ସିଡନୀ: ଆରପାରିରେ ଭାରତୀୟ ପେସ୍ ବୋଲର ମହମ୍ମଦ ସିରାଜଙ୍କ ପିତା । ଦୀର୍ଘ ଦିନ ହେଲା ସିରାଜଙ୍କ ପିତା ମହମ୍ମଦ ଗୌସ ଫୁସଫୁସ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତେବେ ଶେଷ ନିଶ୍ବାସ ତ୍ୟାଗ ବେଳକୁ ସିରିଜଙ୍କ ପିତାଙ୍କ ବୟସ 53ବର୍ଷ ହୋଇଥିଲା ।
ତେବେ 26ବର୍ଷୀୟ ସିରିଜ ଏବେ ଅଷ୍ଟ୍ରେଲିଆରେ ଅଛନ୍ତି । ଭାରତୀୟ ଟେଷ୍ଟ ଟିମ ସହ ଅଷ୍ଟ୍ରେଲିଆରେ ସଙ୍ଗରୋଧରେ ଅଛନ୍ତି । ଫଳରେ ପିତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇ ପାରିବେ ନାହିଁ ସିରାଜ ।
ଭାରତୀୟ ଦଳ ଆଇପିଏଲ-13ର ସମାପ୍ତ ପରେ 13 ନଭେମ୍ବରରେ ସିଡନୀ ପହଞ୍ଚି କ୍ବାରେଣ୍ଟାଇନରେ ରହିଛନ୍ତି ।
ସିରାଜଙ୍କ ସଫଳତା ପଛରେ ପିତା ଅହମ୍ମଦଙ୍କ ବେଶ୍ ଭୂମିକା ରହିଛି । ଏକ ଗରିବ ପରିବାରରେ ବଡ ହୋଇଥିଲେ ମଧ୍ୟ ପିତା ମହମ୍ମଦ ଗୌସ ପୁଅର ସ୍ବପ୍ନକୁ ପୂରଣ କରିବା ପାଇଁ ସର୍ବଦା ତାଙ୍କର ସମର୍ଥନ କରିଛନ୍ତି ।
ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୋର ବାପା ସବୁବେଳେ କହୁଥିଲେ ମୋର ପୁଅ ଦେଶର ନାଁ ଉଚ୍ଚା କରିବ । ମୋ ଜୀବନର ସବୁଠାରୁ ବଡ ସାହାରାକୁ ହରାଇଛି । ଦେଶ ପାଇଁ ଖେଳୁଥିବାର ଦେଖିବାକୁ ଚାହୁଁଥିଲେ ବାପା । ମୁଁ ଖୁସି ଅଛି ତାଙ୍କ ସ୍ବପ୍ନ ପୂରଣ କରିଛି ।
ତେବେ ପିତାଙ୍କ ନିଧନ ଖବର ତାଙ୍କୁ ମୁଖ୍ୟ କୋଚ ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲି ଦେଇଥିବାର ସେ କହିଛନ୍ତି । ସିରାଜ କହିଛନ୍ତି, କୋଚ ରବି ଶାସ୍ତ୍ରୀ ଓ ବିରାଟ ଭାଇ ମତେ ପିତାଙ୍କ ବିୟୋଗ ଖବର ଦେଇଥିଲେ ଓ କହିଥିଲେ ଧୈର୍ଯ୍ୟହରା ନହେବାକୁ ।
ସିରାଜ ଏଯାଏଁ ଭାରତ ପାଇଁ ଗୋଟିଏ ଦିନିକିଆ ଓ 3ଟି ଟି-20 ମ୍ୟାଚ ଖେଳିଛନ୍ତି । ଆଇପିଏଲ-13ରେ ଆରସିବି ପକ୍ଷରୁ ଖେଳି ଭଲ ପ୍ରଦର୍ଶନ କରିଥିଲେ ପେସ୍ ବୋଲର ସିରାଜ । ସେ 9ମ୍ୟାଚରୁ 11ଓ୍ବିକେଟ ହାତେଇବାରେ ସକ୍ଷମ ହୋଇଥିଲେ ।