ହାଇଦ୍ରାବାଦ: ୱେଷ୍ଟଇଣ୍ଡିଜର ଅନ୍ତିମ 'Three Ws' ସାର୍ ଏଭରଟନ ୱିକ୍ସଙ୍କ ପରଲୋକ । 95ବର୍ଷ ବୟସରେ ବୁଧବାର ଚିର ନିଦ୍ରାରେ ଶୋଇଯାଇଛନ୍ତି ଏହି ଭେଟେରାନ କ୍ରିକେଟର । କିମ୍ବଦନ୍ତୀ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ୱିକ୍ସଙ୍କୁ, କାରବିୟନ କ୍ରୀଡାର 'ଫାଉଣ୍ଡର ଫାଦର' ବୋଲି କୁହାଯାଉଥିଲା ।
‘ଜଣେ ମହାନ, ହିରୋ ସାର୍ ଏଭରଟନ ୱିକ୍ସଙ୍କ ଦେହାନ୍ତରେ ଆମେ ମର୍ମାହତ ।’ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ପକ୍ଷରୁ ଏକ ଆବେଗପୂର୍ଣ୍ଣ ଟ୍ବିଟ କରାଯାଇଛି । ଏଥିସହିତ ବୋର୍ଡ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜଣାଯାଇଛି ।
ୱିକ୍ସ ବର୍ଷ 1948ରୁ 1958 ମଧ୍ୟରେ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ ଟିମର ଅନ୍ୟତମ ପ୍ରମୁଖ ସଦସ୍ୟ ରହିଥିଲେ । ସେ ଖେଳିଥିବା 48ଟି ଟେଷ୍ଟରୁ 58.61 ହାରରେ 4,455 ରନ ସଂଗ୍ରହ କରିଛନ୍ତି । କ୍ରିକେଟର ଲମ୍ବା ଫର୍ମାଟରେ 207 ରନ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ରନ ।
ଏଭରଟନ ୱିକ୍ସଙ୍କ ଦେହାନ୍ତରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମଧ୍ୟ ଶୋକବ୍ୟକ୍ତ କରିଛି । ୱିକ୍ସ ୱେଷ୍ଟଇଣ୍ଡିଜର ଜଣେ ମହାନ ବ୍ୟାଟ୍ସମ୍ୟାନ ଓ ପୂର୍ବତନ ଆଇସିସି ମ୍ୟାଚ ରେଫ୍ରୀ ଥିଲେ ବୋଲି ଆଇିସିସି ପକ୍ଷରୁ ଟ୍ବିଟରେ ଉଲ୍ଲେଖ କରାଯାଇଛି । ଏଥିସହିତ ଶୋକସତନ୍ତପ୍ତ ପରିବାର ବର୍ଗକୁ ସମେବେଦନା ଜଣାଇବା ସହ, ଆତ୍ମାର ସଦଗତି କାମନା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