ମୁମ୍ବାଇ: ଏକଦିବସୀୟ କ୍ରିକେଟରେ ପ୍ରଥମ ଦ୍ବିଶତକ କରିଥିବା ବ୍ୟାଟ୍ସମ୍ୟାନ ହେଉଛନ୍ତି ସଚିନ ତେନ୍ଦୁଲକର । ତାପରେ 2011ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ 219 ରନ କରି ସେହୱାଗ ସଚିନଙ୍କ ରେକର୍ଡ ଭାଙ୍ଗିଥିଲେ । ଦିନିକିଆରେ ଦ୍ବିଶତକ କରିବା ଏକ ବଡ କାମ ବୋଲି ଧରାଯାଉଥିଲା । କିନ୍ତୁ ଭାରତୀୟ ଓପନର ରୋହିତ ଶର୍ମା ଯେଉଁଭଳି ଭାବରେ ଦିନିକିଆରେ ଦ୍ବିଶତକ ହାସଲ କଲେ ତାହା ସମସ୍ତଙ୍କୁ ଚକିତ କରି ଦେଇଥିଲା । ରୋହିତ ନିଜର ପ୍ରଥମ ଦ୍ବିଶତକ ବେଙ୍ଗାଲୁରୁ ଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ହାସଲ କରିଥିଲେ । ତାପରେ ସେ ଦିନିକିଆ କ୍ରିକେଟରେ 3ଟି ଦ୍ବିଶତକ ହାସଲ କରିଥିଲେ । ଦିନିକିଆ କ୍ରିକେଟରେ ଗୋଟିଏ ମ୍ୟାଚରେ ସର୍ବାଧିକ ସ୍କୋର କରିଥିବାର ରେକର୍ଡ ମଧ୍ୟ ରୋହିତଙ୍କ ନାଁରେ ରହିଛି । 264ରନର ଏହି ବିଶାଳ ସ୍କୋର ସେ ଶ୍ରୀଲଙ୍କା ବିପକ୍ଷରେ କରିଥିଲେ । ତେବେ ସୋମବାର ରୋହିତ କହିଛନ୍ତି ଯେ ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ତାଙ୍କୁ ସେହୱାଗଙ୍କ ରେକର୍ଡ ଭାଙ୍ଗିବାକୁ କହିଥିଲେ ଯାହାକି 2013 ପର୍ଯ୍ୟନ୍ତ ଦିନିକିଆର ସର୍ବାଧିକ ସ୍କୋର ଥିଲା ।
2013ରେ ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆରେ 209 ରନ କରି ଭାରତକୁ ସିରିଜ ବିଜୟରେ ସହାୟକ ହୋଇଥିଲେ । 2011ରେ ସେହୱାଗ ଇନ୍ଦୌର ଠାରେ 2019 ରନ ସ୍କୋର କରିଥିଲେ ଯାହା କି ସର୍ବାଧିକ ନିଜସ୍ବ ସ୍କୋର ଥିଲା ।
ସ୍ପିନର ଅଶ୍ବିନଙ୍କ ସହ ଏକ ଇନଷ୍ଟାଗ୍ରାମ ଲାଇଭରେ ଯେତେବଳେ ତାଙ୍କୁ ତାଙ୍କ ପ୍ରଥମ ଦ୍ବିଶତକ ବିଶୟରେ ଅଶ୍ବିନ ପଚାରିଥିଲେ ।
ରୋହିତ କହିଥିଲେ ଯେ, ‘‘ମୁଁ ଯେତେବେଳେ ଦ୍ବିଶତକ କରି ଫେରିଥିଲି ମତେ କେହି ଜଣେ କହୁଥିଲେ ଆଉ ଗୋଟିଏ ଓଭର ଖେଳିଥିଲେ ତୁମେ ସେହୱାଗଙ୍କ ରେକର୍ଡ ଭାଙ୍ଗି ଦେଇଥାନ୍ତ ।’’
‘‘ଡ୍ରେସିଙ୍ଗ ରୁମରେ ମତେ ନେଇ ସମସ୍ତେ ବଡ ଆଶା କରିଥିଲେ । 3-4 ଜଣ ଥିଲେ ଯିଏ ଚାହୁଁଥିଲେ ଯେ ମୁଁ ଆଉ 10 କି 15 ରନ କରିଥାନ୍ତି, ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଯୁବରାଜ ସିଂହ ଆଉ ବୋଧହୁଏ ଶିଖର ଧୱନ,’’ ବୋଲି ମଜାକିଆ ଢଙ୍ଗରେ ମନେ ପକାଇଥିଲେ ରୋହିତ ।