ଓଡିଶା

odisha

By

Published : Dec 23, 2020, 10:15 AM IST

ETV Bharat / sports

କ୍ରୀଡାଜଗତରେ ବିଦାୟୀ ବର୍ଷର 'ବିବାଦ'

ରାଇନାଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଛାଡିବା ଠାରୁ, ବେନ ଷ୍ଟୋକ୍ସ ଓ ମାର୍ଲନ ସାମୁଏଲ୍ସଙ୍କ ଝଗଡା, ବାବାର ଆଜମଙ୍କ ଉପରେ ପୂର୍ବତନ ପ୍ରେମିକାଙ୍କ ଆରୋପ, ୟୁଏସ ଓପନରେ ଜୋକଭିଚଙ୍କ ହୃଦୟ ଭାଙ୍ଗିବା ପର୍ଯ୍ୟନ୍ତ ବିବାଦ । ସଂପୂର୍ଣ୍ଣ ପଢନ୍ତୁ..

Year Ender 2020: sporting controversies of the year
Year Ender 2020: କ୍ରୀଡାଜଗତରେ ବିଦାୟୀ ବର୍ଷର 'ବିବାଦ'

ହାଇଦ୍ରାବାଦ: ବର୍ଷ 2020 ସୁନ୍ଦର, ମଧୁର ସ୍ମୃତି ପାଇଁ କମ, ଓ ଖରାପ ସ୍ମୃତି ପାଇଁ ଅଧିକ ମନେରହିବ । କ୍ରୀଡାଜଗତ ଦୃଷ୍ଟିରୁ ଦେଖିଲେ ବର୍ଷ 2020 ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଥିଲା । ଟୋକିଓ ଅଲମ୍ପିକ, ଟି-20 ବିଶ୍ବକପ, ୱିମ୍ବଲଡନ ଭଳି ବଡ ଟୁର୍ଣ୍ଣାମେଣ୍ଟ ଏହି ବର୍ଷ ଖେଳାଯିବାର ଥିଲା । ମାତ୍ର କୋଭିଡ-19ର ଭୟଭୟତା ସମସ୍ତ କ୍ରୀଡା ଇଭେଣ୍ଟକୁ ଠପ୍ କରିଦେଲା । କେବଳ ଏତିକି ନୁହେଁ, 2020 ସଂସ୍କରଣର ଆଇପିଏଲ ବହୁତ କଷ୍ଟରେ ଆୟୋଜିତ ହେଲା ।

ଭାରତରେ କୋଭିଡ-19ର ଅଧିକ ସଂଖ୍ୟା ଯୋଗୁଁ ଏହି ଟୁର୍ଣ୍ଣାମେଣ୍ଟ ୟୁଏଇରେ କରାଯାଇଥିଲା । ଜୈବ ସୁରକ୍ଷା ବଳୟ ଓ ଖାଲି ଷ୍ଟାଡିୟମରେ ମ୍ୟାଚ ଆୟୋଜନ ଏବେ ଯେପରି ଅଭ୍ୟାସ ହୋଇଗଲାଣି । ତେବେ ଏହି ସହୁ ଭିତରେ ଗୋଟିଏ ଜିନିଷ ଚାଲୁ ରହିଥିଲା, ତାହା ହେଉଛି 'ବିବାଦ' । ପ୍ରତି ବର୍ଷ ଖେଳ ଜଗତରେ ହୋଇଥାଏ ବଡ ବଡ ବିବାଦ, ଏହି ବର୍ଷ ମଧ୍ୟ କ୍ରିକେଟ, ଟେନିସ, ବ୍ୟାଡମିଣ୍ଟନ ଆଦି ଖେଳାଳିଙ୍କ ସହ ଜଡିତ ଏକାଧିକ ବିବାଦ ସାମ୍ନାକୁ ଆସିଛି ।

ନଜର ପକାନ୍ତୁ କଣ ରହିଛି ବିଦାୟୀ ବର୍ଷର ବଡ ବିବାଦ:

କ୍ରିକେଟ:

