ଓଡିଶା

odisha

ମନେପଡୁଛି ଯୁବରାଜଙ୍କ 6 ବଲରେ 6 ଛକା

By

Published : Sep 19, 2019, 10:51 PM IST

ସାରା ବିଶ୍ବ ମନେ ପକାଉଛି 12 ବର୍ଷ ତଳର ସେହି ଦିନକୁ । ଟି-20 ବିଶ୍ବକପର ପ୍ରଥମ ସମସ୍କରଣ ଭାରତ ବନାମ ଇଂଲଣ୍ଡ ମ୍ୟାଚ । ଯୁବରାଜଙ୍କ ବ୍ୟାଟର ସେଇ ପ୍ରହାରକୁ କେବେ ଭୁଲି ପାରିନଥିବେ ଇଂଲଣ୍ଡ ବୋଲର ଷ୍ଟୁଆର୍ଟ ବ୍ରଡ ।

ଡିଜାଇନ ଫଟୋ

ହାଇଦ୍ରାବାଦ: ସେପ୍ଟେମ୍ବର 19, ଏମିତି ଏକ ଦିନ ଯାହା କ୍ରିକେଟ ଇତିହାସରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିଛି । 2007 ମସିହା ଆଜିର ତାରିଖରେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଗୋଟିଏ ଓଭରରେ 6 ବଲରେ 6 ଛକା ମାରିଥିଲେ । ଆଉ ଲେଖିଥିଲେ କ୍ରିକେଟର ନୂଆ ଏକ ଅଧ୍ୟାୟ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@RaviShastriOfc

ଟି-20 ବିଶ୍ବକପର ପ୍ରଥମ ସଂସ୍କରଣରେ ଖେଳାଯାଉଥାଏ ଦକ୍ଷିଣ ଆଫ୍ରିକାରେ । ଭାରତର ସ୍ଥିତି ସେତେଟା ମଜବୁତ ନଥାଏ ବିଶ୍ବକପ ଯାତ୍ରାରେ । ସେମିଫାଇନାଲ ଦୌଡରେ ନିଜ ସ୍ଥାନ ବଜାୟ ରଖିବା ପାଇଁ ଭାରତକୁ ପରାଜିତ କରିବାର ଥିଲା ଇଂଲଣ୍ଡକୁ।

ତେବେ ଏହି ଐତିହାସିକ ଘଟଣା ଘଟିଥିଲା ଭାରତ ବନାମ ଇଂଲଣ୍ଡ ମ୍ୟାଚର ପ୍ରଥମ ଇଂନିସରେ । ପ୍ରଥମେ ବ୍ୟାଟିଂ କରି ଭାରତ 18 ଓଭରରେ 3 ୱିକେଟ ବିନିମୟରେ କରିଥାଏ 171 ରନ । ମଇଦାନରେ ଥାନ୍ତି ଧୋନି ଓ ଭାରତୀୟ କ୍ରିକେଟର ଯୁବରାଜ । ଲକ୍ଷ୍ୟ ଥାଏ ଡେଥ ଓଭରରେ ଟିମ ପାଇଁ ଅଧିକରୁ ଅଧିକ ରନ ସଂଗ୍ରହ କରିବା ।

18 ତମ ଓଭରରେ ଏଣ୍ଡ୍ରୁ ଫ୍ଲିଣ୍ଟଫଙ୍କ ବଲରେ ଦୁଇଟି ଚଉକା ମାରିଥିଲେ । ଏହାପରେ ଇଂଲଣ୍ଡ ବୋଲରଙ୍କ ସହ ଯୁବରାଜଙ୍କର ବଚସା ହୋଇ ଯାଇଥିଲା । ତେବେ ଫିଲ୍ଡ ଅମ୍ପାୟାରଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା । ତେବେ ଯାହା ବି ହେଲା ପରବର୍ତ୍ତୀ ଓଭରରେ ଯୁବିଙ୍କ ରାଗର ପରିଣାମ ଭୋଗିଥିଲେ ଇଂଲଣ୍ଡ ବୋଲର ଷ୍ଟୁଆର୍ଟ ବ୍ରଡ ।

19ତମ ଓଭରରେ ଯୁବି ନିଶ୍ଚିତ କରି ନେଇଥିଲେ ଅତ୍ୟଧିକ ଆଗ୍ରେସିଭ ହେଉଥିବା ଇଂଲଣ୍ଡ ବୋଲରଙ୍କୁ କଡା ଜବାବ ଦେବେ ଆଉ ତାହା ହିଁ କରିଥିଲେ । ଷ୍ଟୁଆର୍ଟ ବ୍ରଡଙ୍କ ପ୍ରଥମ ବଲରେ ଡିପ ମିଡ ୱିକେଟ ଆଡକୁ ଛକା ମାରିଥିଲେ ଯୁବରାଜ, ଏହା ପରେ ବ୍ୟାକୱାର୍ଡ ସ୍କ୍ବେୟାର ଲେଗ, ପରବର୍ତ୍ତୀ ବଲ ଉଠିଥିଲା ୱାଇଡ ଲଙ୍ଗ ଅଫ ଆଡକୁ, ଚତୁର୍ଥ ଫୁଲଟସ ବଲରେ ଡିପ ପଏଣ୍ଟ ଉପରକୁ, ଏହା ପର ଛକା ସ୍କ୍ବେୟାର ଲେଗ ଏବଂ ଶେଷରେ ଛଅ ନମ୍ବର ତଥା ଓଭରର ଅନ୍ତିମ ଛକା ୱାଇଡ ଲଙ୍ଗ ଅଫ ଆଡକୁ ଉଠାଇ ଦେଇଥିଲେ ଯୁବରାଜ । ଆଉ ଏହି କ୍ରମରେ ଯୁବରାଜ ରକେଟ ବେଗରେ ମାତ୍ର 12ଟି ବଲରେ କରିଥିଲେ ଅର୍ଦ୍ଧଶତକ । ଏଯାବତ ଏହା ଟି-20 ଇତିହାସର ଦୃତତମ ଅର୍ଦ୍ଧଶତକ ।

16 ବଲରେ 58 ରନ ସ୍କୋର କରିଥିବା ଯୁବରାଜଙ୍କ ଏହି ଇଂନିସରେ ସାମିଲ ଥିଲା 7ଟି ଛକା ଓ 3ଟି ଚଉକା । ଯାହା ଭାରତର ସ୍କୋରକୁ ପହଁଞ୍ଚାଇଥିଲା 218 ରନରେ । ଆଉ ଇଂଲଣ୍ଡ ନିର୍ଦ୍ଧାରିତ 20 ଓଭରରେ 200 ରନ କରିବାକୁ ସକ୍ଷମ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details