ଓଡିଶା

odisha

ETV Bharat / sports

‘ମୁଁ ସାଣ୍ଡୱିଚ ଖାଉଥିଲି ଧୋନି ଆସି କହିଲେ ‘ପ୍ୟାଡ ଅପ୍‌’’ - ସୁରେଶ ରାଇନା

ଧୋନିଙ୍କ ନିଷ୍ପତ୍ତିକୁ ପ୍ରଶଂସା କଲେ ରାଇନା । କହିଲେ 2015 ବିଶ୍ବକପରେ ଭାରତ ବନାମ ପାକିସ୍ତାନ ମ୍ୟାଚରେ ଧୋନିଙ୍କ ନିଷ୍ପତ୍ତି ମ୍ୟାଚ ବଦଳାଇ ଦେଇଥିଲା । ଅଧିକ ପଢ଼ନ୍ତୁ...

Suresh Raina, 2015 World Cup match against Pakistan, ଧୋନି ଆସି କହିଲେ ପ୍ୟାଡ ଅପ୍‌, ସୁରେଶ ରାଇନା, 2015 ବିଶ୍ବକପରେ ଭାରତ ବନାମ ପାକିସ୍ତାନ
‘ମୁଁ ସାଣ୍ଡୱିଚ ଖାଉଥିଲି ଧୋନି ଆସି କହିଲେ ‘ପ୍ୟାଡ ଅପ୍‌’’

By

Published : May 23, 2020, 6:50 PM IST

ନୂଆଦିଲ୍ଲୀ: ଏକଦିବସୀୟ ବିଶ୍ବକପରେ ଅନେକ ଥର ଭାରତ ପାକିସ୍ତାନକୁ ମାତ ଦେଇଛି । ସଠିକ ସଂଖ୍ୟାରେ କହିଲେ 7ଥର । ତେବେ 2015 ବିଶ୍ବକପରେ ଭାରତ ବନାମ ପାକିସ୍ତାନ ମ୍ୟାଚରେ ଆଉ କିଛି ମନେ ରହୁ କି ନରହୁ କୋହଲିଙ୍କ ବିଚକ୍ଷଣ ଶତକ ସମସ୍ତଙ୍କର ମନେ ଅଛି । ଭାରତ ସେହି ଗ୍ରୁପ ପର୍ଯ୍ୟାୟ ମ୍ୟାଚକୁ 76 ରନରେ ଆରାମରେ ଜିତିଥିଲା ​​ତେଣୁ ମନେ ରଖିବା ପାଇ ବିଶେଷ କିଛି ନଥିଲା । କିନ୍ତୁ କୋହଲିଙ୍କ ସେହି ଶତକୀୟ ପାଳି ମଧ୍ୟ ସୁରେଶ ରାଇନାଙ୍କର ଏକ ଚମତ୍କାର ଇନିଂସ କେହି ନୋଟିସ କରି ପାରିନଥିଲେ ।

ପାଞ୍ଚ ବର୍ଷ ପରେ ସେହି ଇନିଂସକୁ ମନେ ପକାଇ ରାଇନା କହିଛନ୍ତି ଯେ ତା ପାଇଁ ଅଧା ଶ୍ରେୟ ତତ୍କାଳୀନ ଅଧିନାୟକ ଏମଏସ ଧୋନିଙ୍କୁ ଦିଆଯିବା ଉଚିତ । କାରଣ ସେଦିନ ଧୋନି ହିଁ ରାଇନାଙ୍କୁ ବ୍ୟାଟିଂ ଅର୍ଡରରେ ଉପରକୁ ଉଠାଇ 4 ନମ୍ବରରେ ବ୍ୟାଟିଂ ପାଇଁ ପଠାଇଥିଲେ ।

