ନୂଆଦିଲ୍ଲୀ: କ୍ରିକେଟ ପଡ଼ିଆରେ ବର୍ତ୍ତମାନ ସମୟର ଶ୍ରେଷ୍ଠ ଭାରତୀୟ ଓପନର ଯୋଡ଼ି ରୋହିତ ଶର୍ମା ଓ ଶିଖର ଧୱନ ବୋଲି ବିଶ୍ବାସ କରାଯାଉଛି । ଉଭୟଙ୍କ ମଧ୍ୟରେ ତାଳମେଳ, ବନ୍ଧୁତ୍ବ ପାଇଁ ଦୁହେଁ ଦୁହିଁଙ୍କ ଶକ୍ତି ଓ ଦୁର୍ବଳତା ବିଷୟରେ ମଧ୍ୟ ଜାଣନ୍ତି । ଯାହା କାରଣରୁ ଭାରତୀୟ ଦଳକୁ ସୀମିତ ଓଭର କ୍ରିକେଟରେ ଏହି ଯୋଡ଼ି ଅନେକ ସଫଳତା ଦେଇ ପାରିଛନ୍ତି । ତେବେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନ ମଧ୍ୟ ଏହି କଥା କହିଛନ୍ତି ।
2013 ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଭାରତର ବିଜୟ ଅଭିଯାନରେ ଏକ ଓପନିଂ ଯୋଡି ଭାବରେ ଉଭା ହୋଇଥିବା ଧୱନ ଏବଂ ରୋହିତ ଏକାଠି ଅନେକ ରେକର୍ଡ ଭାଙ୍ଗିଛନ୍ତି ଏବଂ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ କିମ୍ବଦନ୍ତୀ ଯୋଡି ପରେ ହ୍ବାଇଟ-ବଲ କ୍ରିକେଟରେ ଭାରତର ଅନ୍ୟତମ ସଫଳତମ ଯୋଡ଼ି ହୋଇପାରିଛନ୍ତି ।
ଷ୍ଟାର ସ୍ପୋର୍ଟସ୍ ସୋ କ୍ରିକେଟ୍ କନେକ୍ଟେଡରେ କଥା ହେବାବେଳେ ପଠାନ କହିଛନ୍ତି, ‘‘ଆମେ ଜାଣୁ ଶିଖର ଖୁବ ମୁକ୍ତ ଭାବରେ ଖେଳନ୍ତି । ସେ ରୋହିତଙ୍କୁ ସମୟ ଦିଅନ୍ତି। ରୋହିତ କିପରି ଶୀଘ୍ର ଗିଅର ବଦଳାଇବାକୁ ସକ୍ଷମ ତାହା ଆମେ ସମସ୍ତେ ଜାଣୁ, କିନ୍ତୁ ସେ ଆରମ୍ଭରୁ ସମୟ ନିଅନ୍ତି ।’’
‘‘କ୍ରିକେଟରେ ଆପଣଙ୍କର ଶକ୍ତି ଏବଂ ଦୁର୍ବଳତାକୁ ବୁଝିବା ପାଇଁ ଅନ୍ୟ ପଟେ କେହି ଜଣେ ଦରକାର । ଶିଖର ବୁଝନ୍ତି ଯେତେବେଳେ ରୋହିତଙ୍କୁ ସମୟ ଦରକାର ହୁଏ । ତେଣୁ କିଛି ଓଭର ଅନ୍ତତଃ ସେ ନିଜେ ଫେସ କରନ୍ତି ।’’