ସୁରେଶ ରାଇନା

1. ସୁରେଶ ରାଇନାଙ୍କ ହଠାତ ଚେନ୍ନାଇ ସୁପର କିଙ୍ଗ୍ସ ଛାଡିବା: ମିଷ୍ଟର ଆଇପିଏଲ ନାମରେ ଜଣାଶୁଣା ସୁରେଶ ରାଇନା, ଚେନ୍ନାଇ ସୁପର କିଙ୍ଗ୍ସର ଏମିତି ଜଣେ ଖେଳାଳି ଯାହାଙ୍କ ବିନା ଟିମ ୟେଲୋ ଆର୍ମୀ ଅଧୁରା । ସେ ନିଜର ଟିମ ପାଇଁ ଗତ ଆଇପିଏଲ ସଂସ୍କରଣ ଗୁଡିକରେ ଦମଦାର ପ୍ରଦର୍ଶନ କରିଛନ୍ତି ଓ ତାଙ୍କ ନାମରେ ସର୍ବାଧିକ ରନ ମଧ୍ୟ ରହିଥିଲା । ଆଇପିଏଲ 2020 ପାଇଁ ସିଏସକେ କ୍ୟାମ୍ପରେ ସାମିଲ ହୋଇ ରାଇନା ୟୁଏଇ ପହଞ୍ଚିଥିଲେ । ମାତ୍ର ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତ ଫେରିଆସିଲେ । ଏହାପରେ ରାଇନା ଓ ସିଏସକେ ଟିମ ମ୍ୟାନେଜମେଣ୍ଟ ମଧ୍ୟରେ ମନମାଳିନ୍ୟ ହୋଇଥିବା ନେଇ ଗୁଜବ ସାମ୍ନାକୁ ଆସିଥିଲା । ଏହାପରେ ଏନ. ଶ୍ରୀନିବାସନଙ୍କ ବୟାନ ମଧ୍ୟ ଆସିଥିଲା ।

2. ବେନ ଷ୍ଟୋକ୍ସ ଓ ମାର୍ଲନ ସାମୁଏଲ୍ସଙ୍କ ଝଗଡା: ଆଇପିଏଲ 2020ରେ ଷ୍ଟୋକ୍ସ ଟୁର୍ଣ୍ଣାମେଣ୍ଟ ଅଧାରେ ନିଜର ଟିମ ରାଜସ୍ଥାନ ରୟାଲ୍ସରେ ସାମିଲ ହୋଇଥିଲେ । ରାଜସ୍ଥାନ କ୍ୟାମ୍ପରେ ସାମିଲ ହେବା ପୂର୍ବରୁ ତାଙ୍କୁ 6 ଦିନ କ୍ବାରେଣ୍ଟିନରେ ରହିବାକୁ ପଡିଥିଲା । ଷ୍ଟୋକ୍ସ ନିଜର କ୍ବାରେଣ୍ଟିନ ଅଭିଜ୍ଞତା ସେୟାର କଲେ ଓ ଏପରି ଅନୁଭବ ନିଜର ସବୁଠୁ ଖରାପ ଶତୃଙ୍କ ପାଇଁ ମଧ୍ୟ ଚାହିଁବେ ନାହିଁ, ଏପରିକି ମାର୍ଲନ ସାମୁଏଲ୍ସଙ୍କ ପାଇଁ ବି ନୁହେଁ ବୋଲି କହିଥିଲେ ।

ଏହି କଥା ସବୁ ଷ୍ଟୋକ୍ସ ମଜାଳିଆ ଅନ୍ଦାଜରେ କହିଥିଲେ, ମାତ୍ର କାରବିୟନ ବ୍ୟାଟ୍ସମ୍ୟାନ ମାର୍ଲନ ସାମୁଏଲ୍ସଙ୍କ ଏହି କଥା ବିଲକୁଲ ପସନ୍ଦ ଆସିନଥିଲା । ପରେ ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଷ୍ଟୋକ୍ସଙ୍କୁ ଜବାବ ଦେଇଥିଲେ । ଏପରିକି ସାମୁଏଲ୍ସ ଷ୍ଟୋକ୍ସଙ୍କ ପାଇଁ ଅପଶବ୍ଦ ବ୍ୟବହାର କରିବାକୁ ମଧ୍ୟ ପଛାଇନଥିଲେ ।

3. ଭାରତୀୟ ଟିମ ଠାରୁ ଉପରେ ମୁମ୍ବାଇ ଇଣ୍ଡିଆନ୍ସ ? ହିଟମ୍ୟାନଙ୍କ ଡ୍ରାମା:

ରୋହିତ ଶର୍ମା
ରୋହିତ ଶର୍ମା ଆଇପିଏଲ 2020ର ଏକ ମ୍ୟାଚ ଖେଳୁଥିବାବେଳେ ଆହତ ହୋଇଥିଲେ । ଏହାପରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଟିମ ଚୟନ ହେବାର ଥିଲା । ଭାରତୀୟ ସ୍କ୍ବାଡରେ ରୋହିତ ଶର୍ମାଙ୍କ ନାମ ନଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ତେବେ ପରେ ରୋହିତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କେବଳ ନେଟ ପ୍ରାକ୍ଟିସ କରିନଥିଲେ ବରଂ ଟିମ ପାଇଁ ଫାଇନାଲ ମ୍ୟାଚ ମ୍ୟାଚ ଖେଳିଥିଲେ ।

