ନୂଆଦିଲ୍ଲୀ:ଆଇପିଏଲ ଟାଇଟେଲ କେବେ ଜିତିନଥିବା 3ଟି ଆଇପିଏଲ ଟିମ ମଧ୍ୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଅନ୍ୟତମ । ଦିଲ୍ଲୀ ଓ ପଞ୍ଜାବ ଏହି ତାଲିକାରେ ରହିଥିବା ଅନ୍ୟ ଦୁଇ ଫ୍ରାଞ୍ଜାଇଜ । ବର୍ଷ 2013 ଠାରୁ ଭାରତୀୟ କ୍ୟାପଟେନ ବିରାଟ କୋହଲି ଆରସିବିର ନେନୃତ୍ବ ନେଇ ଆସୁଛନ୍ତି । ମାତ୍ର ପ୍ରଥମ ଆଇପିଏଲ ଟ୍ରଫି ବିଜୟ ସନ୍ଧାନରେ ଏବେବି ଫ୍ରାଞ୍ଚାଇଜ । ଫଳରେ ଅନ୍ୟ ଟିମର ବିଜୟ ଠାରୁ ଟୁର୍ଣ୍ଣାମେଣ୍ଟରେ କୋହଲିଙ୍କ ଆରସିବିର ବିଫଳତା ଚର୍ଚ୍ଚା ଅଧିକ ଥାଏ ।
ତେବେ ପ୍ରାୟ 4 ବର୍ଷ ପରେ ଗତ ସଂସ୍କରଣରେ ପ୍ଲେ-ଅଫ ପର୍ଯ୍ୟାୟରେ ପହଞ୍ଚିପାରିଥିଲା ବିରାଟ ବାହିନୀ । ମାତ୍ର କ୍ରମାଗତ ଭାବେ କିଛି ବର୍ଷ ଧରି ସ୍ଥିର ପ୍ରଦର୍ଶନ କରିବାକୁ ଟିମ ଫେଲ୍ ମାରିଥିବା, ପ୍ରଦର୍ଶନର ପରିସଂଖ୍ୟାନ ଏହା ସ୍ପଷ୍ଟ ହୁଏ । ମଧ୍ୟକ୍ରମ ବ୍ୟାଟିଂ ସର୍ବଦା ଅସ୍ଥିର ସହ ବିରାଟ କୋହଲି ଓ ଏବି ଡି ଭିଲିଅର୍ସଙ୍କ ଉପରେ ନିର୍ଭରଶୀଳ ରହିଛି । ଏହି ଦୁଇ ଖେଳାଳିଙ୍କ ମଧ୍ୟରୁ କେହି ଜଣେ ଫେଲ୍ ମାରିଲେ, ଏକ ବଡ ଟାର୍ଗେଟ କରିବାକୁ ବ୍ୟାଟ୍ସମ୍ୟାନଙ୍କ ଅଭାବ ଯୋଗୁଁ ଟିମ ସଂଘର୍ଷ କରେ ।
ତେବେ ଚଳିତ ସଂସ୍କରଣରେ ଫ୍ରାଞ୍ଚାଇଜ, ଏହି ସମସ୍ୟାର ସମାଧାନ ପାଇଁ ଅଷ୍ଟ୍ରେଲୀୟ ପାୱର ହିଟର ଗ୍ଳେନ ମାକ୍ସୱେଲ ଓ ସୟଦ ମୁସ୍ତାକ ଅଲୀ ଟି20ରେ 37 ବଲ୍ରୁ ଶତକ ହାସଲ କରିଥିବା ଯୁବ କେରଳ ବ୍ୟାଟ୍ସମ୍ୟାନ ମହମ୍ମଦ ଆଝାରୁଦ୍ଦିନଙ୍କୁ ସ୍କ୍ବାଡରେ ସାମିଲ କରିଛି ।
ମଧ୍ୟକ୍ରମରେ ବିସ୍ଫୋରକ ବ୍ୟାଟିଂ ପାଇଁ ମାକ୍ସୱେଲଙ୍କୁ ଟିମ ବ୍ୟବହାର କରିପାରେ ।
ନ୍ୟୁଜିଲାଣ୍ଡ ବୋଲିଂ ଅଲରାଉଣ୍ଡର କେଲ ଜେମିଏସନ ଓ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଡାନିଏଲ କ୍ରୀଷ୍ଟିଆନଙ୍କୁ ମଧ୍ୟ ସ୍କ୍ବାଡରେ ସାମିଲ କରିଛି ଟିମ । ଫଳରେ ଉଭୟଙ୍କ ଉପରେ ମ୍ୟାଚ ଫିନିସ କରିବାର ଗୁରୁ ଦାୟିତ୍ବ ରହିବ ।