ଇସଲାମାବାଦ: ପାକିସ୍ତାନ ୱିକେଟ କିପର କାମରାନ ଆକମଲ ଚାହୁଁଛନ୍ତି ଯେ ତାଙ୍କ ସାନଭାଇ ଉମର ବିରାଟ କୋହଲି, ସଚିନ ତେନ୍ଦୁଲକର ଏବଂ ଏମଏସ ଧୋନିଙ୍କଠାରୁ ଶିଖନ୍ତୁ ଏବଂ ସର୍ବଦା ବିବାଦରୁ ଦୂରେଇ ରୁହନ୍ତୁ । ବିବାଦରେ ରହିବା ଅପେକ୍ଷା ନିଜ ଖେଳ ଉପରେ ଧ୍ୟାନ ଦିଅନ୍ତୁ । ପାକିସ୍ତାନ ସୁପର ଲିଗ୍ ପୂର୍ବରୁ ଦୁର୍ନୀତିଗ୍ରସ୍ତ ଆଭିମୁଖ୍ୟ ରିପୋର୍ଟ କରିବାରେ ବିଫଳ ହେବାରୁ ଉମରଙ୍କୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ତିନି ବର୍ଷ ପାଇଁ ବ୍ୟାନ କରିଛି।
2009ରେ ଡେବ୍ୟୁ କରିବାର ଦୁଇ ମାସ ମଧ୍ୟରେ ଏକ ଦିନିକିଆ ଶତକ ଏବଂ ଟେଷ୍ଟ ଶତକ ହାସଲ କରିଥିବା ଉମର ଆକମଲଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରାଯାଇଥିଲା। କୋହଲି ସେତେବେଳେ ନିଜର ତିନି ଅଙ୍କ ସ୍କୋର ପର୍ଯ୍ୟନ୍ତ ପହଁଞ୍ଚି ପାରି ନଥିଲେ । ତେବେ 2009 ପରଠାରୁ କୋହଲି 70ଟି ଅନ୍ତର୍ଜାତୀୟ ଶତକ ହାସଲ କରିଥିବା ବେଳେ ଅକମଲ କେବଳ ଗୋଟିଏ ହିଁ କରିବାରେ ସଫଳ ହୋଇଥିଲେ ।
“ଉମରଙ୍କ ପାଇଁ ମୋର ପରାମର୍ଶ ହେଉଛି ତାଙ୍କୁ ଶିଖିବାକୁ ପଡ଼ିବ। ଯଦି ସେ ଏକ ଭୁଲ କରିଛନ୍ତି, ତେବେ ସେ ଅନ୍ୟମାନଙ୍କଠାରୁ ଶିଖିବା ଆବଶ୍ୟକ । ସେ ଏବେ ଯୁବାବସ୍ଥାରେ ଅଛନ୍ତି । ଜୀବନରେ ଅନେକ ଜଟିଳ ପରିସ୍ଥିତି ଆସିବ । ବୋଲି କାମରାନ ଏକ ଚାଟ ସୋ ରେ କହିଛନ୍ତି।
“କିନ୍ତୁ ସେ ବିରାଟ କୋହଲିଙ୍କଠାରୁ ଶିଖିବା ଜରୁରୀ । ଆଇପିଏଲର ପ୍ରାରମ୍ଭିକ ଦିନରେ ବିରାଟ ଭିନ୍ନ ଥିଲେ ଏବଂ ତା’ପରେ ସେ ନିଜର ମନୋଭାବ ଏବଂ ଆଭିମୁଖ୍ୟ ବଦଳାଇଲେ । ସେ କିପରି ବିଶ୍ବର ଏକ ନମ୍ବର ବ୍ୟାଟ୍ସମ୍ୟାନ ଭାବରେ ପରିଣତ ହୋଇଛନ୍ତି ତାହା ଦେଖନ୍ତୁ ଉମର,’’ ବୋଲି ସେ କହିଛନ୍ତି ।