ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଅକ୍ଟୋବର-ନଭେମ୍ବରେ ଖେଳାଯିବାକୁ ଥିବା ଟି20 ବିଶ୍ବକପ ପାଇଁ ସବୁ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଫଟାଫଟ କ୍ରିକେଟର ଏହି ମହାକୁମ୍ଭ ପାଇଁ ଶ୍ରେଷ୍ଠ ଚୂଡାନ୍ତ ଏକାଦଶ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ ।
ଏହିଭିତରେ 2020 ବିଶ୍ବକପ ଚମ୍ପିଆନ ନେଇ ପୂର୍ବାନୁମାନ କରିଛନ୍ତି କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଲାରା । ବିରାଟ କୋହଲିଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଜିତିବ 2020 ଟି-20 ବିଶ୍ବକପ। ଏହି ଟିମରେ ବିଶ୍ବକପ ବିଜୟୀ ହେବାପାଇଁ ସମସ୍ତ କ୍ଷମତା ରହିଛି ବୋଲି କହିଛନ୍ତି ଲାରା ।
କ୍ରମାଗତ ଭାବେ ଆଇିସିସି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ-ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିପାରୁଛି ଭାରତୀୟ ଟିମ । ତେବେ ଶେଷଥର ପାଇଁ 2013ରେ ମହେନ୍ଦ୍ର ସିଂହଙ୍କ ନେତୃତ୍ବରେ ଆଇସିସି ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ବିଜୟୀ ହୋଇଥିଲା ଟିମ ଇଣ୍ଡିଆ । ଚମ୍ପିଆନ ଟ୍ରଫି ଫାଇନାଲରେ ଇଂଲଣ୍ଡରୁ ହରାଇ ଚମ୍ପିଆନ ହୋଇଥିଲେ ଧୋନି ଧୁରନ୍ଦର । 2019 ଦିନିକିଆ ବିଶ୍ବକପ ଫେବରିଟ ଥିବା ଭାରତ, ସେମିଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇ ବିଦାୟ ନେଇଥିଲା ।
ଟେଷ୍ଟ କ୍ରିକେଟରେ ଲାରା ନିଜର ସର୍ବାଧିକ 400 ରନର ବ୍ୟକ୍ତିଗତ ସ୍କୋର ଭଙ୍ଗ ନେଇ ମଧ୍ୟ ପୂର୍ବାନୁମାନ କରିଛନ୍ତି । ଏହି ରେକର୍ଡକୁ ବିରାଟ କୋହଲି, ରୋହିତ ଶର୍ମା ଓ ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ଣ୍ଣର ଅତିକ୍ରମ କରିପାରିବେ ବୋଲି ଲାରା କହିଛନ୍ତି । 2004ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ କ୍ରିକେଟରେ 400 ରନ କରି ରେକର୍ଡ କରିଥିଲେ । କ୍ରିକେଟର ଲମ୍ବା ଫର୍ମାଟରେ 400 ରନ ସର୍ବାଧିକ ବ୍ୟକ୍ତିଗତ ସ୍କୋର ରେକର୍ଡ । ତେବେ ଏହାକୁ ପ୍ରାୟ 15 ବର୍ଷରୁ ଅଧିକ ସମୟ ହୋଇଥିଲେ ମଧ୍ୟ କୌଣସି ଖେଳାଳି ଅତିକ୍ରମ କରିପାରିନାହାଁନ୍ତି ।