ହାଇଦ୍ରାବାଦ: ଅଗଷ୍ଟ 18ରେ ଆରମ୍ଭ ହେବ କାରବିୟନ ପ୍ରିମିୟର ଲିଗ(CPL)ର 2020 ସଂସ୍କରଣ । ତ୍ରିନିଦାଦ ଓ ତୋବାଗୋରେ ଅଗଷ୍ଟ 18ରୁ ଆରମ୍ଭ ହୋଇ ସେପ୍ଟେମ୍ବର 10 ପର୍ଯ୍ୟନ୍ତ ଖେଳାଯିବ ଏହି ମେଗା ଟି-20 ଲିଗ ।
ପୂର୍ବ ସଂସ୍କରଣ ପରି ଚଳିତ ଥର ସିପିଏଲର ସଂପୂର୍ଣ୍ଣ ମ୍ୟାଚ ଖେଳାଯିବ । କାରବିୟନ ଖେଳାଳିଙ୍କ ସମେତ ବିଦେଶୀ ଖେଳାଳି ମଧ୍ୟ ସାମିଲ ହେବେ । ରସିଦ ଖାନ, କ୍ରିନ ଲିନ, କାର୍ଲୋସ ବ୍ରାଥୱେଟ, ଡ୍ବାଇନ ବ୍ରାଭୋ, ଆଲେକ୍ସ ହେଲ୍ସ ଓ କିରଣ ପୋଲାର୍ଡ ଭଳି ଖେଳାଳି ସମସ୍ତେ ଭାଗନେବେ । ଏନେଇ ସିପିଏଲ ପକ୍ଷରୁ ଏକ ଘୋଷଣାନାମାରେ ସୂଚନା ଦିଆଯାଇଛି ।
ତେବେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ମହାମାରୀ କୋରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି, ସିପିଏଲ ପକ୍ଷରୁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଇଛି । ବିଦେଶୀ ଖେଳାଳି, ୱେଷ୍ଟଇଣ୍ଡିଜ ଗସ୍ତ କରିବା ପୂର୍ବରୁ କୋଭିଡ-19 ଟେଷ୍ଟ କରାଇବେ । ତ୍ରିନିଦାଦରେ ପହଞ୍ଚିବା ପରେ ମଧ୍ୟ ପୁନଃ ଟେଷ୍ଟ କରାଯିବ । ଗୋଟିଏ ଟିମକୁ ଗୋଟିଏ ହୋଟେଲରେ ରହିବାର ବ୍ୟବସ୍ଥା ହୋଇଛି। ଏଥିସହିତ ସମସ୍ତ ଖେଳାଳିଙ୍କୁ ଦୁଇ ସପ୍ତାହ କ୍ବାରେଣ୍ଟିନରେ ରହିବାକୁ ହେବ ବୋଲି କୁହାଯାଇଛି ।