ଲକ୍ଷ୍ନୌ:ଭାରତ ବିପକ୍ଷରେ ପଞ୍ଚମ ତଥା ଶେଷ ଦିନିକିଆରେ 5 ୱିକେଟରେ ବିଜୟୀ ହୋଇଛି ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ। ଏନେ ବୋସ ଓ ମିଗ୍ନୁନ ଡୁ ପ୍ରେଜଙ୍କ ଦମଦାମ ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ଦଳ ମ୍ୟାଚ ହାତେଇଛି । ଏହାସହ 5ଟିକିଆ ଦିନିକିଆ ସିରିଜକୁ 4-1ରେ ଜିତି ନେଇଛି ଭ୍ରମଣକାରୀ ଦଳ। ଟସ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଦଳ। ଭାରତ ନିର୍ଦ୍ଧାରିତ 50 ଓଭରରେ କେବଳ 188 ରନ କରିବାକୁ ସକ୍ଷମ ହୋଇଥିଲେ।
189 ରନ ବିଜୟ ଲକ୍ଷ୍ୟ ବ୍ୟାଟିଂ ପାଇଁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଦଳ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦ୍ବିତୀୟ ଓଭରରେ ହିଁ ଦଳ ଓପନର ଲାଉରା ୱାଲଭାର୍ଡଙ୍କ ୱିକେଟ ହରାଇଥିଲା । 27 ରନ ବେଳକୁ ଦଳ 3 ଜଣ ପ୍ରମୁଖ ବ୍ୟାଟସମ୍ୟାନ ପାଭେଲିୟନକୁ ଫେରିଥିଲେ। ତେବେ ଏହାପରେ ମିଗ୍ନୁନ ଡୁପ୍ରେଜ ଓ ଆନେ ବୋସ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ। ଉଭୟ ଯଥାକ୍ରମେ 57 ଓ 58 ରନ କରି ଦଳକୁ ବିଜୟ ଦ୍ବାରକୁ ନେଇ ଯାଇଥିଲେ। ବିଜୟ ଲକ୍ଷ୍ୟ ହାସଲ କରିବାରେ ମାରିଜାନେ କାପ୍ପଙ୍କ ମଧ୍ୟ ଗୁରୁତ୍ବପୂର୍ଣ୍ଣ 36 ରନ ଯୋଗଦାନ ରହିଥିଲା। ଭାରତ ପକ୍ଷରୁ ଗାୟକୱାର୍ଡ ସର୍ବାଧିକ 3ଟି ୱିକେଟ ନେଇଥିବା ବେଳେ ପ୍ରତ୍ୟୁଷା ଓ ହେମଲତା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।
କ୍ୟାପଟେନ ମିତାଲି ରାଜଙ୍କ ଲଢୁଆ 79 ରନର ଇଂନିସ ସତ୍ତ୍ବେ ଭାରତୀୟ ମହିଳା ଟିମ ଦକ୍ଷିଣ ଆଫ୍ରିକା ବିପକ୍ଷ ପଞ୍ଚମ ଦିନିକିଆରେ 188 ରନରେ ଅଲଆଉଟ ହୋଇଥିଲା। ଭାରତୀୟ ବ୍ୟାଟସମ୍ୟାନ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ।