ଜୟପୁର: ପୁଣିଥରେ ଆଜି ସଜାଯିବ ଜୟପୁରର ସୱାଇ ମାନ ସିଂ ଷ୍ଟାଡିୟମ । ଆଇପିଏଲର ମ୍ୟାଚ ନମ୍ବର-40 । ମୁହାଁମୁହିଁ ହେଉଛନ୍ତି ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ଏହି ଦୁଇ ଦଳ ଚଳିତ ସିଜିନରେ ପ୍ରଥମ ଥର ପାଇଁ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ଫୋକସରେ ରହିବ ବିଜୟ ।
କାରଣ ଆଜି ମ୍ୟାଚରେ ବିଜୟ ସହ ଯୁବ ଦିଲ୍ଲୀ ପଏଣ୍ଟ ଟେବୁଲର ଶୀର୍ଷକୁ ଚଢିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ପ୍ଲେ- ଅଫ ଦୌଡରେ ରହିବାକୁ ହେଲେ ରାଜସ୍ଥାନ ପାଇଁ ଆଜି ମ୍ୟାଚ ବିଜୟ ଅପରିହାର୍ଯ୍ୟ ହୋଇ ପଡିଛି । 10 ମ୍ୟାଚରୁ 6ଟି ବିଜୟ ଓ 4ଟି ପରାଜୟ ସହ ପଏଣ୍ଟ ଟେବୁଲର 3ୟ ସ୍ଥାନରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ଯଦି ଆଜି ମ୍ୟାଚରେ ଦିଲ୍ଲୀ ବିଜୟ ଟିକା ପିନ୍ଧୁଛି ସିଏସକେକୁ ପଛରେ ପକାଇ ଶୀର୍ଷରେ ବସିବ ଚଳିତ ସିଜିନରେ ରଙ୍ଗ ବଦଳାଇଥିବା ଏହି ନୂଆ ଦିଲ୍ଲୀ ଦଳ । ସେହିପରି ଖରାପ ଆରମ୍ଭ କରିଥିବା ରାଜସ୍ଥାନର ପିଙ୍କ ଦଳ, 9ମ୍ୟାଚରୁ 3ଟି ବିଜୟ ଓ 6ଟି ପରାଜୟ ସହ ତାଲିକାର 7ମ ସ୍ଥାନରେ ରହିଛି । ତେଣୁ ପ୍ଲେ-ଅଫ ଦୌଡରେ ତିଷ୍ଠି ରହିବାକୁ ହେଲେ ରାସ୍ଥାନକୁ ତାର ଆଗାମୀ 5ଟି ମ୍ୟାଚରୁ 5ଟି ଯାକରେ ବିଜୟ ହେବାକୁ ପଡିବ ।
ଅନ୍ୟପଟେ ଉଭୟ ଦଳ ନିଜ ନିଜର ଶେଷ ମ୍ୟାଚ ଜିତି ଜୋସରେ ଭରପୁର ରହିଛନ୍ତି । ନୂଆ ଅଧିନାୟକ ଷ୍ଟିଭ୍ ସ୍ମିଥଙ୍କ ପିଙ୍କ ଦଳ ବିଜୟ ଭୋକରେ ଆଜି ଘରୋଇ ମୈଦାନରେ ଦେବ ରଣ ହୁଙ୍କାର । ସେହିପରି ଲଗାତାର ଦମଦାର ପ୍ରଦର୍ଶନ କରୁଥିବା ଯୁବ ଦିଲ୍ଲୀ ମଧ୍ୟ ମ୍ୟାଚରେ ଆଜି ନିଜର ଫୁଲ ଦମ ଲଗାଇ ଦେବ ।