ଏହାପରେ ବିସିସିଆଇ ଟେଷ୍ଟ ଟିମରେ କିଛି ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲା ଓ ରୋହିତଙ୍କୁ ଟେଷ୍ଟ ଟିମରେ ସାମିଲ କରିଥିଲା । ରୋହିତ ଆଇପିଏଲରେ ପ୍ଲେ-ଅଫ୍ ମ୍ୟାଚ ଖେଳିଥିଲେ ଓ ପରେ ଫାଇନାଲ ମ୍ୟାଚ ଖେଳି ବିଜୟୀ ମଧ୍ୟ ହୋଇଥିଲେ । ପରେ ରୋହିତ ୟୁଏଇରୁ ଭାରତ ଫେରିଆସିଥିଲେ ଓ ସଂପୂର୍ଣ୍ଣ ଭାରତୀୟ ଟିମ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲା । ରୋହିତ ବାଙ୍ଗାଲୁରୁ ଜାତୀୟ କ୍ରିକେଟ ଏକାଡେମୀରେ ଫିଟନେସ ଟେଷ୍ଟରେ ପାସ୍ ହୋଇ ଅଷ୍ଟ୍ରେଲିଆ ପହଞ୍ଚିଲେ ।

4. ଗାଭାସ୍କର-ବିରୁଷ୍କାଙ୍କ ମଧ୍ୟରେ ମତଭେଦ:ଭାରତୀୟ ଟିମର ପୂର୍ବତନ ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଆଇପିଏଲରେ କମେଣ୍ଟ୍ରୀ କରୁଥିବାବେଳେ, ବିରାଟ କୋହଲିଙ୍କ ଖରାପ ଫର୍ମକୁ ନେଇ କଟାକ୍ଷ କରିଥିଲେ । କଥାଛଳରେ ଏପରି ଟିପ୍ପଣୀ କରିଦେଲେ, ଯାହା ପର ମୂହୂର୍ତ୍ତରେ ଏକ ବଡ ମୁଦ୍ଦା ବନିଗଲା । ଲକଡାଉନ ସମୟରେ ବିରାଟ କୋହଲି ଓ ଅନୁଷ୍କାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ କୋହଲି ବ୍ୟାଟିଂ କରୁଥିଲେ ଓ ଅନୁଷ୍କା ବୋଲିଂ କରୁଥିବାର ନଜର ଆସିଥିଲେ । ଏହାକୁ ନେଇ ଗାଭାସ୍କର କମେଣ୍ଟ କରିଥିଲେ । ପରେ ସୋସିଆଲ ମିଡିଆରେ ତାଙ୍କର ପ୍ରବଳ ଆଲୋଚନା ହୋଇଥିଲା ।

5. ଜାଡେଜାଙ୍କ ଆହତ ଓ କନ୍କସନ ନିୟମ ଅନୁଯାୟୀ ଚହଲ ବୋଲିଂ କରିବା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟି-20 ସିରିଜର ପ୍ରଥମ ମ୍ୟାଚରେ ଏ ବିବାଦ ହୋଇଥିଲା । ଏହି ମ୍ୟାଚର ହିରୋ ରବିନ୍ଦ୍ର ଜାଡେଜା ବନିଯାଇଥିଲେ । 23 ବଲରୁ ଅପରାଜିତ 44 ରନର ଇଂନିସ ଖେଳି ମେନ ଇନ୍ ବ୍ଲୁଙ୍କୁ 161/7 ସ୍କୋର ପର୍ଯ୍ୟନ୍ତ ନେଇଯାଇଥିଲେ । ବ୍ୟାଟିଂ କରୁଥିବା ସମୟରେ ଜାଡେଜାଙ୍କ ହେଲମେଟରେ ବଲ ଲାଗିଥିଲା । ଏହାପରେ କନ୍କସନ ବଦଳ ଖେଳାଳି ଭାବେ ୟୁଜଭେନ୍ଦ୍ର ଚହଲଙ୍କୁ ବୋଲିଂ ପାଇଁ ଖେଳାଯାଇଥିଲା । କ୍ୟାପଟେନ ବିରାଟ କୋହଲି ଏହି ମ୍ୟାଚ ପାଇଁ ଚୁଡାନ୍ତ ଏକାଦଶରେ ଚହଲଙ୍କୁ ସାମିଲ କରିନଥିଲେ । ତେବେ ଏହି ବଦଳ ନିୟମ ପରେ, ଚହଲ ବୋଲିଂ କରିବା ସହ ମ୍ୟାନ ଅଫ ଦ ମ୍ୟାଚ ବନିଥିଲେ । ଏହାକୁ ନେଇ ଅଷ୍ଟ୍ରେଲିଆ ଖେଳାଳି ଓ ଫ୍ୟାନ୍ସ ନିରାଶ ହୋଇଥିଲେ ।

