ଓଡିଶା

odisha

ETV Bharat / sports

ଆଜି ଦିନରେ ଭାରତ ଜିତିଥିଲା 2011 ଦିନିକିଆ ବିଶ୍ବକପ

ବିଶ୍ବବିଜେତା ହୋଇଥିଲା ଭାରତ । କ୍ରିକେଟର ଭଗବାନଙ୍କ ହାତରେ ବିଶ୍ବକପ ଟ୍ରଫି ଦେଖିବାର 22ବର୍ଷର ଅପେକ୍ଷାର ଅନ୍ତ ହୋଇଥିଲା ।

By

Published : Apr 2, 2021, 4:48 PM IST

Updated : Apr 2, 2021, 7:37 PM IST

Perfect Finish: On this day India won the 2011 World Cup
ଗୋଟିଏ ଦଶନ୍ଧି ପରେ..ଆଜି ଦିନରେ ଭାରତ ଜିତିଥିଲା 2011 ବିଶ୍ବକପ

ହାଇଦ୍ରାବାଦ:ମହେନ୍ଦ୍ର ସିଂହ ଧୋନି, ପୂର୍ବତନ ଭାରତୀୟ କ୍ୟାପଟେନ ନିଜ କ୍ରିକେଟ କ୍ୟାରିୟରରେ ପ୍ରାୟ 300ରୁ ଅଧିକ ଛକା ଲଗାଇଛନ୍ତି । ମାତ୍ର ଆଜିକୁ ଠିକ୍‌ ଗୋଟିଏ ଦଶନ୍ଧି ପୂର୍ବେ, ବର୍ଷ 2011, ଏପ୍ରିଲ 2ରେ ଶ୍ରୀଲଙ୍କା ବୋଲର ନୂଆନ କୁଳଶେକରାଙ୍କୁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ, ଧୋନି ଲଗାଇଥିବା ଏକ ଛକା କୋଟିକୋଟି ଭାରତୀୟଙ୍କ ମନରେ ଏବେ ବି ଅଭୁଲା, ଅପାସୋରା । 10 ବର୍ଷ ତଳର ସେହି ମ୍ୟାଚ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପାଲଟିଯାଇଥିଲା ସ୍ମରଣୀୟ ସ୍ମୃତି । ନାମକୁ ତ ଏହା ଏକ କ୍ରିକେଟ ମ୍ୟାଚ ଥିଲା, ମାତ୍ର ବାସ୍ତବରେ ଏହି ମ୍ୟାଚର ପ୍ରତିଟି ମୂହୂର୍ତ୍ତ ପ୍ରତିଟି ଭାରତୀୟଙ୍କ ଜୀବନକାଳ ମଧ୍ୟରେ ଅନ୍ୟତମ ଶ୍ରେଷ୍ଠ ଖୁସିର ସମୟ ପାଲଟିଯାଇଥିଲା । କାରଣ 28 ବର୍ଷର ଅପେକ୍ଷା ଶେଷ ହୋଇଥିଲା । ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ବିଶ୍ବବିଜେତା ହୋଇଥିଲା ଭାରତ । କେହି ଖୁସିରେ ଶବ୍ଦଶୂନ୍ୟ ହେଉଥିଲା, ତ କେହି କେହି ଖୁସିରେ ଝୁମୁଥିଲା ଆଉ କେହି କୋହ ରୋକିପାରୁନଥିଲା । ତେବେ ଏ ସବୁ ମଧ୍ୟରେ ସବୁଠୁ ଉପରେ ଫରଫର ଉଡୁଥିଲା ପ୍ରତି ଭାରତୀୟଙ୍କ ଅଭିମାନ ଓ ସମ୍ମାନର ପ୍ରତୀକ ତ୍ରିରଙ୍ଗା । ସେହି ଐତିହାସିକ ଦିନର ବିଜୟକୁ 10 ବର୍ଷ ବିତିଯାଇଛି ସତ, ମାତ୍ର ଜଣେ ବି ଭାରତୀୟ କାନରେ ଶୁଣିଥିବା ତତ୍କାଳୀନ କମେଣ୍ଟଟର ରବି ଶାସ୍ତ୍ରୀ ତଥା ବର୍ତ୍ତମାନର ଭାରତୀୟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ଗମ୍ଭୀର ଆବେଗପୂର୍ଣ୍ଣ ସ୍ବର କିମ୍ବା ଆଖିରେ ଦେଖିଥିବା ୱାଙ୍ଖେଡେ ଷ୍ଟାଡିୟମର ସେ ବିରଳ ଦୃଶ୍ୟକୁ ଭୁଲିପାରିନାହାନ୍ତି ।

