ପୁନେ:ପ୍ରଥମ ଦିନିକିଆରେ ଇଂଲଣ୍ଡକୁ 66 ରନରେ ହରାଇଲା ଭାରତ । ଡେବ୍ୟୁ ମ୍ୟାଚରେ ଦୁଇ ଭାରତୀୟ ଷ୍ଟାର କ୍ରୁଣାଳ ପାଣ୍ଡ୍ୟା ଓ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରୀଷ୍ଣା ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି । ସିନିୟର ପାଣ୍ଡ୍ୟା 31 ବଲ୍ରୁ ଧୁଆଁଧାର 58 ରନର ମ୍ୟାଚ ବିଜୟୀ ଇଂନିସ ଖେଳିଥିବାବେଳେ କ୍ରୀଷ୍ଣା 54 ରନ ବ୍ୟୟରେ 4ଟି ୱିକେଟ ହାତେଇଛନ୍ତି ।
ନିର୍ଦ୍ଧାରିତ 50 ଓଭରରେ ପ୍ରଥମେ ବ୍ୟାଟିଂ କରି ଭାରତ 5 ୱିକେଟ ହରାଇ 317 ରନ କରିଥିଲା । ପରେ 318 ରନ୍କୁ ପିଛା କରିଥିବା ଇଂଲଣ୍ଡ 42.1 ଓଭରରେ 251 ରନ୍ରେ ସମସ୍ତ ୱିକେଟ ହରାଇଥିଲା ।
ଫଳରେ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ 66 ରନରେ ବିଜୟୀ ହେବା ସହ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ 1-0ରେ ଆଗୁଆ ହୋଇଛି ଭାରତ ।
ଉଭୟ କ୍ରୁଣାଳ ଓ କ୍ରୀଷ୍ଣା ଡେବ୍ୟୁ ମ୍ୟାଚରେ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । କ୍ରୁଣାଳ ଦିନିକିଆରେ ଦ୍ରୁତତମ ଅର୍ଦ୍ଧଶତକର ରେକର୍ଡ କରିଥିବାବେଳେ, କ୍ରୀଷ୍ଣା ଭାରତୀୟ ବୋଲର ଭାବେ ଡେବ୍ୟୁରେ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଛନ୍ତି ।