ନୂଆଦିଲ୍ଲୀ: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରା ଗୁରୁବାର କହିଛନ୍ତି ଯେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର 13ତମ ସଂସ୍କରଣରେ ସୀମିତ ବୋଲିଂ ଆଟାକ ସହ ପଡିଆକୁ ଓହ୍ଲାଇବ । ତେବେ ୟୁଏଇର ବଡ଼ ଗ୍ରାଉଣ୍ଡ ଗୁଡ଼ିକରେ ଏହା ଭଲ ସାବ୍ୟସ୍ତ ହୋଇପାରେ ଓ ସ୍ପିନରଙ୍କୁ ମଧ୍ୟ ସହାୟତା ମିଳିପାରେ ବୋଲି ଆକାଶ କହିଛନ୍ତି ।
‘‘ଗତ 12 ବର୍ଷ ମଧ୍ୟରେ ଯାହା ଘଟିଛି, ଆପଣଙ୍କୁ ଏହାକୁ ଭୁଲିଯିବା ଆବଶ୍ୟକ, ଚଳିତ ବର୍ଷ ଯଦି ୟୁଏଇରେ ଆଇପିଏଲ୍ ହୁଏ ତେବେ କୌଣସି ଦଳ ପାଇଁ କିଛି ବିଶେଷ ସୁବିଧା ନାହିଁ। ଯଦି ଆପଣ ନିରପେକ୍ଷ ସ୍ଥାନରେ ମ୍ୟାଚ୍ ଖେଳନ୍ତି, ତେବେ ଘରର ସମର୍ଥନ ନଥାଏ। ପ୍ରତ୍ୟେକ ଦଳ ପରସ୍ପର ସହିତ ସମାନ ଭାବରେ ଆରମ୍ଭ କରିବେ। ମୁମ୍ବାଇ ଏବଂ ଚେନ୍ନାଇ ଏକ ଶ୍ରେଷ୍ଠ ଶ୍ରେଣୀର ଦଳ, ଧୀରେ ଧୀରେ ଆରମ୍ଭ କରିଥିଲେ ମଧ୍ୟ ସେମାନେ ସମୟକ୍ରମେ ଭଲ ପ୍ରଦର୍ଶନ କରିବେ,’’ ବୋଲି ଆକାଶ ଚୋପ୍ରା ନିଜ ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରିଥିବା ଏକ ଭିଡିଓରେ କହିଛନ୍ତି ।
‘‘ଆରସିବିର ଦୃଢ଼ ବୋଲିଂ ଆକ୍ରମଣ ନାହିଁ, ଗତ ସିଜନରେ ସେମାନେ ନିଜ ଘରୋଇ ଗ୍ରାଉଣ୍ଡରେ ତିନୋଟି ମ୍ୟାଚ୍ ଜିତିଥିଲେ, ସେମାନଙ୍କର ସୀମିତ ବୋଲିଂ ଆକ୍ରମଣ ଅଛି କିନ୍ତୁ ବଡ଼ ଗ୍ରାଉଣ୍ଡ ହୋଇଥିବାରୁ ତାଙ୍କୁ ୟୁଏଇରେ ସାହାଯ୍ୟ ମିଳିପାରେ । ତେଣୁ ମୁଁ ଭାବୁଛି ଆରସିବି ସବୁଠାରୁ ବଡ଼ ଲାଭ ପାଇବ । ୟୁଜୁବେନ୍ଦ୍ର ଚହଲ ଓ ପୱନ ନେଗୀ ବଡ଼ ଭୂମିକା ନିଭାଇବେ ।’’
ଚୋପ୍ରା ଏହା ମଧ୍ୟ କହିଛନ୍ତି ଯେ କିଙ୍ଗସ ଏକାଦଶ ପଞ୍ଜାବ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ୟୁଏଇରେ ଉପକୃତ ହେବେ କାରଣ ଏହି ଦୁଇ ଦଳର ଭଲ ସ୍ପିନ୍ ବୋଲିଂ ଆକ୍ରମଣ ରହିଛି।