ହାଇଦ୍ରାବାଦ: କ୍ରିକେଟକୁ ଅଲବିଦା କହିଲେ ଆଉଜଣେ ଭେଟେରାନ କ୍ରିକେଟର । ପୂର୍ବତନ ଟିମ ଇଣ୍ଡିଆ ଓପନର ୱାସିମ ଜାଫର କ୍ରିକେଟର ସମସ୍ତ ଫର୍ମାଟରୁ ନେଇଛନ୍ତି ଅବସର ।
42 ବର୍ଷିୟ ଜାଫର ମୋଟ 31 ଟି ଟେଷ୍ଟରୁ 34.11 ଆଭରେଜରେ 1,944 ରନ କରିଛନ୍ତି । ସେଥମଧ୍ୟରେ 11ଟି ଶତକ ରହିଥିବାବେଳେ, 212 ରନ ଜାଫରଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର । ବର୍ଷ 2006ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡେବ୍ୟୁ କରିଥିଲେ ଏହି ଷ୍ଟାଇଲିଷ୍ଟ ବ୍ୟାଟ୍ସମ୍ୟାନ । ତେବେ ସେ ରଣଜୀ କ୍ରିକେଟର ଭାବେ ବିଶେଷ ସଫଳତା ଓ ସମ୍ମାନ ହାସଲ କରିଛନ୍ତି ।
ମୁମ୍ବାଇର 38 ଓ 39 ତମ ରଣଜୀ ଟାଇଟଲ ବିଜୟରେ ୱାସିମ ଜାଫର ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ଭାରତୀୟ କ୍ରିକେଟ ଇତିହାସରେ ସେ 150ଟି ରଣଜୀ ମ୍ୟାଚ ଖେଳିବାରେ ସେ ପ୍ରଥମ କ୍ରିକେଟର ।ରଣଜୀ ଟ୍ରଫିରେ ରେକର୍ଡ 12,000 ରନ ହାସଲ କରିବାରେ ସେ ପ୍ରଥମ ଖେଳାଳି। ମହାରାଷ୍ଟ୍ର କ୍ରିକେଟର ୱାସିମ ଜାଫର ବିଦର୍ଭ ରଣଜୀ ଟିମରେ ମଧ୍ୟ ଖେଳିଛନ୍ତି । ଗତ ରଣଜୀ ସିଜନରେ 1037 ରନ ସଂଗ୍ରହ କରି ଚର୍ଚ୍ଚାରେ ଥିଲେ ସେ । ଏଥିସହିତ ବିଦର୍ଭକୁ ଲଗାତାର ରଣଜୀ ଟ୍ରଫି ଜିତାଇବାରେ ସେ ଥିଲେ ପ୍ରମୁଖ ଖେଳାଳି ।
ଅବସର ଘୋଷଣା ବେଳେ ୱାସିମ ଜାଫର ନେତୃତ୍ବରେ ଖେଳିଥବା ସମସ୍ତ କ୍ୟାପଟେନ, ସାଥି ଖେଳାଳି, ସପୋର୍ଟ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି ।