ନୁଆଦିଲ୍ଲୀ:ଆଇପିଏଲ ପରିଚାଳନା ପରିଷଦର ପ୍ରତିନିଧି ଭାବରେ ମନୋନିତ ହେଲେ ପୂର୍ବତନ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା। ବିସିସିଆଇର ବାର୍ଷିକ ସାଧାରଣ ସଭାର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଭାରତୀୟ କ୍ରିକେଟର ଆସୋସିଏସନ ପକ୍ଷରୁ ଏହି ଦାୟିତ୍ବ ପାଇଁ ମନୋନୀତ କରାଯାଇଛି। ଏହାପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର ସୁରିନ୍ଦର ଖନ୍ନା ଏହି ଦାୟିତ୍ବରେ ରହିଥିଲେ।
ଆସନ୍ତାକାଲି(ଗୁରୁବାର) ବିସିସିଆଇର ସାଧାରଣ ବାର୍ଷିକ ସଭା ଅନୁଷ୍ଠିତ ହେବ। ବିସିସିଆଇର 89ତମ ସାଧାରଣ ସଭା ପୂର୍ବରୁ ପ୍ରଜ୍ଞାନ ଓଝାଙ୍କୁ ଆଇପିଏଲ ପରିଚାଳନା ପରିଷଦର ପ୍ରତିନିଧି ଦାୟିତ୍ବ ଦିଆଯାଇଛି। ବିସିସିଆଇର ନିୟମ ଅନୁଯାୟୀ ଭାରତୀୟ କ୍ରିକେଟର ଆସୋସିଏସନ ପକ୍ଷରୁ ଆଇପିଏଲ ପରିଚାଳନା ପରିଷଦକୁ ପ୍ରତିବର୍ଷ ଜଣେ ସଦସ୍ୟଙ୍କୁ ମନୋନୀତ କରାଯାଉଛି। ସୁରିନ୍ଦର ଖନ୍ନାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଆଜି(ବୁଧବାର) ପ୍ରଜ୍ଞାନ ଓଝାଙ୍କୁ ଏହି ଦାୟିତ୍ବ ଦେବାକୁ ନିଷ୍ପତ୍ତି ହୋଇଛି।