ଭାବବିହ୍ବଳ ସଚିନ ତେନ୍ଦୁଲକର

ଅବସର ଥିଲା 2011 ଦିନିକିଆ କ୍ରିକେଟ ବିଶ୍ବକପ ଫାଇନାଲ ମୁକାବିଲାର । ଏସିଆ ମହାଦେଶର ଦୁଇ କ୍ରିକେଟ ପାୱରହାଉସ ଭାରତ ଓ ଶ୍ରୀଲଙ୍କା ମୁହାଁମୁହିଁ ହୋଇଥିଲେ । ୱାଙ୍ଖେଡେ ଷ୍ଟାଡିୟମ ମୁମ୍ବାଇ ଏକ ବିରଳ ଐତିହାସିକ ମୂହୂର୍ତ୍ତର ମୂକସାକ୍ଷୀ ହେବାକୁ ଯାଉଥିଲା । ସଚିନ ତେନ୍ଦୁଲକର, 'କ୍ରିକେଟର ଭଗବାନ' ହାତରେ ବିଶ୍ବକପ ଟ୍ରଫି ଟେକିବାକୁ 22ବର୍ଷର ଅପେକ୍ଷାର ଅନ୍ତ ହେବାକୁ ଯାଉଥିଲା । ଶେଷରେ ନିଜର ଘରୋଇ ମଇଦାନରେ ଦୀର୍ଘ ବର୍ଷର କ୍ରିକେଟ କ୍ୟାରିୟରର ଶେଷ ଭାଗରେ ସଚିନଙ୍କ ସ୍ବପ୍ନ ସତ ହୋଇଥିଲା ।

ବିଶ୍ବକପ ଟ୍ରଫି ସହ ଟିମ ଇଣ୍ଡିଆ

ଧୋନିଙ୍କ ଅଧିନାୟକତ୍ବରେ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ କେବଳ ଦକ୍ଷିଣ ଆଫ୍ରିକା ଠାରୁ ଗୋଟିଏ ମ୍ୟାଚରେ ପରାସ୍ତ ହୋଇଥିଲା ଭାରତ । ସେମିଫାଇନାଲରେ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଟିମ ଇଣ୍ଡିଆ ।

ବିଜୟ ମୂହୂର୍ତ୍ତ-ଧୋନିଙ୍କ ଛକା

ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମ ଭାରତୀୟ ପ୍ରଶଂସକଙ୍କ ଦ୍ବାରା ଜନସମୁଦ୍ରରେ ପରିଣତ ହୋଇଥିଲା । ଅବଶିଷ୍ଟ ଭାରତୀୟ ଟେଲିଭିଜନ ସାମ୍ନାରେ ବିଶ୍ବବିଜୟୀ ଭାରତର ଇତିହାସ ରଚିବା ମୂହୂର୍ତ୍ତର ସାକ୍ଷୀ ପାଲଟିବାକୁ ଅପେକ୍ଷା କରିରହିଥିଲେ ।

ଭାରତୀୟ ଖେଳାଳିଙ୍କ କାନ୍ଧରେ ସଚିନ ତେନ୍ଦୁଲକର

କୁମାର ସାଙ୍ଗାକାରାଙ୍କ ନେତୃତ୍ବରେ ଶ୍ରୀଲଙ୍କା ଦ୍ବିତୀୟ ଥର ବିଶ୍ବକପ ଟ୍ରଫି ହାତେଇବାକୁ ଭାରତ ସାମ୍ନାରେ 275 ରନ ବିଜୟ ଲକ୍ଷ୍ୟ ରଖିଥିଲା । ମାହେଲା ଜୟବର୍ଦ୍ଧନେ 88 ବଲ୍‌ରୁ 13 ଚୌକା ସହାୟତାରେ ମାରାଥନ 103 ରନର ଶତକୀୟ ଇଂନିସ ଖେଳିଥିଲେ ।

