ହାଇଦ୍ରାବାଦ: ପୂର୍ବତନ ଟିମ ଇଣ୍ଡିଆ ବ୍ୟାଟ୍ସମ୍ୟାନ ୱାସିମ ଜାଫର ଉତ୍ତରାଖଣ୍ଡ କ୍ରିକେଟ ଟିମର ମୁଖ୍ୟ କୋଚ ନିଯୁକ୍ତ ହୋଇଛନ୍ତି । ଆଗାମୀ ଘରୋଇ ସିରିଜ ପାଇଁ ଉତ୍ତରାଖଣ୍ଡର କୋଚ ଦାୟିତ୍ବ ତୁଲାଇବେ ଭେଟେରାନ ଜାଫର । ରାଜ୍ୟ କ୍ରିକେଟ ଟିମର କୋଚ ଭାବେ ଜାଫରଙ୍କ ଏହା ପ୍ରଥମ ଇଂନିସ । କୋଚ ନିଯୁକ୍ତି ନେଇ ନିଜେ ସୂଚନା ଦେଇଛନ୍ତି ୱାସିମ ଜାଫର ।
କୋଚ ନିଯୁକ୍ତ ହେବାପରେ ଜାଫର କହିଛନ୍ତି, ଉତ୍ତରାଖଣ୍ଡରେ ଅନେକ ଯୁବ କ୍ରିକେଟ ପ୍ରତିଭା ରହିଥିହା ସେ ଅନେକ ଶୁଣିଛନ୍ତି । 19ବର୍ଷରୁ କମ କ୍ରିକେଟ ଟିମ ଦମଦାର ପ୍ରଦର୍ଶନ କରିଛନ୍ତି । ଏବେ ସେମାନଙ୍କୁ ସଠିକ ଦିଶା ଦେଖାଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନିତ କରିବାର ମୁଖ୍ୟ କାର୍ଯ୍ୟ ହେବ ।
ଜାଫର ଟିମ ଇଣ୍ଡିଆ ପକ୍ଷରୁ 31ଟି ଟେଷ୍ଟରୁ 11 ଅର୍ଦ୍ଧଶତକ ସହ 34.11 ହାରରେ 1944 ରନ ସଂଗ୍ରହ କରିଛନ୍ତି । ୱେଷ୍ଟଇଣ୍ଡିଜ ମାଟିରେ ଦ୍ବିଶତକ ହାସଲକାରୀ ଅଳ୍ପ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଜାଫର ରହିଛନ୍ତି । ସେଣ୍ଟଲୁସିଆରେ 212 ରନ ଇଂନିସ ଖେଳିଥିଲେ । 2ଟି ଅନ୍ତର୍ଜାତୀୟ ଦିନିକିଆରେ ଟିମ ଇଣ୍ଡିଆ ଜର୍ସିରେ ମଧ୍ୟ ସେ ନଜର ଆସିଛନ୍ତି । ତେବେ ତାଙ୍କର ଶ୍ରେଷ୍ଠ ପରିଚୟ ପ୍ରଥମ ଶ୍ରେଣୀ କ୍ରିକେଟରେ ରହିଛି ।
260 ପ୍ରଥମ ଶ୍ରେଣୀ ମ୍ୟାଚରୁ 19,410 ରନ ସଂଗ୍ରହ କରିଛନ୍ତି ଜାଫର । ଏଥିରେ 91ଟି ଶତକ ଓ 57 ଅର୍ଦ୍ଧଶତକ ସାମିଲ ରହିଛି । ସର୍ବାଧିକ ବ୍ୟକ୍ତିଗତ ସ୍କୋର 314 ରହିଛି । 150ଟି ରଣଜୀ ଟ୍ରଫି ମ୍ୟାଚ ଖେଳିବାରେ ସେ ଦେଶର ପ୍ରଥମ କ୍ରିକେଟର । ରଣଜୀ ଟ୍ରଫିରେ 12,000 ରନ ପୂରଣ କରିବାରେ ମଧ୍ୟ ସେ ପ୍ରଥମ କ୍ରିକେଟର । 2017-18 ଓ 22018-19 ସିଜିନରେ ବିଦର୍ଭ ରଣଜୀ ଟ୍ରଫି ବିଜେତା ହେବାରେ, ସେ ପ୍ରମୁଖ ଭୁମିକା ନିଭାଇଥିଲେ । ଚଳିତ ବର୍ଷ ମାର୍ଚ୍ଚରେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଥିଲେ ଭେଟେରାନ ୱାସିମ ଜାଫର ।