ରବିନ୍ଦ୍ର ଜାଡେଜା

6. ବାବାର ଆଜମଙ୍କ ଉପରେ ପୂର୍ବତନ ପ୍ରେମିକା ଲଗାଇଲେ ସଙ୍ଗୀନ ଆରୋପ: ପାକିସ୍ତାନ କ୍ରିକେଟ ଟିମର କ୍ୟାପଟେନ ବାବାର ଆଜମଙ୍କ ପୂର୍ବତନ ପ୍ରେମିକା ସାମ୍ବାଦିକ ସମ୍ମିଳନୀରେ ଆଣିଥିଲେ ସଙ୍ଗୀନ ଅଭିଯୋଗ । ବିବାହ ପାଇଁ ପ୍ରତିଶୃତି ଦେଇ 10 ବର୍ଷ ପର୍ଯ୍ୟନ୍ତ ତାଙ୍କର ଶୋଷଣ କରିଥିବା କହିଥିଲେ । ଯାହାଦ୍ବାରା ସେ ଗର୍ଭବତୀ ହୋଇଥିଲେ । ମାତ୍ର ପରେ ବାବାର ନିଜର ବନ୍ଧୁଙ୍କ ସାହାଯ୍ୟରେ ତାଙ୍କର ଗର୍ଭପାତ ମଧ୍ୟ କରାଇ ଦେଇଥିଲେ । ଏତିକି ନୁହେଁ ତାଙ୍କୁ ଜୀବନରେ ମାରିଦେବାକୁ ବାବାର ଧମକ ଦେଇଥିଲେ ବୋଲି ଅଭିଯୋଗ କରିଥିଲେ ।

ଫୁଟବଲ:

ଲିଓନେଲ ମେସି

ଲିଓନେଲ ମେସି ଓ ବାର୍ସେଲୋନା ମଧ୍ୟରେ ମତଭେଦ:ବିଶ୍ବ ଫୁଟବଲ ଅନ୍ୟତମ ଶ୍ରେଷ୍ଠ ଖେଲାଳି ଲିଓନେଲ ମେସି ବାର୍ସେଲୋନାକୁ କହିଥିଲେ ଯେ ସେ , କ୍ଳବ ଛାଡିବାକୁ ଚାହାନ୍ତି । ଯେଉଁ ଟିମରେ ସେ ପ୍ରାୟ ଦୁଇ ଦଶନ୍ଧି ଧରି ସାମିଲ ଥିଲେ । ଏହି ସଂସ୍କରଣରେ କୌଣସି ଟ୍ରଫି ନ ଜିତିପାରିବା ଓ ଚମ୍ପିଆନ୍ସ ଲିଗରେ ଦୁର୍ବଳ ବେୟର୍ନ ମୁନୀଚ ଠାରୁ ଶୋଚନୀୟ ଭାବେ ପରାସ୍ତ ହେବାନେଇ ଅସନ୍ତୁଷ୍ଟ ଥିଲେ । କ୍ଳବକୁ ଏଖ ଦସ୍ତାବିଜ ପଠାଇବା ସହ କ୍ଳବ ଛାଡିବା ଉଲ୍ଲେଖ କରିଥିବା ବାର୍ସେଲୋନା ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ଏହି ମାମଲା ଅଦାଲତ ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି କ୍ଳବ ସଙ୍କେତ ଦେଇଥିଲା । ଏଥିସହ ଆର୍ଜେଣ୍ଟିନାର ଏହି ମହାନ ଖେଳାଳିଙ୍କୁ ନିଜ ଇଚ୍ଛାରେ କ୍ଳବ ଛାଡିବାକୁ ଅନୁମତି ଦେଇପାରିବ ନାହିଁ ।

