ରାୟପୁର: ଅଲରାଉଣ୍ଡର ୟୁସୁଫ ପଠାନ, ୱିକେଟ କିପର ବ୍ୟାଟ୍ସମ୍ୟାନ ନମନ ଓଝା ଓ ଦ୍ରୁତ ବୋଲର ବିନୟ କୁମାର ଭାରତୀୟ କିମ୍ବଦନ୍ତୀ ଟିମରେ ଆଗାମୀ ରୋଡ ସେଫଟି ୱାର୍ଲ୍ଡ ସିରିଜରେ ନଜର ଆସିବେ । ମାର୍ଚ୍ଚ 5ରୁ ସହୀଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ରାୟପୁରରେ ଏହି ସିରିଜ ଖେଳାଯିବା ନେଇ ସୂଚୀ ରହିଛି ।
ୟୁସୁଫ ଓ ବିନୟ ଶୁକ୍ରବାର କ୍ରିକେଟରୁ ଅବସର ଘୋଷଣା କରିଥିବାବେଳେ, ନମନ ଚଳିତ ମାସରେ କ୍ରିକେଟକୁ ଅଲବିଦା କହିଛନ୍ତି । ବିନୟ ଟିମ ଇଣ୍ଡିଆ ପକ୍ଷରୁ ଗୋଟିଏ ଟେଷ୍ଟ, 31ଟି ଦିନିକିଆ, ଓ 9ଟି ଟି20 ମ୍ୟାଚ ଖେଳିଛନ୍ତି। ସେହିପରି ୟୁସୁଫ 57ଟି ଦିନିକିଆ ଓ 22ଟି ଟି20 ମ୍ୟାଚ ଖେଳିଛନ୍ତି । ଏଥିସହ 2007 ଟି20 ବିଶ୍ବକପ ଓ 2011 ଦିନିକିଆ ବିଶ୍ବକପ ବିଜୟୀ ଭାରତୀୟ ଟିମର ସଦସ୍ୟ ରହିଛନ୍ତି ।
ଅନ୍ୟପଟେ ନମନ ବର୍ଷ 2010ରେ ଭାରତ ପାଇଁ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ମାତ୍ର ସେ ମେନ ଇନ ବ୍ଲୁ ପାଇଁ ଗୋଟିଏ ଦିନିକିଆ ମ୍ୟାଚ ଖେଳିଛନ୍ତି ।
ଶ୍ରୀଲଙ୍କା କିମ୍ବଦନ୍ତୀ ଟିମରେ ସନଥ ଜୟସୁରିୟା, ରଲେସ ଆରନୋଲ୍ଡ ଓ ଉପୁଲ ଥରଙ୍ଗା ରହିଛନ୍ତି । ତିଲକରତନେ ଦିଲସନ ନେତୃତ୍ବ ଭାର ସମ୍ଭାଳିବେ ।