ଓଡିଶା

odisha

ETV Bharat / sports

ମହିଳା ଟି-20 ବିଶ୍ବକପ: ଫାଇନାଲରେ ଅଷ୍ଟ୍ରେଲିଆ - ଫାଇନାଲରେ ଅଷ୍ଟ୍ରେଲିଆ

ମହିଳା ଟି-20 ବିଶ୍ବକପର ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ଡକୱର୍ଥ ଲୁଇସ ପଦ୍ଧତିରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି । ଏହି ବିଜୟ ସହ ଅଷ୍ଟ୍ରେଲିଆ ମହିଳା ଦଳ ଫାଇନାଲରେ ପ୍ରବେଶ କରିଛି । ଆସନ୍ତା 8 ତାରିଖରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ଟାଇଟଲ ଟକ୍କର । ଅଧିକ ପଢନ୍ତୁ...

Women's T20 WC: Australia beat South Africa by 5 runs (DLS) to reach yet another final
ମହିଳା ଟି-20 ବିଶ୍ବକପ: ଫାଇନାଲରେ ଅଷ୍ଟ୍ରେଲିଆ

By

Published : Mar 5, 2020, 7:49 PM IST

ସିଡନୀ: ମହିଳା ଟି-20 ବିଶ୍ବକପର ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ଡକୱର୍ଥ ଲୁଇସ ପଦ୍ଧତିରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି । ଏହି ବିଜୟ ସହ ଅଷ୍ଟ୍ରେଲିଆ ମହିଳା ଦଳ ଫାଇନାଲରେ ପ୍ରବେଶ କରିଛି । ଦଳ ଆସନ୍ତା 8 ତାରିଖରେ ଟାଇଟଲ ପାଇଁ ଭାରତ ସହ ମୁକାବିଲା କରିବ ।

ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ମହିଳା ଦଳ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଁ ଅଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 134 ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଅଧିନାୟକ ମେଗ ଲାନିଙ୍ଗ ସର୍ବାଧିକ 49 ରନ କରିଥିବା ବେଳେ ବେଥ ମୋନି 28 ରନ, ଆଲେସା ହେଲି 18 ଓ ରାକେଲ ହାଏନିସ 17 ରନ ସଂଗ୍ରହ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ନାଦିନେ ଡି କ୍ଲେର୍କ ସର୍ବାଧିକ 3ଟି ୱିକେଟ ଅକ୍ତିଆର କରିଥିଲେ । ସେହିପରି ଆୟାବୋଙ୍ଗା ଖାକା ଓ ନୋନକୁଲୁଲେକୋ ମ୍ଲାବା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ଅନ୍ୟପକ୍ଷରେ 135 ରନ ବିଜୟ ଲକ୍ଷ୍ଯର ପିଛା କରି ଦକ୍ଷିଣ ଆଫ୍ରିକା 5 ଓ୍ବିକେଟ ହରାଇ 13 ଓଭରରେ 92 ରନ ସଂଗ୍ରହ କରିଥିଲା । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଦଳ ପକ୍ଷରୁ ଲୌରା ୱଲଭାର୍ଡଟ ସର୍ବାଧିକ 41 ରନ ସଂଗ୍ରହ କରିଥିବାବେଳେ ସୁନେ ଲୁସ 21, ଡାନେ ଭନ ନିକେର୍କ 12 ରନ ଓ ଲିଜଲେ ଲି 10 ରନ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମେଗାନ ସ୍କଟ 2ଟି ୱିକେଟ ଅକ୍ତିଆର କରିଥିବାବେଳେ ଜେସ ଜୋନାସେନ, ସୋଫି ମୋଲିନସ ଓ ଡେଲିସା କିମ୍ମିଇନସ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଡକୱର୍ଥ ଲୁଇସ ପଦ୍ଧତିରେ ଅଷ୍ଟ୍ରେଲିଆକୁ 5 ରନରେ ବିଜୟୀ ଘୋଷଣା କରାଯାଇଥିଲା । ସେହିପରି ମେଗ ଲାନିଙ୍ଗଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା ।

ଆସନ୍ତା 8 ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଟି-20 ବିଶ୍ବକପ ଇତିହାସରେ ଭାରତ ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଛି । ଲିଗ ପର୍ଯ୍ୟାୟରେ ପଏଣ୍ଟ ତାଲିକାର ଶୀର୍ଷରେ ରହିଥିଲା ଭାରତ । ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମୁକାବିଲା ବର୍ଷାରେ ଧୋଇଯିବାରୁ ଏହି ଫାଇଦା ଦଳକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details