ହାଇଦ୍ରାବାଦ: 1999 ଜୁଲାଇ 26 ରେ ଭାରତୀୟ ସେନାର ବିଜୟ ଦିବସକୁ ଆଜି 21ବର୍ଷ ପୂରଣ ହୋଇଛି । ସାରା ଦେଶ ବୀର ଯବାନଙ୍କ ବୀରତ୍ବର ଗାଥା ଗାଉଥିବା ବେଳେ କ୍ରୀଡା ଜଗତ ମଧ୍ୟ ଏଥିରୁ ବାଦ୍ ପଡିନାହିଁ । ସୋସିଆଲ ମିଡିଆରେ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ଦେଶର ବହୁ କ୍ରୀଡାବିତ ।
ତେବେ ଏହି ଧାରାରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର । ବିରାଟ ନିଜ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି, ‘‘ଦେଶର ବୀର ଯବାନଙ୍କୁ ମୋର ସ୍ୟାଲୁଟ୍ । ଯିଏ ଦେଶ ପାଇଁ ନିଜ ଜୀବନର ବଳି ଦାନ ଦେଇ ଆମକୁ ସୁରକ୍ଷା ପ୍ରଦାନ କରିଛନ୍ତି । ଜୟ ହିନ୍ଦ୍ । ’’
ସେହିପରି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଲେଖିଛନ୍ତି, ‘‘ କାରଗିଲ ଯୁଦ୍ଧରେ ବୀର ଯବାନଙ୍କ ବୀରତ୍ବ ଓ ନିସ୍ବାର୍ଥପର ବଳିଦାନ କାହାଣୀ ଅସରନ୍ତି ଅଟେ । ତାଙ୍କର ଏହି ବୀରତ୍ବ ପାଇଁ ଆମେ ସଦା ସର୍ବଦା ଋଣି ରହିବା ।’’
ଭାରତୀୟ ଟେଷ୍ଟ ଟିମର ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ, କେଏଲ ରାହୁଲ, ଭିଭିଏସ ଲକ୍ଷ୍ମଣ ମଧ୍ୟ ଟ୍ବିଟ କରି ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।
ପାରାଲିମ୍ପିକ୍ସର ରୌପ୍ୟ ପଦକ ବିଜେତା ଦୀପା ମଲ୍ଲିକ ନିଜ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି, "ଆଜି 21 ତମ ବିଜୟ ଦିବସରେ କାର୍ଗିଲ ଯୁଦ୍ଧର ସମସ୍ତ ହିରୋ ମାନଙ୍କୁ ସମ୍ମାନ ଓ ସ୍ମରଣରେ ମୋ ମୁଣ୍ଡ ନୁଆଁଇଛି । ଆମର ସଶସ୍ତ୍ର ବାହିନୀକୁ ମୋର ନମସ୍କାର। ।’’
ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ସୁଟର ଗଗନ ନାରାଙ୍ଗ ମଧ୍ୟ ଲେଖିଛନ୍ତି: "ମୁଁ କାର୍ଗିଲ ବିଜୟ ଦିବସ ଅବସରରେ ଆମର ସାହସୀ ଓ ବୀର ଯବାନଙ୍କ ସାହସ ଏବଂ ନିସ୍ବାର୍ଥପରତାକୁ ନମସ୍କାର କରୁଛି । ସଶସ୍ତ୍ର ବାହିନୀ ଆମ ଦେଶର ଗର୍ବ, ଏବଂ ଆମେ ସେମାନଙ୍କ ପାଇଁ ସବୁଦିନ ପାଇଁ ଋଣି ରହିବା । ଜୟ ହିନ୍ଦ । ’’
ଭାରତୀୟ ମହିଳା ଦଳର ଅଧିନାୟକ ରାନୀ ରାମପାଲ, ସୁଟର ମନୁ ଭାସ୍କର ମଧ୍ୟ ଶହୀଦ ଯବାନମାନଙ୍କୁ ଟ୍ବିଟରରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।