ଗୌତମ ଗମ୍ଭୀରଙ୍କ ଲଢୁଆ ଇଂନିସ

ପରେ ଭାରତୀୟ ଇଂନିସର ଷଷ୍ଠ ଓଭରରେ ସଚିନ ତେନ୍ଦୁଲକରଙ୍କୁ ଆଉଟ କରି ଘରୋଇ ଦଳର ସ୍କୋର 31/2ରେ ପହଞ୍ଚାଇଦେଇଥିଲେ ସିଂହଳ ଘାତକ ବୋଲର ଲସିଥ ମାଲିଙ୍ଗା । ଷ୍ଟାଡିୟମରେ ନିରବତାର ରାଜୁତି ଓ ନିରାଶରେ ଛାଇଯାଇଥିଲା ଭାରତୀୟ ଦର୍ଶକଙ୍କ ମନ । ଅନେକଙ୍କ ଆଖିରେ ସ୍ବପ୍ନ ମଉଳିବାର ସଙ୍କେତ ଆକାରରେ ଲୁହ ମଧ୍ୟ ଦେଖିବାକୁ ମିଳିଥିଲା । ମାତ୍ର ସେଦିନ ଦିଲ୍ଲୀର ପୁଅ ଗୌତମ ଗମ୍ଭୀର କିଛି ଅଲଗା ସ୍ବପ୍ନ ନେଇ ପଡିଆକୁ ଆସିଥିଲେ । ଏକାକୀ 97 ରନର ମ୍ୟାଚ ବିଜୟୀ ଇଂନିସ ଖେଳି ଭାରତକୁ ବିଜୟ ଦ୍ବାର ଦେଶରେ ପହଞ୍ଚାଇଦେଇଥିଲେ । ମହେନ୍ଦ୍ର ସିଂହ ଧୋନି ମଧ୍ୟ ଅପରାଜିତ 91 ରନର ଇଂନିସ ଖେଳି 28 ବର୍ଷ ପରେ ମେନ ଇନ ବ୍ଲୁଙ୍କୁ ବିଶ୍ବକପ ଟ୍ରଫି ଉଠାଇବାର ସୌଭାଗ୍ୟଶାଳୀ କରାଇଥିଲେ । ପୂର୍ବରୁ 1983ରେ ପ୍ରଥମ ବିଶ୍ବକପ ଟ୍ରଫି କପିଳ ଦେବଙ୍କ ଅଧିନାୟକତ୍ବରେ ଜିତିଥିଲା ଭାରତ ।

ଅଲରାଉଣ୍ଡର ଯୁବରାଜ ସିଂହ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଓ ଧୋନି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

ଧୋନିଙ୍କ ବ୍ୟାଟରୁ ବିଜୟ ସଟ୍‌ ବାହାରିବା କ୍ଷଣି ଖୁସିରେ ତେନ୍ଦୁଲକର ପାଖରେ ଥିବା ଯୁବରାଜ ସିଂହଙ୍କୁ କୁଣ୍ଢାଇ ଭାବବିହ୍ବଳ ହୋଇ କାନ୍ଦିପକାଇଥିଲେ । କ୍ୟାନସର ଭଳି ମାରାତ୍ମକ ରୋଗରେ ଥାଇ ମଧ୍ୟ ବିଶ୍ବକପ ଭଳି ଟୁର୍ଣ୍ଣାମେଣ୍ଟ ଖେଳିତିଲେ ଭାରତକୁ ବିଜୟୀ କରାଇପାରେ ପ୍ରମୁଖ ଖେଳାଳି ବନିଥିଲେ । ପରେ ଟିମ ଇଣ୍ଡିଆର ଯୁବରାଜ ପ୍ରତ୍ୟେକ ଭାରତୀୟଙ୍କ ହୃଦୟର ଯୁବରାଜ ପାଲଟିଥିଲେ । ସଂପୂର୍ଣ୍ଣ ଟିମ ଚେନ୍ଦୁଲକରଙ୍କୁ କାନ୍ଧରେ ବସାଇ ଷ୍ଟାଡିୟମ ସାରା ବୁଲାଇଥିଲେ । ଦେଶ ତମାମ ଖୁସିର ମାହୋଲ ଖେଳିଯାଇଥିଲା । ଲୋକେ ଖୁସିରେ ରାସ୍ତାକୁ ବାହାରି ଆସିଥିଲେ ଓ ଜାତୀୟ ସଙ୍ଗୀତ ଗାନ କରିବାରେ ଲାଗିଥିଲେ ।

ଭାରତୀୟ କ୍ରିକେଟ ଇତିହାସରେ ଏପ୍ରିଲ 2, 2011 ଅନ୍ୟତମ ମହାନତମ ସ୍ମରଣୀୟ ଦିନ ହୋଇ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 2, 2021, 7:37 PM IST

ABOUT THE AUTHOR

...view details