ଅଜିଙ୍କ୍ୟ ରାହାଣେ ବିଶ୍ବକପରେ ଭାରତର ନଂ-4 ବ୍ୟାଟ୍ସମ୍ୟାନ ହୋଇଥିବାବେଳେ ରାଇନା ମୁଖ୍ୟତ 5 ନମ୍ବରରେ ବ୍ୟାଟିଂ କରୁଥିଲେ । କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ନୁହେଁ । ରାଇନା ପ୍ରକାଶ କରିଛନ୍ତି ଯେ ଧୱନ କୋହଲି ବ୍ୟାଟିଂ କରୁଥିବା ସମୟରେ ଧୋନି ହିଁ ହଠାତ ତାଙ୍କ ପାଖକୁ ଆସି ତାଙ୍କୁ ପ୍ୟାଡ ଅପ ହେବାକୁ କହିଥିଲେ ।

‘‘ମୁଁ ତାଙ୍କ ନିଷ୍ପତ୍ତି ଉପରେ କେବେବି ପ୍ରଶ୍ନ କରି ନାହିଁ । ମୋର ମନେ ଅଛି, ବିଶ୍ବକପ 2015ରେ ପାକିସ୍ତାନ ବିପକ୍ଷ ମ୍ୟାଚ ସମୟରେ ମୁଁ ଏକ ସାଣ୍ଡୱିଚ କିମ୍ବା କିଛି ଖାଉଥିଲି । ହଠାତ 20 ଓଭର ପରେ ସେ କହିଥିଲେ ଯେ “ପ୍ୟାଡ୍ ଅପ” । ମୁଁ ପ୍ୟାଡ ଅପ କଲି । ବିରାଟ ଭଲ ବ୍ୟାଟିଂ କରୁଥିଲେ ଏବଂ ଶିଖର ରନ ଆଉଟ ହେବାର କିଛି ଓଭର ପୂର୍ବରୁ ଏହା ଘଟିଥିଲା । ତେଣୁ ମୁଁ ମିଡିଲ ଅର୍ଡରରେ ଗଲି କିଛି ସଟ ଖେଳି 70-80 ରନ ସ୍କୋର କରିଥିଲି,’’ ବୋଲି ରାଇନା ଏକ ୟୁଟ୍ୟୁବ ସାକ୍ଷାତକାରରେ କହିଛନ୍ତି ।

ଭାରତ 29.5 ଓଭରରେ 3 ୱିକେଟ ହରାଇ 162 ରନ୍ କରିଥିବାବେଳେ ରାଇନା ନଂ 4ରେ ବ୍ୟାଟିଂ କରିବାକୁ ଯାଇଥିଲେ । ବାମହାତୀ ଏହି ବ୍ୟାଟ୍ସମ୍ୟାନ 56ରେ 4 ଚଉକା ଓ ତିନି ଛକା ବଳରେ 74 ରନ କରିଥିଲେ, ଓ କୋହଲିଙ୍କ ସହ 110 ରନର ଏକ ଗୁରୁତ୍ବପୂର୍ଣ୍ଣ ଭାଗିଦାରୀ କରିଥିଲେ ।

ଧୋନିଙ୍କ ହଠାତ୍ ଚିନ୍ତାଧାରାର ପରିବର୍ତ୍ତନ ପଛରେ ଥିବା କାରଣ ବିଷୟରେ ମଧ୍ୟ ରାଇନା କହିଥିଲେ । “ମ୍ୟାଚ ପରେ ମୁଁ ତାଙ୍କୁ ପଚାରିଲି ତୁମେ ମତେ କାହିଁକି 4 ନମ୍ବରରେ ପଠାଇଲ ? ସେ କହିଥିଲେ, ‘ମୁଁ ଭାବିଲି ତୁମେ ସେହି ସମୟରେ ବୋଲିଂ କରୁଥିବା ଲେଗ ସ୍ପିନରଙ୍କ ବିପକ୍ଷରେ ଭଲ ଖେଳିବ’। ମୋର ବ୍ୟାଟିଂ ପାଇଁ ସେ ମୋତେ ପ୍ରଶଂସା ମଧ୍ୟ କରିଥିଲେ। ତେଣୁ ମୁଁ ମଧ୍ୟ ଜାଣିବାକୁ ଚାହେଁ ତାଙ୍କ ମନରେ କ’ଣ ଚାଲିଥାଏ,” ବୋଲି ରାଇନା କହିଛନ୍ତି।