ଟେନିସ

ନୋବାକ ଜୋକଭିଚ

1 . ୟୁଏସ ଓପନରେ ଜୋକଭିଚଙ୍କ ହୃଦୟ ଭାଙ୍ଗିବା:ବିଶ୍ବର ନଂ1 ଟେନିସ ଖେଳାଳି ନୋବାକ ଜୋକଭିଚ ୟୁଏସ ଓପନ ପ୍ରୀ କ୍ବାର୍ଟର ଫାଇନାଲ ମୁକାବିଲାରେ ଜଣେ ମହିଳା ଅଧିକାରୀଙ୍କୁ ବଲ ମାରିବା ଦ୍ବାରା ଟୁର୍ଣ୍ଣାମେଣ୍ଟରୁ ବାହାର କରି ଦିଆଯାଇଥିଲା । ଆମେରିକା ଟେନିସ ସଂଘ(ୟୁଏସଟିଏ) ପକ୍ଷରୁ ଏକ ବୟାନ ଜାରି କରି ସ୍ପଷ୍ଟ କରିଥିଲା । ବୟାନରେ କୁହାଯାଇଥିଲା ଯେ, ଗ୍ରାଣ୍ଡସ୍ଲାମର ନିୟମ ଅନୁଯାୟୀ, ଯଦି କୌଣସି ଖେଳାଳି କୌଣସି ଅଧିକାରୀ କିମ୍ବା ଦର୍ଶକଙ୍କୁ ଆହତ କରନ୍ତି ତେବେ, ଜୋରିମାନା ଲାଗିବା ସହ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବ । ମ୍ୟାଚ ରେଫ୍ରୀ ମଧ୍ୟ ନୋବାକ ଜୋକଭିଚଙ୍କୁ ଦୋଷୀ ପାଇଥିଲେ ।

2. ଆଲେକଜାଣ୍ଡର ଜ୍ବେରେବଙ୍କ ଉପରେ ଲାଗିଥିଲା ଘରୋଇ ହିଂସାର ଆରୋପ: ଆଲେକଜାଣ୍ଡର ଜ୍ବେରେବଙ୍କ ଉପରେ ତାଙ୍କର ପୂର୍ବତନ ବାନ୍ଧବୀ ଅଭିଯୋଗ ଆଣିଥିଲେ । ଗତବର୍ଷ ଟେନିସ ଖେଳାଳି ଆଲେକଜାଣ୍ଡର ତାଙ୍କର ଗଳା ଚିପି ଚେଷ୍ଟା କରିଥିଲେ ଓ ମୁଣ୍ଡ କାନ୍ଥରେ ପିଟିଥିଲେ । ଏହାସହ ଜ୍ବେରେବ ନିଜର ପୂର୍ବତନ ବାନ୍ଧବୀଙ୍କୁ ହୋଟେଲରୁ ବାହାର କରିଦେଇଥିଲେ । ମାତ୍ର ଏହାକୁ ଜ୍ବେରେବ ମିଥ୍ୟା ବୋଲି କହିଥିଲେ ।

ବ୍ୟାଡମିଣ୍ଟନ

ପିଭି ସିନ୍ଧୁଙ୍କ ପିତା କୋଚ ଗୋପୀଚାନ୍ଦଙ୍କ ଉପରେ ଲଗାଇଥିଲେ ସଙ୍ଗୀନ ଆରୋପ:ଷ୍ଟାର ସର୍ଟଲର ପିଭି ସିନ୍ଧୁଙ୍କ ପିତା ରମଣ, ସିନ୍ଧୁଙ୍କ କୋଚ ଗୋପୀଚାନ୍ଦଙ୍କ ଉପରେ ଆରୋପ ଲଗାଇଥିଲେ । ହାଇଦ୍ରାବାଦରେ ସିନ୍ଧୁଙ୍କ ଅଭ୍ୟାସ ଠିକରେ ହୋଇପାରୁନଥିଲା । 2018 ଏସିଆନ ଗେମ୍ସ ପରେ ଗୋପୀଚାନ୍ଦ ଅଭ୍ୟାସ ଉପରେ ବେଶୀ ଧ୍ୟାନ ଦେଉନଥିଲେ । ସିନ୍ଧୁଙ୍କୁ ଭଲ ପ୍ରାକ୍ଟିସ ପାର୍ଟନର ବି ଦେଇନଥିଲେ ବୋଲି ଅଭିଯୋଗ ହୋଇଥିଲା । ତେବେ ସିନ୍ଧୁ ସଫେଇ ଦେବା ସହ କୋଚ ଓ ଶିଷ୍ୟାଙ୍କ ମଧ୍ୟରେ ସବୁକିଛି ଠିକ୍ ଅଛି ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details