ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଆଗାମୀ ଶୁକ୍ରବାର ଦିନ 34ବର୍ଷରେ ପାଦ ଥାପିବେ । ତେବେ ତାଙ୍କର ଜନ୍ମଦିନରେ ୟୁପି, ଜାମ୍ମୁ ଓ ଏନସିଆର ଅଞ୍ଚଳର 34ଟି ସ୍କୁଲରେ ଶୌଚାଳାୟ ଓ ପାନୀୟ ଜଳର ସୁବିଧା ପ୍ରଦାନ କରିବାର ସଂକଳ୍ପ ନେଇଛନ୍ତି ।
ରାଇନା ଏକ ବେସରକାରୀ ସଙ୍ଗଠନ ଗାର୍ସିଆ ରାଇନା ଫାଉଣ୍ଡେସନର ସହଯୋଗରେ ଏହି ପଦକ୍ଷେପର ଶୁଭାରମ୍ଭ କରିବେ । ଏହା ମାଧ୍ୟମରେ 10,000ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଓ ସ୍ବଚ୍ଛତାର ସୁବିଧା ମିଳିବ ।
ରାଇନା କହିଛନ୍ତି ଯେ, 34ତମ ଜନ୍ମ ଦିନରେ ଏହି ପଦକ୍ଷେପ ଗ୍ରହଣ କରି ମତେ ବହୁତ ଖୁସି ମିଳିବ । ସମସ୍ତ ଶିଶୁଙ୍କୁ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ପ୍ରାପ୍ତ କରିବାର ଅଧିକାର ରହିଛି । ସ୍କୁଲରେ ସ୍ବଚ୍ଛ ପାନୀୟଜଳ ଓ ଶୌଚାଳାୟର ସୁବୁଧା ରହିବା ନିହାତି ଆବଶ୍ୟକ । ଆଶା ଅଛି ଯୁବପିଢୀଙ୍କ ସହଯୋଗରେ 'ଗାର୍ସିଆ ରାଇନା ଫାଉଣ୍ଡେସନ' ପକ୍ଷରୁ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିବ ।
ସୂଚନାଥାଉକି, 33ବର୍ଷୀୟ ସୁରେଶ ରାଇନା ଚଳିତବର୍ଷ ଅଗଷ୍ଟ15ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କହିଛନ୍ତି ।