ଧୋନିଙ୍କ ରଣନୀତି ଆଶ୍ଚର୍ଯ୍ୟଜନକ ଥିଲା । ତାଙ୍କ ରଣନୀତି ଯୋଗୁଁ ହିଁ ସେହି ମ୍ୟାଚରେ ପାକିସ୍ତାନର ଲେଗ-ସ୍ପିନର ୟାସିର ଶାହା କୌଣସି ୱିକେଟ ନେଇ ପାରିନଥିଲେ । ୟାସିରଙ୍କୁ ରାଇନା ଖୁବ ପ୍ରହାର କରିଥିଲେ । 8 ଓଭରରେ 60 ରନ ଦେଇ କୌଣସି ୱିକେଟ ନେଇ ପାରିନଥିଲେ ୟାସିର ।

ଅନ୍ୟ ସ୍ପିନର ତଥା ପାର୍ଟ ଟାଇମର୍ ହରିସ୍ ସୋହେଲ ମଧ୍ୟ 4 ଓଭରରୁ 26 ରନ ଦେଇ କୌଣସି ୱିକେଟ ନେଇ ପାରିନଥିଲେ ।

ତେବେ ପାକିସ୍ତାନର ସୋହେଲ ଖାନ 5 ୱିକେଟ ନେବାରେ ସଫଳ ହୋଇଥିଲେ ଓ ଭାରତ ଏକ ବୃହତ ସ୍କୋର କରିବାରେ ବିଫଳ ହୋଇଥିଲା । ତଥାପି ସେହି ମ୍ୟାଚରେ ପାକିସ୍ତାନ ପାଇଁ 300 ରନ ଯଥେଷ୍ଟ ଥିଲା । ଭାରତୀୟ ବୋଲରଙ୍କ ଆକ୍ରମଣରେ 227 ରନରେ 47 ଓଭରରେ ଅଲ ଆଉଟ ହୋଇଥିଲା ପାକିସ୍ତାନ ।

ଧୋନିଙ୍କୁ ପ୍ରଶଂସା କରି ରାଇନା କହିଛନ୍ତି ଯେ, ‘‘ଧୋନି ସର୍ବଦା ଖେଳଠାରୁ ଗୋଟିଏ ପାଦ ଆଗରେ ରହିଥା’ନ୍ତି । ସେ ପୁରା ମ୍ୟାଚ ଷ୍ଟମ୍ପ ପଛରେ ଛିଡା ହୋଇ, ପିଚ୍ ଆକଳନ କରନ୍ତି, ଏହା ଟର୍ନ୍ ହେଉଛି କି ନାହିଁ, ସ୍ବିଙ୍ଗ ହେଉଛି କି ନାହିଁ । ସେ କ୍ବଚିତ ହିଁ ଭୁଲ କରନ୍ତି । ଭଗବାନ ନିଶ୍ଚିତ ଭାବରେ ତାଙ୍କୁ କିଛି ବିଶେଷ ଦକ୍ଷତା ଦେଇଛନ୍ତି ବୋଲି ମୁଁ ଭାବୁଛି । ପରେ ଯେତେବେଳେ ମୁଁ ଆଇପିଏଲରେ ଗୁଜୁରାଟ ଲାଇନ୍ସର ଅଧିନାୟକ ହୋଇଥିଲି, ସେତେବେଳେ ସେ ମୋତେ କହିଥିଲେ ଯେ ତୁମେ ପରାମର୍ଶ ପାଇଁ ଯେକୌଣସି ସମୟରେ ମୋ ପାଖକୁ ଆସିପାରିବେ ।’’

ABOUT THE AUTHOR

...view details