀୟ ଦଳକୁ ଧୋନିଙ୍କର ଆବଶ୍ୟକତା ରହିଛି । ତାଙ୍କ ସ୍ଥାନ ଦଳରେ ପୂରଣ ହେବା କଷ୍ଟକର । ଏମିତି କହି କ୍ରିକେଟ ପ୍ରେମୀ ଧୋନିଙ୍କୁ ଅବସର ନନେବାକୁ ଅନୁରୋଧ କରିଛନ୍ତି । କଟକର କିଛି ଯୁବ କ୍ରିକେଟ ପ୍ରେମୀ ମଧ୍ୟ ଧୋନି ଦଳରେ ରୁହନ୍ତୁ ଓ 2023 ବିଶ୍ବକପ ପର୍ଯ୍ଯନ୍ତ ଖେଳନ୍ତୁ ବୋଲି କହିଛନ୍ତି ।
କେତେକ ପୂର୍ବତନ ରଣଜୀ ଖେଳାଳି ମଧ୍ୟ ଧୋନିଙ୍କୁ ଅବସର କଥା ମନକୁ ନ ଆଣିବାକୁ ପରାମର୍ଶ ଦେଇଛନ୍ତି । ତେବେ ବିଶ୍ବକପ ଆରମ୍ଭରୁ ଧୋନିଙ୍କ ରନ ସଂଗ୍ରହ ହାରକୁ ନେଇ ପ୍ରଶ୍ନ ଉଠୁଥିଲା । ସେମିଫାଇନାଲରେ ଭାରତକୁ ଧୋନି ହିଁ ଜିତାଇ ପାରିଥାନ୍ତେ ବୋଲି ସେମାନେ ହିଁ ମତ ଦେଉଛନ୍ତି । ମାତ୍ର ଧୋନି ଏପର୍ଯ୍ଯନ୍ତ ନୀରବ ରହିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