ଦୁବାଇ: ଭାରତରେ କୋରୋନା ଭାଇରସ କେସ ବୃଦ୍ଧି ପାଉଥିବାରୁ ଚଳିତ ବର୍ଷର ଆଇପିଏଲ ୟୁଏଇରେ ଆୟୋଜନ ହେବାନେଇ ଚର୍ଚ୍ଚା ହେଉଛି । ସେଥିପାଇଁ ୟୁଏଇ ପ୍ରସ୍ତୁତିରେ ଲାଗିପଡିଥିବା ଜଣାପଡିଛି । ଏହି ମେଗା ଇଭେଣ୍ଟ ପାଇଁ ସମସ୍ତ ପ୍ରକାର ସୁବିଧା ପ୍ରସ୍ତୁତ ରଖିଥିବା କହିଛନ୍ତି ଦୁବାଇ ସ୍ପୋର୍ଟ୍ସ ସିଟିର କ୍ରିକେଟ ଓ ଇଭେଣ୍ଟ ମୁଖ୍ୟ ସଲମନ ହନିଫ ।
ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ସମ୍ଭବତଃ ଆଇପିଏଳ ଖେଳାଯିବା ନେଇ ବିସିସିଆଇ ସୂଚୀ ପ୍ରସ୍ତୁତ କରିପାରେ । ତେବେ ଅକ୍ଟୋବର 18ରୁ ନଭେମ୍ବର 15 ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ହେବାକୁ ଥିବା, ଟି-20 ବିଶ୍ବକପ ନେଇ ଏବେବି ଚିତ୍ର ଅସ୍ପଷ୍ଟ ରହିଛି । ଏପରି ସ୍ଥିତିରେ ଆଇସିସିର ନିଷ୍ପତିକୁ ବିସିସିଆଇ ପକ୍ଷରୁ ଅପେକ୍ଷା କରାଯାଇଛି ।
ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ଦୁବାଇ ସ୍ପୋର୍ଟ୍ସ ସିଟି ଓ ଆଇସିଏ ଏକାଡେମୀ ଟି-20 ଲିଗ ପାଇଁ ପ୍ରସ୍ତୁତ ରହିଛି । ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ହନିଫ୍ ।